Unknown

 

 

 

 

 

 

 

 

 

କ୍ରମଶଃ ବଡ଼ ହୋଇଯାଉଥିବା ଝିଅ

ସୁନନ୍ଦା ପ୍ରଧାନ

 

 

 

 

 

 

 

 

 

 

ମୋର ଶଶୁରଙ୍କୁ,

ଯାହାଙ୍କୁ ମୁଁ ସ୍ୱପ୍ନରେ ଥରେମାତ୍ର ଦେଖିଛି ।

 

ପ୍ରା ଗ୍ ଭା ଷ

 

ଆଧୁନିକ ଓଡ଼ିଆ କଥାସାହିତ୍ୟ ଯେଉଁ କେତେକ ପ୍ରତିଭାଦୀପ୍ତ ଯୁବଶିଳ୍ପୀଙ୍କ ଲେଖନୀଚାଳନାଦ୍ୱାରା ସମୃଦ୍ଧ ହୋଇଛି ସେମାନଙ୍କ ମଧ୍ୟରୁ ଯୁବଗାଳ୍ପିକା ସୁନନ୍ଦା ପ୍ରଧାନ ଅନ୍ୟତମ-। ସୁନନ୍ଦା, ବୟସ ତଥା ଅନୁଭୂତିରେ ବେଶ୍ ନବୀନ । ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ପାଣ୍ଡୁଲିପି ‘କ୍ରମଶଃ ବଡ଼ ହୋଇଯାଉଥିବା ଝିଅ’ ରାଜ୍ୟ ଯୁବକଲ୍ୟାଣ ପରିଷଦଦ୍ୱାରା ୨୦୦୩-୦୪ ମସିହା ପାଇଁ ଶ୍ରେଷ୍ଠ ଲେଖା ଭାବରେ ପୁରସ୍କୃତ ହୋଇଛି । ସରଳଭାଷା, ସୁନ୍ଦର ଅଭିବ୍ୟକ୍ତି, ଗଭୀର ଅର୍ନ୍ତଦୃଷ୍ଟି ଓ ଚମତ୍କାର ଶୈଳୀ ମାଧ୍ୟମରେ ପରିବେଷିତ କ୍ଷୁଦ୍ରଗଳ୍ପଗୁଡ଼ିକ ପାଠକୀୟ ସ୍ୱୀକୃତି ଲାଭ କରିବ, ଏହା ନିଃସନ୍ଦେହରେ କୁହାଯାଇପାରେ ।

 

ଓଡ଼ିଆ ଗଳ୍ପ ଜଗତକୁ ମହନୀୟ ଅବଦାନର ସ୍ୱୀକୃତିସ୍ୱରୂପ ଏହି ନବୀନ ଲେଖିକାଙ୍କୁ ଯୁବପ୍ରତିଭା ପୁରସ୍କାର ପ୍ରଦାନ କରିଥିବାରୁ ରାଜ୍ୟ ଯୁବକଲ୍ୟାଣ ପରିଷଦଙ୍କୁ ଏହି ଅବସରରେ କୃତଜ୍ଞତା ଜ୍ଞାପନ କରୁଛି ।

 

ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ ଏହି ଲେଖିକାଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘କ୍ରମଶଃ ବଡ଼ ହୋଇଯାଉଥିବା ଝିଅ’ ସୁଧୀ ପାଠକ ପାଠିକାମାନଙ୍କଦ୍ୱାରା ଆଦୃତ ହେବ ବୋଲି ଆଶା କରାଯାଏ । ସଂକଳନଟିର ବହୁଳ ପ୍ରସାର ଓ ପ୍ରଚାର ସାଙ୍ଗକୁ ଗାଳ୍ପିକାଙ୍କର ଲେଖନୀ ଆଗାମୀ ଦିନମାନଙ୍କରେ ଆହୁରି ପ୍ରାଣବନ୍ତ ସୃଷ୍ଟି ସର୍ଜନାରେ ନିମଗ୍ନ ହେଉ, ଏହାହିଁ ଆଶା ଓ ବିଶ୍ୱାସ ।

 

ସଂପାଦକ

ଚନ୍ଦ୍ରଶେଖର ଦାସବର୍ମା

ଓଡ଼ିଶା ସାହିତ୍ୟ ଏକାଡେମୀ

 

ସୂଚୀପତ୍ର

 

ଗଛ

ଚକୋଲେଟ୍‌

ପାଉଁଜି

କ୍ୟାଣ୍ଡେଲ୍‌

ଦସ୍ୟୁ

ସରିସୃପ

ଭାଙ୍ଗିପଡ଼ିବାର ବେଳ

ଏକ୍‌ଲା ପାରା

ମଉଳା ମନର ଗପ

ଫୁଟ୍‌ପାଥ୍‌ର ଚିତ୍ରନାଟ୍ୟ

ଦୋଷ କାହାର

କ୍ରମଶଃ ବଡ଼ ହୋଇଯାଉଥିବା ଝିଅ

 

ଗଛ

 

ଝର୍କା ଖୋଲିଲେ ଗଛଟା ଦିଶେ । ସେହି ଗଛ ଯେଉଁ ଗଛର ନାଁ ଜଣାନାହିଁ ଶାନ୍ତାକୁ । ଗଛ ସାମ୍ନାରେ ଯାଇଥିବା ରାସ୍ତାଟା କୁଆଡ଼ିକି ଯାଇଚି କେଜାଣି ଜଣାନାହିଁ ଶାନ୍ତାକୁ । ଜଣାନାହିଁ ସେହି ରାସ୍ତାରେ ଯାଉଥିବା ବାଟୋଇଙ୍କ ଠିକଣା । ତଥାପି ଯେତେବେଳେ ଝର୍କା ଖୋଲେ ସେତେବେଳେ ଅଟକିଯାଏ ଝର୍କା ପାଖରେ ଶାନ୍ତା, ଯେମିତି ଦିନେ ସେ ଅଟକି ଯାଇଥିଲା ତୁଷାର ପାଖରେ ।

 

ହଁ ଅଟକି ଯାଇଥିଲା ଯେ ଅଟକି ଯାଇଥିଲା, ସମ୍ପୂର୍ଣ୍ଣଭାବେ ସବୁଦିନ ପାଇଁ । ତା’ର ମାନସିକ ଗତିଶୀଳତା ମଧ୍ୟ ଥମ୍ ହୋଇ ବନ୍ଦ ହୋଇଯାଇଥିଲା । କେତେବେଳୁ ଠିଆ ହୋଇଥିଲା କେଜାଣି ଝର୍କାପାଖରେ ପୋଡ଼ା ମାଂସର ଗନ୍ଧ ଆସିବାରୁ ଝର୍କା ପାଖରୁ ସେ ଦୌଡ଼ିଲା ରୋଷେଇ ଘରକୁ । ମାଂସ ତଳି ଲାଗିଯାଇଥିଲା । ଶାନ୍ତା ମାଂସକୁ ଗୋଟିଏ କଂସାରେ ଢାଳିଲା । ପୋଡ଼ିଯାଇଥିବା ମାଂସକୁ ଖଡ଼ିକାରେ କୋରି ଫିଙ୍ଗିଲା ଡଷ୍ଟବିନ୍ ଭିତରକୁ । ଟ୍ୟାପ୍ ଖୋଲି କଡ଼େଇକୁ ଧୋଇଲା, ପୁଣି କଡ଼େଇକୁ ବସାଇଲା ଗ୍ୟାସ ଚୁଲା ଉପରେ । ଲାଇଟର ସାହାଯ୍ୟରେ ଚୂଲା ଜଳେଇଲା ଦଉଡ଼ିଲା ଫ୍ରିଜ୍ ପାଖକୁ ଆଣିବାକୁ ମସଲା, ପୁରା ଯତ୍ନକରି ରାନ୍ଧିଲା ମାଂସକୁ ଯେମିତି ପୋଡ଼ାଗଂଧ ନ ରୁହେ । ମନେ ମନେ ଚିଡ଼ିଲା ଧେତ୍ ଅଜବ ଲୋକ ସବୁଦିନ ପୁଣି ଦୁଇଓଳି ମାଂସ ନ ଖାଇଲେ ପାଟିକୁ ଭାତ ଯିବନି ତୁଷାରର । ସେ ମାଂସ, ମାଛ ଖାଏନି ଖାଲି ରାନ୍ଧିବ ତୁଷାର ପାଇଁ । ଘରେ ଆଉ କିଏ ଜଣେ ଥା’ନ୍ତେ ଭଲା । ଜଣଙ୍କ ପାଇଁ ସେ ଲାଲ ଟକ ଟକ, ମାଛ ମାଂସକୁ ବାଛିବ, କାଟିବ, ଧୋଇବ ପୁଣି ରାନ୍ଧିବ । ବୋରିଂ, ଚିଡ଼୍‍ ଚିଡ଼୍‍ ହେଲା ସେ । ଖାଇଲାବେଳକୁ ଖାଇବେ ନନଭେଜ ସଜ ହେବେ ରସିକଙ୍କ ପରି । ଦେହରେ ବିଭିନ୍ନ ବ୍ରାଣ୍ଡର ସେଣ୍ଟ ପକାଇବେ । ହେଲେ ପୁରା ବେରସିକ । ନା ଶାନ୍ତା ଲୁଗା ଶୁଖାଇଲାବେଳେ, ରୋଷେଇ କଲାବେଳେ, ତାକୁ ତା’ର ବଳିଷ୍ଠ ବାହୁରେ ଧରିବାକୁ ଚେଷ୍ଟା କରିବ ହଠାତ୍‌, ଯେମିତି ସିନେମାରେ ହୁଏ । ନା, ଅଫିସ ଗଲାବେଳେ ଶାନ୍ତାର ଗାଲରେ ଚୁମାଟିଏ ଦେବ ନିଶବ୍ଦରେ ନା ପଛପଟୁ ପାପୁଲିରେ ଆସ୍ତେ କରି ତା’ ଆଖିବନ୍ଦ କରିବ । ଅନିମା କହେ, ‘‘ତୁଷାର ଭାଇ ଭାରି ରୋମାଣ୍ଟିକ-।’’ ରୋମାଣ୍ଟିକ୍ ନା ଫୋମାଣ୍ଟିକ ପୁରା ବେରସିକ ।

 

ତୁଷାର ଡାଇନିଂ ଟେବୁଲ ପାଖରେ ବସିଲାଣି । ଶାନ୍ତା ତରତର ହୋଇ କାଚ ପ୍ଲେଟରେ ଭାତ, ମାଛ, ଭଜା, କାଚ ଗିନାରେ ମାଂସକଷା ଥୋଇଲା ରୋଷେଇ ଘରକୁ ଗଲା ପାଣି ଆଣିବାକୁ-। ଓଲଟା କାମ ଶାନ୍ତାର । ଏମିତି ସେ ସବୁବେଳେ ପଛକାମ ଆଗେ କରିବ । ଆଗ କାମ ପଛେ । ତୁଷାର ଏଥିପାଇଁ ଚିଡ଼େ ତା’ ଉପରେ ।

 

ତୁଷାର ଖାଇସାରି ରାଗ୍‌ ରେ ଟଙ୍ଗା ହେଇଥିବା ତା’ ଡ୍ରେସପତ୍ର ପାଖକୁ ଗଲା । ପଛେପଛେ ଶାନ୍ତା । ଶାନ୍ତାର ସବୁବେଳେ ଜୋକ ପରି ଲାଗି ରହିବାର ଅଭ୍ୟାସ । ତୁଷାର ରାଗ୍‍ରୁ ନୀଳଗଂଜି, କଳା ଚଡ଼ି କାଢ଼ି ଶାନ୍ତାକୁ ଦେଲା କହିଲା, ‘‘ଏଗୁଡା ସଫା କରିଦେବ । ମଇଳା ହେଲାଣି ଜାଣିପାରୁନ ।’’ ତୁଷାର ସିମେଣ୍ଟ କଲରର ଜିନ୍ସ ଆଉ ଅରେଞ୍ଜ କଲରର ବ୍ୟାନିୟନ ପିନ୍ଧିଲା । ତା’ପରେ ପକେଟରେ ହାତପୁରାଇଲା ପକେଟ ଭିତରୁ ସୁନ୍ଦରଭାବେ ଭଙ୍ଗା ହୋଇଥିବା ରୂମାଲ କାଢ଼ିଲା, ତାକୁ ଶୁଙ୍ଗିଲା, କହିଲା, ‘‘ନିଅ ଏଟାକୁ ସଫାକରିଦେବ, ଝାଳ ଗନ୍ଧ ହେଉଛି ।’’ ଶାନ୍ତା ରୁମାଲକୁ ନେଲା, ତରତର ହୋଇ ଦଉଡ଼ିଲା ଆଲମାରୀ ପାଖକୁ । ଆଲମାରୀ ଫିଟାଇ ଗୋଟେ ଗାଢ଼ ସବୁଜ ରଂଗର ରୁମାଲ କାଢ଼ି ତୁଷାରକୁ ଦେଲା । ତୁଷାରର ଡେରି ହେଇଯାଉଥିଲା, ତରବରରେ ସୋଫାର ହାତ ଉପରେ ବସି ସକ୍ସ ପିନ୍ଧିଲା, ଜୋତାରେ ଗୋଡ଼ ଗଳେଇଲା । ଶାନ୍ତା ଗେଟ ଖୋଲିବାକୁ ଗେଟ ପାଖକୁ ଗଲା ।

 

ତୁଷାର ଗଲାପରେ ଶାନ୍ତା ଗେଟ ବନ୍ଦକଲା । କବାଟ ବନ୍ଦ କଲା । ଗଲା ଝର୍କା ବନ୍ଦ କରିବାକୁ । ଝର୍କା ପାଖକୁ ଗଲେ ଦିଶେ ଗଛ । ଆଉ ଗଛଟା ପାଇଁ ଅଟକିଯାଏ ଶାନ୍ତା ସେହି ଝର୍କା ପାଖରେ । ଗଛରେ ଗୋଟେ ଲାଲ ଟୁକୁଟୁକୁ ଗୁଡ଼ିଟେ କେଉଁଠୁ ଛିଣ୍ଡିଆସି ଲାଗିଛି ନୀଳ ରଂଗର ଲାଞ୍ଜ ଓହଳିଛି । ଗୁଡ଼ିକୁ ଦେଖି ଶାନ୍ତାର ସୋନୁ କଥା ମନେପଡ଼ିଲା । ସୋନୁ ଦାର୍ଜିଲିଂର ଏକ ବୋଡ଼ିଂ ସ୍କୁଲରେ ରହି ପଢ଼ୁଛି । ଏତେ ଛୋଟପିଲାକୁ ପାଖରୁ ଛାଡ଼ିବାକୁ ଶାନ୍ତାର ବିଲକୁଲ ମନ ନ ଥିଲା । ତୁଷାରର ଯୁକ୍ତି ପିଲା ବାହାରେ ରହିଲେ ଆତ୍ମନିର୍ଭରଶୀଳ ହେବ, ବହୁତ ପଲାଙ୍କ ସହ ମିଶିଲେ ତା’ର ଆଇକ୍ୟୁ ବଢ଼ିବ । ଧେତ୍ ଗୋଟେବୋଲି ଛୁଆ । ଛଅଟା ନା ନ’ଟା ହୋଇଛି । ନିଜ କାମ କ’ଣ ସେ ନିଜେ ଘରେ ରହି କରିପାରିନଥାନ୍ତା ? ଶାନ୍ତା ସବୁବେଳେ ଏମିତି । ସାମ୍ନାରେ କହିପାରିବନି କିଛି, ପଛରେ ମନେ ମନେ ଯୁକ୍ତି କରିବ । ସୋନୁଥିଲେ କାଗଜରେ ରକେଟ କରି ସେମାନେ ଘରେ ଉଡ଼ାନ୍ତି, ବର୍ଷାରେ ଡଙ୍ଗା କରି ଭସାନ୍ତି । ଶୋଇଲାବେଳେ ତାକୁ ଗପ କହିବା, ତା’ଠାରୁ ଗପ ଶୁଣିବାକୁ ଭାରି ମଜା ଲାଗେ । ହଁ, ଭାରି ମଜାଲାଗେ ସୋନୁ ଘରେ ଥିଲେ । ଗଛରେ ଲାଗିଥିବା ଗୁଡ଼ି ଦେଖିବାକୁ ଆଉ ଇଚ୍ଛା ହେଲାନି ଶାନ୍ତାର ।

 

ଶାନ୍ତା ଝର୍କା ବନ୍ଦ କଲା । ତିନିରେ ଫ୍ୟାନଦେଲା । ଗୋଟେ ପତଳା ବେଡ୍‌ସିଟ ଆଣି ଘୋଡ଼େଇ ହୋଇ ଶୋଇଲା । ଆଜିକାଲି ଶାନ୍ତା ବହୁତ ଶୋଉଛି । ଟିଭି ବେଶିସମୟ ଦେଖିଲେ ତା’ର ମୁଣ୍ଡ ବିନ୍ଧେ । ଆଗେ ସେ କମ୍ପୁଟର ଗେମ୍ ଖେଳୁଥିଲା ଏବେ ସେଥିରେ ତା’ର ଆଉ ଆଗ୍ରହ ନାହିଁ ।

 

ତମାମ ଖରାବେଳଟା ଶାନ୍ତା ଶୋଇଶୋଇ କାଟି ଦେଉଛି । ମଝିରେ ତା’ର ନିଦ ଭାଙ୍ଗୁଛି, ସେ କଡ଼ ଲେଉଟଉଛି ପୁଣି ଶୋଉଛି । ଏତେ କେମିତି ଶୋଉଛି ସେ । ଏତେ କ’ଣ କିଏ ଶୁଏ ! ଶୋଇ ଶୋଇ ଶାନ୍ତାର ଦେହହାତ ଦରଜ ହେଇଗଲା ବୋଧେ । ସେ ଏଥର ଉଠିଲା । ବେସିନ୍ ଟ୍ୟାପ୍ ଖୋଲି ମୁହଁ ଧୋଇଲା, ବାଥ୍‍ରୁମ୍ ଗଲା, ଗୋଡ଼ ଧୋଇଲା, ରୋଷେଇ ଘରକୁ ଗଲା ପାଣିପିଇଲା, ଡବା ଖୋଲି ଦିଟା ମିକ୍ସଚର ପାଟିରେ ପକାଇଲା । ତା’ପରେ ଡ୍ରେସିଂ ଟେବୁଲ ସାମ୍ନାରେ ଠିଆହେଲା ବିନ୍ଦି ସଜାଡ଼ିଲା ମୁଣ୍ଡର ଚୁଟି ସଜାଡ଼ିଲା । ଝର୍କା ପାଖକୁ ଗଲା, ଝର୍କା ଖୋଲିଲା ।

 

ଝର୍କା ଖୋଲିଲା ତ ଦିଶିଲା ସେହିଗଛ । ସେହି ଗଛରେ ବସିଥିଲେ ପନ୍‌ଝାଏ ଚଢ଼େଇ-। ଲାଗୁଥିଲା ଯେମିତି ସେମାନେ ବସି ଗପସପ କରୁଛନ୍ତି । ଶାନ୍ତାର ଏ ସହରରେ କେହି ଚିହ୍ନାଜଣା ଲୋକ ନାହାନ୍ତି । ଯାହା ସାଙ୍ଗ କେବଳ ତୁଷାରର । ତୁଷାର କହେ ଘରେ ଯଦି ଭଲ ଲାଗୁନି, ବାହାରକୁ ଯାଉନ, ସାଙ୍ଗ କରୁନ ମୁଁ କ’ଣ ମନା କରୁଛି । ଶାନ୍ତାର ସାଙ୍ଗକରିବାର ଇଛା ଆଉ ନାହିଁ-। ଆଗରୁ ରହୁଥିବା ସହରରେ ଶାନ୍ତାର କିଛି ସାଙ୍ଗ ହୋଇ ଯାଇଥିଲେ । ସେମାନେ ଶାନ୍ତାର ଘରକୁ ଆସିଲେ, କି ଶାନ୍ତା ତାଙ୍କ ଘରକୁ ଗଲେ ତୁଷାର ଚିଡ଼େ । ଚାକିରି ନ କଲେ କହିବେ ଚାକିରି କର, କଲେ କହିବେ ଛାଡ଼ । ଏମିତି ନଚେଇବାକୁ ପରୁଷଙ୍କୁ ବୋଧେ ଭଲ ଲାଗେ ।

 

ଏ ସହରରେ ଶାନ୍ତା ପୁରାପୁରି ଏକଲା । ତୁଷାର ଫେରିବ ଅଫିସରୁ ସାଢ଼େ ଦଶ ଏଗାରରେ ଲୁଗା ଓହ୍ଲାଇ ଲାଟିନ ଯିବ । ଲାଟିନରୁ ଆସି ଦାନ୍ତ ବ୍ରଶ କରିବ ଓ ଧୁଆଧୁଇ ହେବ । ଡ୍ରେସିଂଟେବୁଲ ସାମ୍ନାରେ ଠିଆ ହୋଇ ମୁଣ୍ଡ କୁଣ୍ଡେଇବ, ବେକରେ ପାଉଡ଼ର ପକେଇବ ଆଇରନ୍ ହୋଇଥିବା ଗୋଟେ ଟ୍ରାଉଜର ଆଉ ହାଲ୍‌କା ରଂଗର ବ୍ୟାନିୟନ ପିନ୍ଧିବ । ତା’ପରେ ଡାଇନିଂ ଟେବୁଲ ପାଖକୁ ଆସିବ । ସେତେବେଳକୁ ରାତି ବାର ସାଢ଼େ ବାର ହୋଇସାରିଥିବ । ଖାଇଲାବେଳେ ତୁଷାର ପେପରଟା ଧରି ଏପଟ ସେପଟ କରିବ । ଚିଡ଼ି ଉଠେ ଶାନ୍ତା । ଖାଇଲାବେଳେ ଅନ୍ତତଃ ଟିକେ ଦୁଃଖସୁଖ ହୋଇପାରନ୍ତେ । ନା, ସେ ଛେନାଗୁଡ଼ ପେପରଟା ତ ନ ଧରିଲେ ନ ଚଳେ । ଶାନ୍ତା କିଛି କହିପାରେନା । ଭିତରେ ଚିଡ଼ିଚିଡ଼ି ହେଉଥିଲେ ବି ଉପରେ ହସେ-। ବଳେଇ ବଳେଇ ଖାଇବାକୁ ଦିଏ । ତୁଷାର ଉପରେ କିନ୍ତୁ ତା’ର ପ୍ରଭାବ କିଛି ପଡ଼େନି । ସେ ଯେତିକି ଖାଇବା କଥା ଖାଏ । ତା’ପରେ ଉଠିପଡ଼େ । ଥରେ ଭଲା ଶାନ୍ତାକୁ ସେ ଅନାନ୍ତା ।

 

ଏତେ ରାତିରେ ବି ସେ ବେଳେବେଳେ ସିଡ଼ି ଲଗାଇ ଫିଲ୍ମଦେଖେ । ବେଳେବେଳେ ଶୋଇପଡ଼େ । ଶାନ୍ତା ତା’ ଉପରେ ଗୋଡ଼ କି ହାତ ପକାଇଲେ ସେ ଚିଡ଼ି ଉଠେ କହେ ‘‘ଘୁଞ୍ଚିକି ଶୁଅ ଗରମ ହେଉଛି ।’’ ଶାନ୍ତାକୁ ଭାରି ଅବହେଳିତ ଲାଗେ ସେ ଉଠି ଆସେ ଝର୍କା ପାଖକୁ । ସଂଧ୍ୟାବେଳେ ମଶା ପଶିବେ ବୋଲି ବନ୍ଦ କରିଥିବା ଝର୍କା ଖୋଲେ । ଦେଖେ ସେ ଗଛକୁ । କେମିତି ଗୋଟେ ନିଶୁନିଆ ଲାଗେ । ଜୁଳୁଜୁଳିଆ ପୋକ କିଛି ଉଡ଼ୁଥାନ୍ତି ତା’ ଉପରେ । ପୋକ ଦୂରକୁ ଦିଶନ୍ତିନି । ଦିଶେ ଯାହା ସେମାନଙ୍କ ଆଲୁଅ ।

 

ଶାନ୍ତା ବିରକ୍ତ ହେଇପାରେନା ତୁଷାର ଉପରେ । ସେ ବିରକ୍ତ ହୁଏ ମୋବାଇଲ ଫୋନ୍ କମ୍ପାନୀଗୁଡ଼ାକ ଉପରେ । ଶାନ୍ତା କିଛିଦିନ ହେବ ଗୋଟେ ମାଗାଜିନରୁ ପଢ଼ିଥିଲା ମୋବାଇଲ ଫୋନ୍ ଫ୍ୟାଣ୍ଟ ପକେଟରେ, ଅଣ୍ଟାରେ ରଖିଲେ ଜଣେ କ୍ରମଶଃ ନଂପୁସକ ହୋଇଯିବ । ସାର୍ଟ ପକେଟରେ ରଖିଲେ ହୃଦରୋଗ ହେବ । ସାର୍ଟ ପକେଟ ଅପେକ୍ଷା ପେଣ୍ଟ ପକେଟରେ ରଖିଲେ ଭଲ । ନଂପୁସକ ସିନା ହେବ କିନ୍ତୁ ହୃଦରୋଗ ...ନା । ଶାନ୍ତା ମନକୁ ବୁଝାଏ । ବେଳେବେଳେଭାବେ ସେ ତୁଷାରର ମୋବାଇଲଟାକୁ ଫିଙ୍ଗି ଦେବ ଦୂରକୁ ବହୁଦୂରକୁ । ତୁଷାର ଯେତେ ଖୋଜିଲେ ବି ପାଇବନି । କିନ୍ତୁ ସେମିତି କିଛି ସେ କରିପାରେନି ।

 

ଦିନେ ସକାଳୁ ଝର୍କା ଖୋଲିଲାବେଳେ ଶାନ୍ତା ଦେଖିଲା ଦଳେ ଲୋକ ନିଆଁହୁଳା ଦେଖାଇ ତଡ଼ୁଛନ୍ତି ମହୁମାଛିକୁ ଗଛରେ ହୋଇଥିବା ମହୁଫେଣାରୁ ମହୁନେବାକୁ । ନିଆଁର ଧାସରେ ସିଝି ଯାଉଛି ଗଛର ଡଳପତ୍ର । ଗଛ କାହିଁକି ପ୍ରତିବାଦ କରୁନି ? କୁଆଡ଼େ ଯାଇପାରିବନି, କାହାକୁ କିଛି କହିବନି ବୋଲି ତ ସିଏ ଗଛ ।

 

ମେଘୁଆ ମେଘୁଆ ପାଗ ହୋଇଥାଏ । ଶାନ୍ତାର ଦେହଟା କେମିତି ମାନ୍ଦା ମାନ୍ଦା ଲାଗୁଥାଏ । ସେ ଝର୍କା ପାଖକୁ ଗଲା, ଛିଡ଼ାହେଲା, ହାଇ ମାରିଲା, ସାରି ଭିଡ଼ିହେଲା, ଗଛ ସେମିତି ଠିଆ ହୋଇଥାଏ । ଗଛରେ ଦୋଳି ଲଗାଇ କିଛି ପିଲା ଖେଳୁଛନ୍ତି ଦୋଳି । ଶାନ୍ତାକୁ ଭାରି ଭଲ ଲାଗିଲା ପିଲାଙ୍କ ଦୋଳିଖେଳ । ତା’ର ଇଛାହେଲା ଧାଇଁ ଯାଇଁ ଦୋଳି ଖେଳନ୍ତା । ଏ ବୟସରେ ଦୋଳି ଖେଳିଲେ ଲୋକେ କ’ଣ କହିବେ ? ସେ ଆଉ ଯାଇପାରିଲାନି ତା’ର ପାଦଦି’ଟା ବାନ୍ଧି ହୋଇଗଲା ଏଠି ତା’ର କେହିବି ସାଙ୍ଗ ନାହିଁନ୍ତି । ଘରସାମ୍ନା ରାସ୍ତାଟି ବି ବିଲକୁଲ ନିଛାଟିଆ ଅଧିକାଂଶ ସମୟରେ । ଆଗରୁ ସେମାନେ ରହୁଥିବା ଫ୍ଲାଟର ସ୍ତ୍ରୀଲୋକମାନେ ବେଶ୍ ଭଲ ଲାଗନ୍ତି ଶାନ୍ତାକୁ । ହସି ଦିଏ ସେ, ସେମାନଙ୍କୁ ଦେଖିଲେ କିନ୍ତୁ କଥା କହିବାକୁ ସାହସ ତା’ର ପାଏନି । ପ୍ରଥମେ ପ୍ରଥମେ ସେମାନଙ୍କ ପାଖକୁ ଯାଉଥିଲା ଶାନ୍ତା । ସେମାନେ ଶାନ୍ତାକୁ ଶ୍ରଦ୍ଧା କରନ୍ତି । ସମସ୍ତେ ଶାନ୍ତାଠାରୁ ବଡ଼ । ମାଟିର ବାସ୍ନାରୁ ଯେମିତି ଚାଷିଟିଏ ଜାଣିପାରେ ତା’ର ଫସଲ କେବେ ଫଳିବ । ସେମିତି ଏ ସ୍ତ୍ରୀଲୋକମାନେ ଜାଣିପାରନ୍ତି ତା’ ବିଷୟରେ, ତୁଷାର ବିଷୟରେ । ତାକୁ ଥଟ୍ଟା କରନ୍ତି କି ପରାମର୍ଶ ଦଅନ୍ତି ଜାଣିପାରେନି ଶାନ୍ତା । ଏତିକିଟିକେ ବୁଦ୍ଧି ନାହିଁ ଶାନ୍ତା ମୁଣ୍ଡରେ । ଥରେ ତଳଘରର ଭାଉଜ କହିଲେ, ‘‘କେମିତି ତମେ ଦୁହେଁ ଏମିତି ଛାଡ଼ ଛାଡ଼ ରହୁଛି ଏ ବୟସରେ ମତେ ତ ଆସି ପଞ୍ଚାବନ ହେଲାଣି, କିନ୍ତୁ ଦିନେ ଭାଇନାଙ୍କ ପାଖରେ ନ ଶୋଇଲେ ମୋତେ ନିଦ ହେବନି । ଦିନରେ ଯାହା ପଛେ ହେଉ ରାତି କିନ୍ତୁ ସଂପୂର୍ଣ୍ଣଭାବେ ଆମର ।’’ ସାମ୍ନାଘର ଚେପିନାକି ଭାଉଜ କହିଲେ,‘‘ନିଆଁ ଘିଅ ଏକାଠି ରହିବ, ପୁଣି ତରଳିବନି । ଏଗୋଟେ କଥା । ଶାନ୍ତାଟା ବୋକି ଜାଣିପାରୁନି, ତୁଷାର ନିଶ୍ଚୟ କେଉଁ ଝିଅକୁ ଭଲ ପାଉଛି ।’’ ମୋଟି କାଳି ଭାଉଜ, ଯେ ସବୁବେଳେ ସଜ ହୁଅନ୍ତି, ଲୁଗାକାନିକୁ ସଜାଡ଼ୁ ସଜାଡ଼ୁ କହିଲେ, ‘‘ଠିକ୍ କଥା ଏତେବେଳେ କହିଲ, ହୋଇଥିବ ଆମର ସବୁଦିନ ନ ହେଲେ ନ ଚଳେ ।’’ ଶାନ୍ତା ମନେମନେ ଚିଡ଼ିଗଲା ତାକୁ ଏ କଥା ଶୁଣିବାକୁ ବିରକ୍ତ ଲାଗଲା, ଲାଜ ବି । ଧେତ୍ ଟିକେବି ସଂକୋଚ ନାହିଁ ଏ ବୟସରେ ଏମାନଙ୍କର । ସେ ଭଲଭାବେ ଜାଣିଛି ତୁଷାରକୁ । ତୁଷାର ବିଲକୁଲ ଏମିତି ନୁହେଁ । ଶାନ୍ତା ପାଟି ଖୋଲେ । କାହେ, ‘‘ଏଇଟା କଣ ରୋଷେଇ କରିବା ହୋଇଛି । ସବୁଦିନ ଦରକାର । ସବୁଦିନ ହେଲେ ଦେହଘଷା ହୋଇଯିବ ରୁଚି ରହବନି, ବିରକ୍ତ ଲାଗିବ । ତଳଘର ଭାଉଜ କହିଲେ, ‘‘ସବୁଦିନତ ଆମେ ଭାତ ଖାଉଛୁ କାହିଁକି ବିରକ୍ତ ତ ମୋଟେ ଲାଗୁନି । ଯୁକ୍ତି କରିବାର ଆଗ୍ରହ ବା ସାହସ ନ ଥିଲା ଶାନ୍ତାର ସେ ଉଠି ଆସିଥିଲା ସେଇଠୁ କେଉଁ ଏକ କାମର ଆଳ ଦେଖାଇ । ସେଇ ଦିନଠୁ କେବେ ସେ ବସେନି ସେମାନଙ୍କ ପାଖରେ । ଯାହାଖାଲି ହସେ ଦୂରରୁ ଦେଖି ।

 

କିଛିଦିନ ହେବ ଗଛତଳେ ରହୁଛି ଗୋଟେ ଲୋକ ତା’ ସ୍ତ୍ରୀ ଆଉ କଅଁଳା ପିଲାସହ । ଶାନ୍ତା ଝର୍କା ଖୋଲିଲେ ଦେଖେ ସେମାନଙ୍କୁ ଗଛତଳେ । କେଉଁଦିନ ସେ ସ୍ତ୍ରୀଲୋକଟା ତିନିଟା ଇଟାରେ ଚଲିକରି ଡାଙ୍ଗ, ପତର ଜାଳି ରୋଷେଇ କରୁଥିବ, କେଉଁଦିନ ସେମାନେ ଗୋଟିଏ ସଲଉଥାଳିରେ କ’ଣ ସବୁ ରଖି ମିଶିକରି ଖାଉଥିବେ, କେଉଁଦିନ ସେ ସ୍ତ୍ରୀ ଲୋକଟା ଛୁଆକୁ ଖୀର ଖୋଉଥିବ, କେଉଁଦିନ ସେ ଦୁହେଁ ମିଶିକି ଶୋଉଥିବେ ଗଛତଳେ । ଏବେ ଆଉ ସାହସ ପାଏନି ଶାନ୍ତାର ଝର୍କା ଖୋଲିବାକୁ ।

 

ଶାନ୍ତା ଯେତେବେଳେ ନୂଆ ନୂଆ ବାହାହୋଇଥିଲା ସେତେବେଳେ ତୁଷାର ତା’ ଦେହକୁ ନେଇ ଖେଳୁଥିଲା । ଯେତେବେଳେ ଇଚ୍ଛାହେବ ଯେମିତି ଇଚ୍ଛାହେବ । ସକାଳ, ସଂଜ, ଖରାବେଳ, ରାତି, ଭୋର, ଗୁରବାର, ଶୁକ୍ରବାର କିଛି ବାଦ୍‍ ପଡ଼େନି । ଦୀର୍ଘ ପନ୍ଦର ବର୍ଷ ଭିତରେ ଥରଟେ ବି ତୁଷାର ଶାନ୍ତାର ଇଚ୍ଛାକୁ ସମ୍ମାନ ଦେଇନି, ଇଚ୍ଛାନଥିଲେ ସେ ଶାନ୍ତାର ଛାଇକୁ ବି ସହିପାରିବନି । ଶାନ୍ତା ଭାବେ ବାହାଘର ପରେ ସେ ସଂପୂର୍ଣ୍ଣଭାବେ ତୁଷାରର ହେଇଯାଇଛି । ତୁଷାର ଯେତେବେଳେ ଯାହା କହିବ ସେ ମାନିବାକୁ ବାଧ୍ୟ । କିନ୍ତୁ ତୁଷାର ଟିକେ ବି ତା’ର ହୋଇପାରିନି, ସେ ମନ କଲେ ଛୁଇଁ ପାରିବନି ତୁଷାରର ପର୍ସ, ଟେବୁଲ, ବ୍ୟାଗ୍‌, ସାବୁନ, ପାଉଡ଼ର, ପରଫ୍ୟୁମ୍‌, ସେଭିଂଗ ବକ୍ସ, ଛୁଇଁ ପାରିବନି ତା’ର ଦେହ, ଦେଇପାରିବନି ଗୋଟେ ବି ଚୁମା ତା’ ଗାଲରେ କପାଳରେ ।

 

ନୂଆ ନୂଆ ବାହା ହେଲାବେଳେ ଶାନ୍ତା ବଡ଼ ବୁଦ୍ଦୁ ଥିଲା ସବୁବେଳେ ଚୂପ୍‌ଚାପ ରହେ । ତୁଷାର ଯାହାକହେ ସେ କରେ । ତୁଷାର କହେ ତମେ ଏକ ଶୀତଳ ନଈ । କାଠଗଡ଼ । ତମେ ନିଶ୍ଚେ ବନ୍ଧ୍ୟା ହୋଇଥିବ । ଶାନ୍ତା ଭାରି ବିଶ୍ୱାସ କରେ ତୁଷାରର କଥାକୁ । ସୋନୁ ଜନ୍ମ ନ ହେବା ପର୍ଯ୍ୟନ୍ତ ସେ ନିଜକୁ ବନ୍ଧ୍ୟା ବୋଲି ଭାବୁଥିଲା ।

 

ଦୁଇଦିନ ହେବ ତୁଷାର ଯାଇଛି ଟୁରରେ ଶାନ୍ତାକୁ କିଛି ଭଲଲାଗୁନି । ଘରଟା କେମିତି ନିର୍ଜିବ ନିର୍ଜିବ ଲାଗୁଛି । ଶାନ୍ତା ଗଲା ଝର୍କାପାଖକୁ, ଖୋଲିଲା ଝର୍କା । ଦିଶିଲା ଗଛ । ଗଛ ତଳେ ସେ ପରିବାର ଆଉ ଦିଶୁନି । ଖୁସି ହୋଇଗଲା ଶାନ୍ତା । ଗଛଟା ଧଳାଧଳା ଫୁଲରେ ଭର୍ତ୍ତି ହୋଇ ଭାରି ସୁଦର ଦିଶୁଛି । ଶାନ୍ତାକୁ ଭଲଲାଗେ ଏହି ଫୁଲର ଉଗ୍ରମଧୁର ବାସ୍ନା । ପ୍ରତିବର୍ଷ ଫେବୃଆରୀ ମାସର ଆରମ୍ଭରେ ଫୁଲରେ ଭର୍ତ୍ତି ହୋଇଯାଏ ଗଛଟା... । ଫୁଲର ମହକରେ ମହକିଯାଏ ତାଙ୍କର ଘର, ଦ୍ୱାର, କାନ୍ଥବାଡ଼ ସବୁକିଛି ।

 

ଶାନ୍ତା ଝର୍କାପାଖରୁ ଆସିଲା, ଡ୍ରେସିଂଟେବୁଲ ସାମ୍ନାରେ ଠିଆ ହେଲା । ଗାଲକୁ ଛୁଇଁଲା, ନା ଗାଲତ ବେଶ୍‍ ମସୃଣ ଲାଗୁଛି । ଦେଖିଲା ହାତକୁ, ବେକକୁ, ବଙ୍କିକି ଠିଆ ହେଲା ଦେଖିବାକୁ ପିଠି, ନା ସବୁ ଠିକ୍ ଅଛି । ମାର୍ବଲପରି ଧବଳ, ଉଜ୍ଜ୍ୱଳ ତା’ର ତ୍ୱାଚା ଏଥର ସେ ଲୁଗା ଟେକି ଦେଖିଲା ପେଟକୁ, ପେଟରେ ଚର୍ବି ଲାଗିଛିକି, ନା’ ତ । ତେବେ ତୁଷାରର ଏତେ ଅରୁଚି କାହିଁକି ତା’ପ୍ରତି ।

 

କଥାରେ କହନ୍ତି, ‘‘ଝଅଟି ଦେଖିଲେ ଗୋରି ସୁନ୍ଦର ନିରେଖି ଦେଖିଲେ କାଳି ସୁନ୍ଦର ।’’ ଧେତ୍ ସେ କାଳି ନ ହେଲା ନାହିଁ ଟିକେ ଶ୍ୟାମଳୀତ ହୋଇପାରଥାନ୍ତା । ନା । ସେ ରଂଗକୁ ଯେତେ ଚେଷ୍ଟାକଲେ ବି ବଦଳେଇ ପାରିବନି । ଡ୍ରୟାର ଭିତରୁ ଟ୍ୟୁଜର କାଢ଼ିଲା, ଆଇବ୍ରୋକୁ ନୂଆ ସେପ୍ ଦେଲା । କଇଁଚି କାଢ଼ି, ମୁଣ୍ଡ ଚୁଟି କିଛି ଆଗକୁ ଆଣି କାଟିଲା ଆଜିକାଲି ଯେମିତି କାଟୁଛନ୍ତି ଟିଭିର ଆର୍ଟିଷ୍ଟମାନେ । ସ୍କ୍ରବ ଆଣି ମୁହଁରେ ଘଷିଲା । ତା’ପରେ ତୁଳାରେ ମୁହଁ ପୋଛିଲା ମାକ୍ସ ଲଗାଇଲା । ଟିଭି ଖୋଲିଲା ମ୍ୟୁଜିକ ଚ୍ୟାନେଲ ସବୁ ଚିପିଚାଲିଲା, ରିମୋଟ ଧରି । ଜଣେ କହୁଥିବାର ଶୁଣିଛି ସେ ଆରବର ସ୍ତ୍ରୀଲୋକମାନଙ୍କ ମୁଣ୍ଡରୁ ପାଦଯାଏ ଘୋଡ଼େଇ ହୋଇଥାନ୍ତି । ଯଦି କେବେ ଅକସ୍ମାତ୍‍, ତାଙ୍କର ବୁଢ଼ା ଆଙ୍ଗୁଠି ଟିକେ ଦିଶିଯାଏ, ତାକୁ ଦେଖି ସେଠାକା ଯୁବକମାନେ ପାଗଳ ହୋଇ ଉଠନ୍ତି । ଭାବପ୍ରବଣ ହୋଇଯାନ୍ତି । ଲେଖିବସନ୍ତି ଚମତ୍‌କାର କବିତା । ଭାରତରେ ଏତିକି ଟିକେ ଟିକେ ଡ୍ରେସ ପିନ୍ଧିକି ଡେଉଁଛନ୍ତି ଝିଅଗୁଡ଼ା । ଏ ଗୁଡ଼ା ଦେଖି ଦେଖି ପୁରଷର ଆଉ ଆକର୍ଷଣ ରହୁନି ନାରୀ ପ୍ରତି । ସେ ଆଉ ରହସ୍ୟମୟୀ ହୋଇ ରହୁନି । ରହସ୍ୟ ଉନ୍ମୋଚିତ ହେବାପରେ ଆଗ୍ରହ ମରିଯାଏ ମଣିଷର । ପ୍ରକୃତରେ ପାଇବାର ଅନ୍ୟନାମ ହରେଇବା । ଯେଉଁଥିପାଇଁ ପ୍ରେମିକା ପ୍ରତି ଯେଉଁ ଆକର୍ଷଣ ରହେ ସେଇଟା ସ୍ତ୍ରୀ ପାଇଁ ରହେନି । ଚିଡ଼ିଗଲା ଶାନ୍ତା ଏମାନେ ସବୁକିଛି ନଷ୍ଟ କରିଦେଲେ । ନାରୀକୁ ଅନାକର୍ଷଣୟ କରିଦେଲେ । ଟିଭି ବନ୍ଦ କଲା । ବେସିନ୍ ପାଖକୁ ଗଲା ମୁହଁକୁ ଆସ୍ତେ ଧୋଇଲା । ତା’ପରେ ପୁଣି ଆସିଲା ଡ୍ରେସିଂ ଟେବୁଲ ସାମ୍ନାକୁ । ଦର୍ପଣ ଦେଖିଦେଖି ହଲାକା ହାଲକା କରି ପୋଛିଲା ମୁହଁ । ପତଳା ମେକ୍‍ଅପ୍‍ ନେଲା ମୁହଁରେ । ଓଠରେ ଲିପ୍‌ଷ୍ଟିକ ଲଗାଇଲା ଆଖିରେ କାଜଲ, ମୁଣ୍ଡରେ ପିନ୍ଧିଲା ପଥରବସା ବିନ୍ଦି, ଆଲମାରୀ ଖୋଲି ବାହାରକଲା ଚୁମୁକିବସା ହଳଦୀ ରଙ୍ଗର ଶାଢ଼ୀ, ମ୍ୟାଚିଙ୍ଗ୍ କରି ଚୁଡ଼ି ପିନ୍ଧିଲା, ପିନ୍ଧିଲା ଘୁଙ୍ଗୁର ଲଗା ପାଉଜି, ଆଉ ଦୁଇ ଘଣ୍ଟା ପରେ ତୁଷାର ଆସି ପହଞ୍ଚିବ । ସେଣ୍ଟ ସ୍ପ୍ରେ କଲା ଦେହରେ, ସଜଡ଼ିଲା ଖଟର ବେଡ଼ସିଟ୍ ।

 

ଅପେକ୍ଷାକଲା ତୁଷାରକୁ । କେତେବେଳେ ଆସିବ ତୁଷାର । ସେ ଏପଟ ସେପଟ ହେଲା । ଡ୍ରଇଂରୁମର ଟେବୁଲ ଉପରେ ରଖିଥିବା ସତେଜ ରଜନୀଗଂଧାଫୁଲକୁ ଆଉଥରେ ସଜାଡ଼ିଲା । ଧେତ୍ ଅପେକ୍ଷାଟା ଭାରିକଷ୍ଟ । କଲିଂବେଲ ଶୁଭିଲା । ଶାନ୍ତା ଦଉଡ଼ିଲା କବାଟ ଖୋଲିବାକୁ । ତୁଷାର ଆସିଲା । ଜୋତା ଖୋଲିଲା, ଡ୍ରେସ କାଢ଼ିଲା, ଗାମୁଛା ପିନ୍ଧିଲା, ଚାଲିଲା ବାଥରୁମକୁ । ଥରଟେ ଛୁଇଁଲାନି ରଜନୀଗଂଧାର କୋମଳ ପାଖୁଡ଼ାକୁ, ଅନେଇଲାନି ଶାନ୍ତାକୁ ।

 

ଶାନ୍ତା ଗଲା ରୋଷେଇ ଘରକୁ ଗରମ କରିବାକୁ ଥଣ୍ଡା ହୋଇଯାଇଥିବା ତରକାରୀ ।ଏହି ସମୟରେ ଶୁଭିଲା କୁରାଢ଼ୀର ଶବ୍ଦ । ସେ ଦଉଡ଼ିଲା ଝର୍କା ପାଖକୁ, ଟେକିଲା ସ୍କ୍ରିନ୍ । ଦେଖିଲା ଦି’ଟା ଲୋକ ଦାଢ଼ୁଆ କୁରାଢ଼ିରେ କାଟୁଛନ୍ତି ଗଛର ଡାଳ, ଗଛର ଡାଳ ରଡ଼ ରଡ଼ ହୋଇ ପଡ଼ୁଛି ତଳେ, ତଳେ ଖସି ପଡ଼ୁଛି ଚଢ଼େଇର ବସା, ଭାଙ୍ଗି ଯାଉଛି ତା’ର କୁନି କୁନି ଧଳା ଧଳା ଅଣ୍ଡା । ଗଛ ତଥାପି ନୀରବ, ତଥାପି ଚୂପ, କିଛିବି କହିପାରୁନି ଏମିତିକି ତା’ଡାଳକୁ ନିର୍ଦ୍ଦୟ ଭାବରେ ହାଣୁଥିବା କାଠୁରିଆକୁ ବି । ନିର୍ବାକ ଗଛ ସାମ୍ନାରେ ରାସ୍ତା ଅଥଚ ଧଇଁ ଯିବାର ଉପାୟ ନାହିଁ । ହେଃ ଗଛ କ’ଣ ଚାଲିପାରେ ?

 

ଶାନ୍ତା ଆଉ ଦେଖି ପାରୁନଥିଲା । ସେ ଝର୍କାଟା ଧଡ଼୍‌କରି ବନ୍ଦ କଲା ।

 

ଚକୋଲେଟ୍

 

କଂପ୍ୟୁଟର । ସାମ୍ନାରେ ତିନିଟା ଚେୟାର । ଦୁଇଟା ବହି ଆଲମାରୀ । କାନ୍ଥରେ ବିରାଟ ବଡ଼ ୱାଲ ପେଣ୍ଟିଂ । ପାପାଙ୍କ ପଢ଼ିବା ଘର । ଗୁଗୁଲୁ ଗଲା ସେ ଘରକୁ । ବସିଲା ଚେୟାର ଉପରେ-। ବ୍ଲାକ୍ କଲର କି-ବୋର୍ଡ଼କୁ ଅନେଇଲା । ଧଳା ଧଳା ଲେଟରଗୁଡ଼ା ତାକୁ ଭଲ ଲାଗିଲାନି । ନୀଳ ରଂଗର ମାର୍କର ପେନ୍ ଆଣିଲା । କି ବୋର୍ଡ଼ର ଧଳା ଧଳା ଲେଟରରେ ନୀଳ ରଂଗ ଭରିଲା । ଏଣୁତେଣୁ ଗାରେଇଲା । ମାମା ଥିଲେ ଏଇନେ କାନ ମୋଡ଼ି ଦିଅନ୍ତେଣି ।

 

ମାମା ନାହାଁନ୍ତି । ଯାଇଛନ୍ତି ବଡ଼ ଆଈ ଘରକୁ । ବଡ଼ ଆଈ । ତାକୁ ବହୁତ ଭଲ ପାଆନ୍ତି-। ପାପାଙ୍କୁ ବି । ପାପାଙ୍କୁ ଭଲ ଲାଗେ ବୋଲି ବରା ଛାଣିକି ଆଣନ୍ତି । ଗଲାବେଳେ ଏକା ଚାଲି ଚାଲି ଯା’ନ୍ତି । ପାପା ନିଅନ୍ତି ନି ଛାଡ଼ିବାକୁ । ସେ ବଡ଼ ହେଲେ ବଡ଼ ଗାଡ଼ିଟେ କିଣିବ । ବଡ଼ ଆଈଙ୍କୁ ସେଥିରେ ବସାଇ ତାଙ୍କ ଘରେ ଛାଡ଼ିଦେବ ।

 

ବଡ଼ ଆଈର ଦେହ ଭଲ ନାହିଁ । କ’ଣ ହୋଇଛି ? ମାମା ଏକା ଗଲେ । ତାକୁ ନେଲେନି କାହିଁକି ? ସେ ମାମା ସାଙ୍ଗରେ କଥା ହେବନି । କଟି ପକାଇ ଦେବ ।

 

ସବୁ ଲେଟରରେ ସେ ରଙ୍ଗ ଭରି ସାରିଲାଣି । ମାର୍କରକୁ ଥୋଇଲା । ଚେୟାରକୁ ଟାଣି ନେଇ ଝର୍କା ପାଖରେ ବସିଲା । ଦେଖିଲା କାମିନୀ ଗଛକୁ । କାମିନୀ ଗଛର ଡାଳରେ ଛୋଟ ଚଢ଼େଇଟିଏ ବସିଥିଲା । କୁନି ଥଣ୍ଟ । କୁନି ପର । ଠିକ୍ ଗୁଗୁଲୁ ପରି । ସୁଇଟ୍ । ତା’ ମାମା କ’ଣ ତାକୁ ଛାଡ଼ିଦେଇ ଯାଇଛନ୍ତି, ତା’ ବଡ଼ ଆଈ ଘରକୁ ? ଚଢ଼େଇ ଉଡ଼ିଯାଇ କ୍ରୋଟନ୍ ଗଛରେ ବସିଲା, ପୁଣି ଉଡ଼ିଯାଇ ବସିଲା ଆଉ ଏକ ଗଛର ଡାଳରେ । ଚଢ଼େଇ ଉଡ଼ୁଛି । ଗୁଗୁଲୁ ବସିଛି । ଆଃ.. ତା’ କାନ୍ଧରେ ଦି’ଟା ଡେଣା ଲାଗିଯା’ନ୍ତା କି କୁନି ଚଢ଼େଇ ପରି । ସେ ଉଡ଼ି ଉଡ଼ି ଯା’ନ୍ତା ବଡ଼ ଆଈ ଘରକୁ ।

 

କଲିଂବେଲ ବାଜିଲା । ଗୁଗୁଲୁ ଦଉଡ଼ିଗଲା ଗ୍ରୀଲ ପାଖକୁ । ଜଣେ ବାହାରେ ଠିଆ ହୋଇଥିଲେ । ଗୁଗୁଲୁ ମୁହଁ ଗଳେଇ ଦେଖିଲା । ସୀମା ଆଣ୍ଟି । ‘‘ରୁହ ପାପାଙ୍କୁ ଡାକୁଚି । ମୁଁ ଖୋଲି ପାରିବିନି ।’’ ଗୁଗୁଲୁ ଦଉଡ଼ିଲା ଶୋଇବା ଘରକୁ । ପାପା ଟିଭି ଦେଖୁଥିଲେ । ‘‘ପାପା ଆସ । ଗେଟ୍ ଖୋଲ । ସୀମା ଆଣ୍ଟି ଆସିଛନ୍ତି ।’’ ଧଇଁସଇଁ ହୋଇ କହିଲା ଗୁଗୁଲୁ । ପାପା ଧୀରେ କି ଉଠିଲେ ବ୍ଲାକ୍ କଲର ବ୍ୟାନିୟନ୍ ପିନ୍ଧିଲେ । ଗଲେ ଖୋଲିବାକୁ ଗ୍ରୀଲ । ଗୁଗୁଲୁ କହିଲା,’‘ଜଲ୍‍ଦି ଆସ, ଜଲ୍‍ଦି ଆସ । ଆଣ୍ଟି ବାହାରେ ଠିଆ ହୋଇଛନ୍ତି ।’’

 

ସୀମା ଆଣ୍ଟି ଘର ଭିତରକୁ ଆସିଲେ । ସୋଫା ଉପରେ ବସିଲେ, ଠିକ୍ ପାପାଙ୍କ ପାଖରେ । ଗୁଗୁଲୁକୁ ଭଲ ଲାଗିଲାନି । ପାପାଙ୍କ ପାଖରେ ଖାଲି ସିଏ ବସିବ । ଖାଲି ସିଏ । ସୀମା ଆଣ୍ଟି ଗୁଗୁଲୁ ସହ ହ୍ୟାଣ୍ଡସେକ୍ କରିବାକୁ ହାତ ବଢ଼ାଇଲେ । ଗୁଗୁଲୁ ହାତ ବଢ଼ାଇଲାନି । ପାପା କହିଲେ,’‘ଗୁଗୁଲୁ, ହ୍ୟାଣ୍ଡସେକ୍ କର । ନ ହେଲେ ଆଣ୍ଟି ମନ ଦୁଃଖ କରିବେ ।’’ ଗୁଗୁଲୁ ଶୁଣିଲାନି । ମାମା ମନଦୁଃଖ କଲେ ପାପାଙ୍କର କିଛି ହୁଏନି । ଆଣ୍ଟିଙ୍କର ମନଦୁଃଖ ହେବ ବୋଲି ତାକୁ ବଟରିଂ କରୁଛନ୍ତି । ପାପା ଦୁଇଥର କହିଲେ । ତା’ପରେ ସୀମା ଆଣ୍ଟିଙ୍କ ସହ କଥା ହେଲେ ।

 

ସୀମା ଆଣ୍ଟି ଚକୋଲେଟ୍‍ କାଢ଼ିଲେ ବ୍ୟାଗ୍‌ରୁ । ଗୁଗୁଲୁକୁ ଦେଲେ । ପାପାଙ୍କୁ ବି ଦେଲେ । ଗୁଗୁଲୁ ଖୁସି । ମାମା ଥିଲେ ଏବେ ଡାକନ୍ତେ ଘର ଭିତରକୁ । କହନ୍ତେ,’‘ଚକୋଲେଟ୍‍ ଦେ । କାନ ଧର । ଉଠ୍‍ବସ୍ ହ’ । କେତେଥର ମନାକରିଛି, ଚକଲେଟ୍ ଖାଇବାକୁ ।’’ ଉଠ୍‍ବସ୍‍ ହୋଇଥାନ୍ତା ଗୁଗୁଲୁ । ମାମା କେବେବି ଚକୋଲେଟ୍ ଦିଅନ୍ତିନି । ଖାଇବାକୁ ମାଗିଲେ ଖାଲି ଡାଲିଭାତ ଦିଅନ୍ତି । ଛି.. ଭାରି ବାଜେ । ବଡ଼ ଆଈଙ୍କ ଘର ମିଟୁ, କୁନି କୁକୁର ଇଚ୍ଛା ହେଲେ ଅଳ୍ପ ଖାଇ ଛାଡ଼ି ଦିଅନ୍ତି । କିନ୍ତୁ ଗୁଗୁଲୁକୁ ସବୁ ନ ଖୋଇଲେ ମାମାଙ୍କ ମନ ଶାନ୍ତି ହୁଏନି । ପାପା ରାଗିବେ ମାମା ଉପରେ ଆଉ ମାମା ଗୁଗୁଲୁ ଉପରେ । ମାମାଙ୍କୁ ପାପା । ଗାଳି ଦେଲେ ସେ କାନ୍ଦେ । ସେ କାନ୍ଦିଲେ ପାପା ଚୁପ୍ ହୋଇଯା’ନ୍ତି । କିନ୍ତୁ ମାମା ତାକୁ ରାଗନ୍ତି । କାହିଁକି ରାଗନ୍ତି ତାକୁ ମାମା ? କୁନି ଚଢ଼େଇକୁ କ’ଣ ତା’ମାମା ରାଗେ ? ବୁଲା ନାଲି କୁକୁର ଯେ ଏବେ କୁନି କୁନି ଛୁଆ ଦେଇଛି । ସେ କ’ଣ ରାଗିବ ତା’ ଛୁଆଙ୍କୁ ? ତାଙ୍କ ପୁଷି ବିଲେଇ ତ ରାଗୁନି ତା’ ଟ୍ୱିଙ୍କିଲ୍‌କୁ ? ହେଲେ ଗୁଗୁଲୁକୁ ମାମା ରାଗନ୍ତି କାହିଁକି ? ସେ ତ କେତେ ଭଲ ପାଏ ମାମାଙ୍କୁ । ଏଥର କଟି ପକାଇ ଦେବ । କଥା ହେବନି ।

 

ଗୁଗୁଲୁ ଚକୋଲେଟ୍ ଖାଉଥିଲା ମନଇଚ୍ଛା । ପାପା ଗପୁଥିଲେ ସୀମାଆଣ୍ଟିଙ୍କ ସହ । ସୀମା ଆଣ୍ଟିଙ୍କ ହାତ ଭିତରେ ଥିଲା ପାପାଙ୍କ ହାତ । ମାମା ତ କାହିଁ କେବେ ପାପାଙ୍କ ହାତ ଧରିକି ବସନ୍ତିନି ! ସୀମା ଆଣ୍ଟି ଭାବଛନ୍ତି କି ପାପା ପଳେଇବେ । ବୋକି । ସୀମା ଆଣ୍ଟି ଗୋରା କାଗଜ ପରି । ଚିକିମିକିଆ ଟିକିଲି ଲଗାନ୍ତି । ଗୁଗୁଲୁକୁ ବି ଭଲ ଲାଗେ ଟିକିଲି । ହେଲେ ମାମା ରାଗନ୍ତି । ସୀମା ଆଣ୍ଟିଙ୍କ ଓଠରେ ଲିପ୍‌ଷ୍ଟିକ୍ । ହାତରେ ପଥରବସା ଚୂଡ଼ି । ବେକରେ ହାର । କାନରେ ରୁଦ୍ରାକ୍ଷ । ଗ୍ରୀନ୍ କଲର ହାତକଟା ଚୂଡ଼ିଦାର ପିନ୍ଧିଛନ୍ତି, ଦେହସାରା ଚୁମୁକି କାମ । ମାମା ଗୋରା ନୁହଁନ୍ତି ଏତେ ବେଶୀ । ତଥାପି ମାମା ସୁନ୍ଦର ସୀମା ଆଣ୍ଟିଙ୍କଠୁ । ତା’ମାମା ସବୁଠୁ ସୁନ୍ଦର । ପାପାଙ୍କୁ କହିବ ଏଥର ମାମା ପାଇଁ ସ୍କାଏ କଲରର ଶାଢ଼ୀ ଆଣିଦେବେ । ଲିପ୍‌ଷ୍ଟିକ୍‌, ନେଲପଲିସ୍‌, ଚୂଡ଼ି ଆଣିଦେବେ । କେବେବି ଆଣି ଦେଉ ନାହାଁନ୍ତ ପାପା ମାମା ପାଇଁ କିଛି ବି ।

 

ଗୁଗୁଲୁକୁ ମାମା କ୍ଷୀର ଦିଅନ୍ତି, ଫଳ ଦିଅନ୍ତି । ବାଧ୍ୟ କରି ଖୁଆନ୍ତି । କହନ୍ତି କ୍ଷୀର ପିଇଲେ ସେ ଗୋରା ହୋଇଯିବ ଠିକ୍ କ୍ଷୀର ଭଳି । ମାମା କ୍ଷୀର ପିଅନ୍ତିନି ବୋଲି କଳା । ସେ ବଡ଼ ହେଲେ ମାମାଙ୍କୁ ବହୁତ ଫଳ କିଣିକି ଦେବ । କ୍ଷୀର ଦେବ । ଟିକିଲି କିଣି ଦେବ । କିଣି ଦେବ ରଂଗୀନ ରଂଗୀନ ଚୁଡ଼ି । ମାମା ସଜ ହେଲେ ତାକୁ ଭଲ ଲାଗେ ।

 

ସୀମା ଆଣ୍ଟି କ’ଣ କହିଲେ ପାପାଙ୍କ କାନରେ । ପାପା କହିଲେ,’‘ଗୁଗୁଲୁ, ଯା କାଟୁନ୍ ଦେଖିବୁ ।’’ ଗୁଗୁଲୁର ଇଚ୍ଛା ନଥିଲା । ପାପା ତାକୁ ଆଣି ଟିଭି ଘରେ ବସାଇ ଦେଇଗଲେ । କହିଲେ- ଚୁପ୍‌ଚାପ୍ କାଟୁନ୍ ଦେଖିଲେ ପାର୍କ ନେବେ । କିଣି ଦେବେ ମଟର, କାଜୁ ଆଇସ୍‌କ୍ରିମ୍ ।’’

 

ଗୁଗୁଲୁକୁ ରାଗ ଲାଗିଲା ସୀମା ଆଣ୍ଟିଙ୍କ ଉପରେ । ସେ ତ ଚୁପ୍‌ଚାପ୍ ବସିଥିଲା । ସେ କାହିଁକି ପଠାଇ ଦେଲେ ଟିଭି ଦେଖିବାକୁ । ପାପା ତ କେତେ ଭଲ । ମାମା ନ ଥିଲେ ତା’କୁ ଗପ କହନ୍ତି, ତା’ ସାଙ୍ଗରେ ଖେଳନ୍ତି । କଂପ୍ୟୁଟରରେ ଆଲବମ୍ ଗୀତ ଲଗାଇ ଦେଖାନ୍ତି । ଚାଉଳକୁ ପାଣିରେ ଭିଜାଇ, ଲୁଣ ପକାଇ ଭାଜନ୍ତି । ତାକୁ ଖାଇବାକୁ ଦିଅନ୍ତି । ସୀମା ଆଣ୍ଟି ଆସି ସବୁ ଗଡ଼ ବଡ଼ କରିଦେଲେ । କେମିତି ଜାଣନ୍ତି ସୀମା ଆଣ୍ଟି ମାମା ନାହାଁନ୍ତି ବୋଲି ? ଆସି ପହଂଚିଯା’ନ୍ତି ।

 

ମାମା ଖାଇଲାବେଳେ ଯାହା କାର୍ଟୁନ ଲଗାଇ ଦିଅନ୍ତି । ଆଉ କେତେବେଳେ ଦେଖେଇ ଦେବେନି । ଦେଖିଲେ ରାଗିବେ । କହିବେ ହୋମ୍ ୱାର୍କ କର । କ୍ୟାପିଟାଲ ଏ, ବି, ସି, ଡି ଲେଖ, ସ୍ମଲ ଏ, ବି,ସି, ଡି, ଲେଖ । ନମ୍ବର ଲେଖ । ଟିକେ ରଖେଇ ଦେବେନି । ଏତେବଡ଼ ପାଟି କରିବେ ।

 

ମାମା ନାହାଁନ୍ତି । ହୋମ୍ ୱାର୍କ ସେ କରିନି । ଟିଭି ଦେଖିବାକୁ ଇଚ୍ଛା ହେଉନି । ଏଥର କଲର ବୁକ୍ କାଢ଼ିଲା, କଲର କାଢ଼ିଲା । କଲର ବୁକ୍‌ର ପେଜ୍ ଓଲଟେଇଲା .... । ରଂଗ ଦେବାକୁ ମନ ହେଲାନି ତା’ର । ମାମା ନାହାଁନ୍ତି । ସେ କେମିତି କଲର ଦେବ । ସ୍କ୍ରିନ୍ ଆଡ଼େଇ ଦେଖିଲା ଟଗର ଗଛକୁ । ଧଳା ଧଳା ଫୁଲରେ ଭର୍ତ୍ତି ହୋଇଥିଲା ଗଛଟା । ମାମା ସକାଳୁ ଫୁଲ ତୋଳନ୍ତି । ସେ ଆଉ ମାମା ମିଶିକି ଠାକୁରଙ୍କୁ ସଜାନ୍ତି । ସେ ଭାବିଲା ତା’ କଲର ବକ୍ସରୁ ନାଲି ରଙ୍ଗ ଆଣି ଭରି ଦେବ ସବୁତକ ଟଗର ଫୁଲର ପାଖୁଡ଼ା । କେମିତି ଦିଶିବ ଲାଲ ଟୁକୁ ଟୁକୁ ଟଗର ଫୁଲ ? ଧଳା ରଂଗ ବୋଳି ଦେବ ଯଦି ମାମାଙ୍କ ମୁହଁରେ କେମିତି ଦିଶିବେ ମାମା ? ମାମାଙ୍କ କଥା ମନେପଡ଼ିବାରୁ ଗୁଗୁଲୁ ଗଲା ପାପାଙ୍କ ପାଖକୁ ।

 

ପାପା ଆଖି ବୁଜି ଜାବୁଡ଼ି ଧରିଥିଲେ ସୀମା ଆଣ୍ଟିଙ୍କୁ । ସୀମା ଆଣ୍ଟି ପାପାଙ୍କୁ । ଯେମିତି ମାମା ଗେହ୍ଲା କରନ୍ତି ଗୁଗୁଲୁକୁ, ଗୁଗୁଲୁ ମାମାଙ୍କୁ । ଗୁଗୁଲୁ ରାଗିଗଲା ସୀମା ଆଣ୍ଟିଙ୍କ ଉପରେ । ତା’ର ଇଚ୍ଛା ହେଉଥିଲା କାଟି ଦେବାକୁ ସୀମା ଆଣ୍ଟିଙ୍କର ବିଲେଇ ଲାଙ୍ଗୁଳ ଭଳିଆ ଚୁଟି ।

 

ଗୁଗୁଲୁ ପଳେଇ ଆସିଲା ବେଡ଼୍‍ରୁମ୍‌କୁ । ଖଟ ଉପରେ ଶୋଇଲା ଓ କାନ୍ଦିଲା । କାନ୍ଦିଲା ଓ ଭାବିଲା ମାମାଙ୍କୁ । ଭାବୁ ଭାବୁ ଶୋଇଗଲା ନିଦରେ ।

 

ନିଦ ଭାଙ୍ଗିଲା ଗୁଗୁଲୁର । ଖରା ପଳେଇ ଯାଇଥିଲା । ପଳେଇଯାଇଥିଲେ ସୀମା ଆଣ୍ଟି-। ଗୁଗୁଲୁ ଗଲା ମୁହଁ ଧୋଇଲା ଟ୍ୟାପ୍ ଖୋଲି । ସୁସୁ କଲା । ମଗରେ ପାଣି ଛାଟିଲା କାନ୍ଥକୁ । ମାମା ନାହାଁନ୍ତି । ଥିଲେ ଏଇନେ ଏଡ଼େ ବଡ଼ ପାଟି କରନ୍ତେ, ‘‘ଗୁଗୁଲୁ, ଥଣ୍ଡା ଧରିବ ଯଲଦି ଆସ, ଏକ.. ଦୁଇ..ତିନି... ।’’

 

ଗୁଗୁଲୁ ଆସିଲା ପୁଣି ବେଡ଼୍‍ ରୁମ୍‌କୁ । ମୁହଁ ଦେଖିଲା ଡ୍ରେସିଂ ଟେବୁଲରେ । ଆଁ କରି ଦାନ୍ତ ଗଣିଲା । ତା’ର ସବୁ ଦାନ୍ତ ସଫା । ସବୁଦାନ୍ତ ସୁସ୍ଥ । କେଉଁ ଦାନ୍ତ ପୋକ ଖାଇନି । ତା’ର ସବୁ ସାଙ୍ଗଙ୍କ ଦାନ୍ତ ପୋକଖିଆ । ତାଙ୍କ ମାମାମାନେ କ’ଣ ରାଗନ୍ତିନି ଚକୋଲେଟ୍‍ ଖାଇଲେ ! ଆଛା, ପାପା ଯୋଉ ଚକୋଲେଟ୍‍ ଖାଇଲେ, ତାଙ୍କ ଦାନ୍ତ କ’ଣ ପୋକ ଖାଇବନି ? ମାମାବି କ’ଣ ପାପାଙ୍କୁ ଗାଳି କରିବେ ! ସେ ମାମାଙ୍କୁ କେବେବି ପାପାଙ୍କୁ ଉପରେ ରାଗିବାର ଦେଖିନି । ଆଜି ମାମାଙ୍କୁ କହି ଦେବ, ‘‘ପାପା ଚକୋଲେଟ୍ ଖାଇଛନ୍ତି ।’’ସେ ପାପାଙ୍କୁ ଗାଳି କରିବେ ।

 

ଗୁଗୁଲୁ ଟିଭି ଖୋଲିଲା । ପାପା କ’ଣ କରୁଥିଲେ ତାଙ୍କ ପଢ଼ା ଘରେ । ପୋଗୋ ଦେଖିଲା, ଇଚ୍ଛା ହେଲାନି, କାର୍ଟୁନ ଦେଖିଲା ।

 

ମାମା ଆସିଲେ । ପାପାଙ୍କୁ କିଛି କହିଲେନି । ତାକୁ ପଚାରିଲେ,’‘ହୋମ୍‌ୱାର୍କ ସରିଛି ?’’ ସେ ମୁଣ୍ଡ ହଲାଇ ନା’ କଲା ତ ମାମା ଟିଭି ବନ୍ଦ କରିଦେଲେ । ଝାମ୍ପି ନେଲେ ଚିଲ ପରି ରିମୋଟ । ନେଇ ଥୋଇ ଦେଲେ ଉପର ଥାକରେ । ସ୍କୁଲ ବ୍ୟାଗ୍ ଖୋଲିଲା ଗୁଗୁଲୁ । ମାମା ପଚାରିଲେ,’‘କ’ଣ ଖାଇଛୁ ?’’ସେ କହି ଆସୁଥିଲା ‘‘ଚକୋଲେଟ୍‌’’ । କିନ୍ତୁ ଚୁପ୍ ହୋଇଗଲା ମାମା ଏବେ ରାଗିବେ । ତା’ କାନ ମୋଡ଼ି ଦେବେ ।

 

ମାମା କ୍ଷୀର ବିସ୍କୁଟ ଆଣି ଦେଲେ ଖାଇବାକୁ । ଗୁଗୁଲୁକୁ କ୍ଷୀର ବିଲକୁଲ ଭଲ ଲାଗେନି । ମାମାଙ୍କ ଡ଼ରରେ ଗୋରା ହେବା ଲୋଭରେ ସବୁତକ କ୍ଷୀର ପିଇଲା । ମାମା କହିଲେ, ‘‘ଟପରେମନ୍ ଖାଇବୁ ।’’ ସେ ମୁଣ୍ଡ ଟୁଙ୍ଗାରି ହଁ କଲା । ମାମା କହିଲେ,’‘ ହୋମ୍‌ୱାର୍କ କର । ମୁଁ ଟପରେମନ୍ ଆଣିଲା ପର୍ଯ୍ୟନ୍ତ ।’’

 

ମାମା ଟପରମନ୍ ଆଣିଲେ । ଗୁଗୁଲୁକୁ ଦେଲେ, ପାପାଙ୍କୁ ଦେଲେ । ସେ ଖାଇଲେନି । କ’ଣ ତାଙ୍କୁ ଭୋକ ହେଉନି । ‘‘ମାମା ତମେ ଆସ, ତମକୁ ମୁଁ ଖୋଇ ଦେବି ।’’ ଗୁଗୁଲୁ କହିଲା । ମାମା କହିଲେ ‘‘ତୁ ଖା’ ମୁଁ ସଂଧ୍ୟା ଦେବି ।’’ ମାମା ସଂଧ୍ୟା ଦେଲେ ରୋଷେଇ କଲେ, ସମସ୍ତଙ୍କୁ ଖାଇବାକୁ ଦେଲେ ।

 

ପାପା ଖାଇସାରି ଟିଭି ଦେଖିଲେ । ମାମା ବାସନ ମାଜିଲେ । ମାମା ବାସନ ମାଜିଲେ ତ ଗୁଗୁଲୁ ଠିଆ ହୋଇ ରହିଲା । ‘‘ପାଣି ପଡ଼ିବ ଯା’ । ପାପାଙ୍କ ପାଖରେ ଟିଭି ଦେଖିବୁ ।’’ ଗୁଗୁଲୁ ଶୁଣିଲାନି । ମାମାଙ୍କର ବୋଧେ ଗାଳି ଦେବାକୁ ଇଚ୍ଛା ନ ଥିଲା । ସେ ବାସନ ମାଜିଲେ । ଗ୍ୟାସ ପୋଛିଲେ । ପାଣି ପିଇଲେ । ଗ୍ରୀଲରେ ତାଲା ପକାଇଲେ । ତେଲ ଗିନା ଧରି ଆସିଲେ ଶୋଇବା ଘରକୁ । ମାମାଙ୍କ ପଛେ ପଛେ ଗୁଗୁଲୁ । ମାମା ପାପାଙ୍କ ପାଦରେ ତେଲ ମାରିଲେ । ଗୁଗୁଲୁ ବସି ରହିଲା ପାପାଙ୍କ ପାଖରେ ।

 

ମାମା ତେଲ ମାରିସାରି ଲାଇଟ୍ ଲିଭାଇଇଲେ । ହାଇ ମାରିଲେ । ଲାଲ ଚାଦରଟା ଆଣି ଘୋଡ଼େଇ ହୋଇ ଶୋଇଲେ, ପାଖରେ ଗୁଗୁଲୁ । ଗୁଗୁଲୁ କହିଲା,’‘ମାମା ଆଜି ଶିଆଳ ଗପ କୁହ ।’’ ‘‘ମୋତେ ହାଲିଆ ଲାଗୁଛି, ମୁଁ ଗପ କହି ପାରିବିନି । ଗୀତ ଗାଇବି ଶୋଇପଡ଼ ।’’ ମାମା କହିଲେ ଓ ଗାଇଲେ, ‘‘ହସେ ଟିମ୍ ଟିମ୍ ଛୋଟେ ଛୋଟେ ତାରେ....’’, ‘‘ଧୋରେ ବାୟା ଧୋ.....’’, ‘‘ବାଇ ଚଢ଼େଇରେ ବାଇ ଚଢ଼େଇ....’,‘‘....ଚୁଆ ଚାରିପଟେ ବୁଦା ମୂଳରେ ଚଢ଼େଇ ଦେଇଛି ଛୁଆ-।’’ ମାମା ଗାଇଚାଲିଥିଲେ । ଗୁଗୁଲୁ ମାମାଙ୍କ ଉପରେ ଗୋଡ଼, ହାତ ଲଦି, ମାମା ଛାତିରେ ମୁହଁ ଜାକି ଶୋଇବାକୁ ଚେଷ୍ଟା କରୁଥିଲା । ସୀମା ଆଣ୍ଟି କ’ଣ ଏମିତି ଗାଇ ପାରିବେ ମାମାଙ୍କ ପରି !! ନା’ ବିଲ୍‌କୁଲ ନୁହେଁ । ସେ ଖାଲି ଦେବେ ଚକୋଲେଟ୍ । ଚକୋଲେଟ୍‍ ଖାଇଲେ ପୋକ ଖାଇବ ଗୁଗୁଲୁର ସୁନ୍ଦର ଦାନ୍ତ । ଗୁଗୁଲୁ ମାମାଙ୍କ ଗାଲରେ ଚୁମା ଦେଲା । ଭାବିଲା କହିଦବ,’‘ଚକୋଲେଟ୍‍, ସୀମା ଆଣ୍ଟି କଥା ।’’ ଭାବିଲା କହିବ । ପୁଣି ଭାବିଲା କହିବନି । ପାପା ବି ତ ଖାଇଛନ୍ତି । କହିଦେବି । ମାମା କହିଲେ,’‘ଗୁଗୁଲୁ ଶୋଉନୁ କାହିଁକି?’’ ଗୁଗୁଲୁ ପାଟିରୁ ବାହାରି ଆସିଲା -’‘ଚକୋଲେଟ୍ ।’’ ମାମା କହିଲେ,’‘ଖାଇଛୁ ।’’ ଗୁଗୁଲୁ ମୁଣ୍ଡ ହଲାଇ ହଁ କଲା ।

 

- ‘‘ଖାଇଛୁ?’’ କିଏ ଦେଲା ?

 

- ସୀମା ଆଣ୍ଟି ।

 

- ମନା କରିଥିଲି ନା ।

 

- ପାପା ବି ଖାଇଛନ୍ତି ।

 

- ବଡ଼ମାନେ ଖାଇଲେ ଚଳିବ । ତୁ କ’ଣ ବଡ଼ ?

 

- ବଡ଼ମାନଙ୍କର ଦାନ୍ତ ପୋକଖାଇବନି ?

 

- ପୋକ ଖାଇଲେ ତୋର କ’ଣ ହେଲା ?

 

- ତାଙ୍କୁ କଷ୍ଟ ହେବନି ।

 

- ତାଙ୍କୁ କଷ୍ଟ ହେବନି ।

 

ମାମା କିଛି କହିଲେନି । କାନ୍ଥକୁ ଚାହିଁଲେ । ସେଠି ପାପାଙ୍କର କଳାରଙ୍ଗର ବ୍ୟାନିୟନ୍ ଝୁଲୁଥିଲା । ଗୁଣୁଗୁଣୁ ହୋଇ କହିଲେ, ‘‘ସବୁ କଷ୍ଟକୁ ମୁଁ ଅଛି ।’’ ଗୁଗୁଲୁ ବୁଝି ପାରିଲାନି ।

 

ପାଉଁଜି

 

ପାଉଁଜି ହଜିଛି । କେମିତି ହଜିଲା ପାଉଁଜି । ମୋର ତ ଠିକ୍ ମନେଅଛି । ଯେଉଁଠି ସୁନାଗହଣା ରହେ ସେଇଠି ରଖିଥିଲି । ପାଉଁଜିଟିକୁ ଯେଉଁଦିନ ଭଲ ଶାଢ଼ୀ ପିନ୍ଧେ ସେଦିନ ଆଲମାରିରୁ କାଢ଼ି ପିନ୍ଧେ । ଅଳ୍ପକିଛି ଦିନ ପିନ୍ଧିଲା ପରେ ଆଲମାରୀରେ ରଖିଦିଏ । ସେଦିନ ସକାଳୁ ନୂଆ ବେଙ୍ଗଲ ହାଣ୍ଡଲୁମ ଶାଢ଼ୀଟେ ପିନ୍ଧିଥିଲି, ଶାଢ଼ୀରେ ଫ୍ଲସ ଲାଗିନଥିଲା । ପାଉଁଜିରେ ଲାଗି ସୁତା ଖାଲି ବାହାରିଲା । ପାଉଁଜିରେ ଲାଗି ଶାଢ଼ୀ ଖରାପ ହୋଇଯିବ ବୋଲି ପାଉଁଜିଟିକୁ ଖୋଲି ଆଲମାରୀ ଭିତରେ ରଖିଦେଇଥିଲି ।

 

ଆଜି ପାଉଁଜି ପିନ୍ଧିବାକୁ ମନ ହେଲା, ଆଲମାରି ଖୋଲିଲାରୁ ପାଇଲିନି । କୁଆଡ଼େ ଗଲା ପାଉଁଜି । ଆଲମାରୀର ପ୍ରତ୍ୟେକଟି କୋଣ ଖୋଜିସାରିଲିଣି । କୁଆଡ଼େ ଗଲା ପାଉଁଜି । କିଛି ଭଲ ଲାଗୁନି । ମୋର ପ୍ରତ୍ୟେକ ଜନ୍ମଦିନରେ ବାପା ବାଛି ବାଛି ମୋ ପାଇଁ କିଣିଥିବା ସୁନ୍ଦର ସୁନ୍ଦର ମୁଦି, ବାହାଘର ବେଳର କାନ ଫୁଲ, ଚୁଡ଼ି ବିକିଲାବେଳେ ଟିକେ ବି ଭାବାନ୍ତର ହୋଇନଥିଲା । ନା କିନ୍ତୁ ଆଜି ଟିକେ ବି ଭଲ ଲାଗୁନି । ମୋର ଦୁଇ ଭରିର ଚେନ ଝଳେଇବା ନେଇ ଯେଉଁଥର ସେ ହଜାଇ ଦେଇଥିଲେ ସେଥର ଟିକେ ମନକଷ୍ଟ ଭଲା ହୋଇଥାନ୍ତା । ବହିଥାକ ପଛ, ଚୂଡ଼ିବାକ୍ସ, ଝିଅର ଖେଳନା ପାଚିଆ, ସ୍କୁଲ ବ୍ୟାଗ ସବୁଆଡ଼େ ଖୋଜି ସାରିଲିଣି । କେଉଁଠି ବି ପାଉନି । ଝିଅକୁ ବହୁତ ଧମକେଇଲିଣି, ସେ ନେଇନି ବୋଲି କହୁଛି । କୁଆଡ଼େ ଗଲା ତା’ହେଲେ ? ଥରେ ସକାଳୁ ଉଠିଲାବେଳକୁ ପାଦରେ ପାଉଁଜି ନ ଥିଲା । ବ୍ୟସ୍ତହୋଇ ଚାରିଆଡ଼ ଖୋଜିଲି । ସତରେ କେମିତି ଗାଏବ ହେଲା ପାଉଁଜି ପାଦରୁ ରାତିରେ ତ ଥିଲା, ଝିଅ ଉଠିବା ପରେ ତାକୁ ପଚାରିଲାରୁ ସେ ତା’ ପେନ୍‍ସିଲ ବାକ୍ସରୁ କାଢ଼ିଦେଲା । ତାକୁ ଶୋଇ ଦେଉ ଦେଉ ମୋତେ ନିଦ ହୋଇଯାଇଥିଲା । ମୁଁ ଶୋଇଲାପରେ ସେ ଉଠି ମୋ ପାଦରୁ ପାଉଁଜି କାଢ଼ି ତା’ ପେନ୍‍ସିଲ ବାକ୍ସରେ ରଖିଥିଲା । କିନ୍ତୁ ଏଥର ଯେତେ ପଚାରିଲେ ସେ ମନାକରୁଛି । କେତେ ବା ଜେରା କରିବି ପିଲାଟିକୁ ?

 

ବାଥରୁମ୍‌ର ସାବୁନକେଶ ଭିତର, ରୋଷେଇ ଘର ଥାକରେ ଥିବା ପ୍ରତ୍ୟେକଟି ଡବା ଖୋଜି ଦେଖିସାରିଲିଣି । କେଉଁଠିବି ପାଉନି । କମ୍ପ୍ୟୁଟର ପଛ କଲମ ଷ୍ଟାଣ୍ଡ ଭିତର ସବୁକିଛି ଖୋଜି ସାରିଲିଣି । ଡଷ୍ଟବିନ ଭିତରର ସବୁ ଅଳିହାକୁ ଅଜାଡ଼ି ଦେଖିସାରିଲିଣି । ନା... କେଉଁଠି ବି ମିଳୁନି । ମନଟା ବିଲକୁଲ ଭଲଲାଗୁନି ।

 

ବାହାଘରର ଛ’ ବର୍ଷ ପରେ ସେ ମୋତେ ଏହି ଉପହାରଟି ଦେଇଥିଲେ । ମୋ ଜୀବନରେ କାହାରଠୁ କେବେ କିଛି ଉପହାର ପାଉନଥିଲି । ଯାହା ଦିଅନ୍ତି ବାପା । ବାପା ଦେଇଥିବା ଜିନିଷ ଯତେ ବେଶୀ ସୁନ୍ଦର ଆକର୍ଷଣୀୟ ହେଲେ ମଧ୍ୟ ସେଇଟା ମୋତେ ଉପହାର ପରି ଲାଗେନି । ସେଇଟା ତାଙ୍କ କର୍ତ୍ତବ୍ୟ... ।

 

ନଣନ୍ଦ ବାହାଘର ପାଇଁ ଗାଁକୁ ଯାଇଥିଲି । ସେଠି ରହୁ ରହୁ ୩ ମାସ ରହିଯାଇଥିଲି । ପାଉଁଜି ପିନ୍ଧିବାର ଅଭ୍ୟାସ ନଥିବାରୁ ପାଉଁଜି ପିନ୍ଧିନଥିଲି । ଏଥିପାଇଁ ସମସ୍ତଙ୍କଠାରୁ କିଛି କିଛି ଶୁଣିବାକୁ ପଡ଼ୁଥିଲା । ଖୁଡ଼ିଶାଶୁ ତାଙ୍କ ଗୋଡର ପାଉଁଜି କାଢ଼ି ମୋତେ ପିନ୍ଧିବାକୁ ଦେଇଥିଲେ ।ସେ କେତେ ଆଗ୍ରହ କରି ପିନ୍ଧିଥିବେ, ମୋତେ ତାଙ୍କଠୁ ପାଉଁଜି ନେବାକୁ ଭଲ ଲାଗିଲାନି ଘଣ୍ଟାଏ ପିନ୍ଧି ଫେରେଇ ଦେଇଥିଲି ।

 

ସୋନିର ସ୍କୁଲ ବନ୍ଦ ନ ଥିବାରୁ ତା’ବାପା ମୋତେ ଗାଁରେ ଛାଡ଼ିଦେଇ ଯାଇଥିଲେ । ମଝିରେ ମଝିରେ ଆସୁଥିଲେ ସୋନିକୁ ତା’ ଆଈଙ୍କ ଘରେ ଛାଡ଼ି । ସେ ଆସିବାରୁ ମୁଁ କହିଥିଲି, ଗାଁରେ କହୁଛନ୍ତି ବୋହୂମାନେ ଗୋଡ଼ ଖାଲି କରନ୍ତିନି । ବାସ୍ ସେଦିନ ରାତିରେ ଗାଁପାଖ ବଜାରରୁ ସେ ମୋ ପାଇଁ ଏ ପାଉଁଜି ହଳକ ଆଣିଥିଲେ ।

 

ବାହାଘର ପାଇଁ ପଇସାପତ୍ର ଏକାଠି କରିବାକୁ ବହୁତ କଷ୍ଟ ହେଉଥାଏ । ଶଶୁର ନ ଥିବାରୁ କେଉଁଥିରେ ଟିକେ ଉଣା ହେଲେ, କାଳେ ମୋ ସ୍ୱାମୀଙ୍କୁ କିଏ କ’ଣ କହିବ, ସେଥିପାଇଁ ବ୍ୟସ୍ତ ଥାଏ । ଏ ବେଳରେ ପୁଣି ପାଉଁଜି ??

 

କିଛି କହିନଥିଲି । ସେ ମନକଷ୍ଟ କରିବେ । ତାଙ୍କ ରାଗକୁ ମୋର ପ୍ରାଣରେ ପ୍ରାଣ ଡର, ତା’ଠାରୁ ବେଶୀ ଡର ଦିନଦିନ ଧରି କଥା ନ କହିବା ଏବଂ ବିରାଟ ବଡ଼ ପାଟିକୁ । ଏତେଦିନ ପରେ ସେ ଦେଇଥିବା ଏହି ଉପହାର ବଡ଼ ଯତ୍ନରେ ପିନ୍ଧିଥିଲି ।

 

ସୁନ୍ଦର ଡିଜାଇନ ହୋଇଥିଲା । ହଁ ମୁଁ ବା କେତେଟା ପାଉଁଜି ଦେଖିଛି... । ଝିଅବେଳେ ମା’ ଗୋଟେ ପାଉଁଜି ଗଢ଼ିଦେଇଥିଲେ ମୋ ପାଇଁ । ଥରେ ଅଧେ ପିନ୍ଧି ନ ଥିବି । ବାହାଘରବେଳେ ବଡ଼ବୋଉ ଯେଉଁ ପାଉଁଜିଟା ଦେଇଥିଲା, ଅଷ୍ଟମଙ୍ଗଳାପରେ ଓହ୍ଲେଇ ରଖିଦେଇଥିଲି । ପାଉଁଜିର ଡିଜାଇନଟା କ’ଣ ଥିଲା, ମନ ପକେଇଲେ ବି ମନେ ପଡ଼ିବନି । କାହା ଗୋଡ଼ର ପାଉଁଜି ଦେଖିବାକୁ ମୋର କେବେ ବି ଆଗ୍ରହ ନ ଥାଏ । ଯାହାବି ହେଉ ମୋତେ ଏ ପାଉଁଜି ହଳକ ଭାରି ଭଲ ଲାଗୁଥାଏ । ତିନି ଧାଡ଼ି ଚେନ ଉପରେ ଗୋଟିଏ ଗୋଟିଏ ଧାନ, ଧାନ ଉପରେ ଚମତ୍‌କାର ମିନାକାମ । କେମିତି ଗୋଟେ ଅଲଗା ଅଲଗା ଲାଗୁଥିଲା ପାଉଁଜି ସବୁ ପାଉଁଜିଠାରୁ । ସବୁଠୁ ମଜାକଥା ଗୋଟେ ପଟ ପାଉଁଜିରେ ତିନିଟା ଘୁଙ୍ଗୁର ଥିଲାବେଳେ ଆରପଟ ପାଉଁଜିରେ ଥିଲା ଚାରିଟା ଘୁଙ୍ଗୁର ।

 

ପାଉଁଜିଟି କାଳେ ଛିଡ଼ିଯିବ, ମଇଳା ହେଇଯିବ ସେଇଥିପାଇଁ ମୁଁ କୁଆଡ଼େ ଗଲେ ପିନ୍ଧେ, ପୁଣି ଆସିଲେ କାଢ଼ି ରଖିଦିଏ । ସେ ପାଉଁଜିଟି ସହ ମୋର କେମିତି ଅଦ୍‌ଭୂତ ଭାବପ୍ରବଣତା ଜଡି ହୋଇ ରହିଥିଲା । ଭଲ ଲାଗୁନି କିଛି କୁଆଡ଼େ ଗଲା ପାଉଁଜି ? କେତେଥର ପଚାରିବି ସୋନିକୁ ସବୁ ଅଳଙ୍କାର ସେମିତି ଥୁଆ ହୋଇଥିଲାବେଳେ କିଏ କାହିଁକି ମୋ ପାଉଁଜିଟିକୁ ନେଲା ! ପାଉଁଜିଟି ସିନା ମୋ ପାଇଁ ଦୁର୍ଲଭ ଆଉ କାହାପାଇଁ ସୁନା ଗହଣା ପାଖରେ ଏହାର ମୂଲ୍ୟ ବା କ’ଣ ? କୁଆଡ଼େ ଗଲା ତା’ହେଲେ... ।

 

ଦିନପରେ ଦିନ ଗଡ଼ିଚାଲିଲା ମୋର ଖୋଜିବାର କିନ୍ତୁ ଶେଷ ହେଉନଥାଏ । ମନେ ମନେ ଶପଥ କରୁଥାଏ ଆଉ ଗହଣା କିଣିବିନି । ସବୁବେଳେ ଅନ୍ୟମନସ୍କ ରହୁଥାଏ । କେତେବେଳେ ତେଲ ଝିଟିକି ହାତ ଫୋଟକା ହେଉଥାଏ ତ କେତେବେଳେ ପନିକିରେ ହାତ କଟିଯାଉଥାଏ । ଭାବୁଥାଏ ଘରଟା ଭିତରୁ କିଏ ନେବ ଦିନେ ନା ଦିନେ ପାଉଁଜିଟା ମିଳିଯିବ ।

 

ପାଉଁଜି ହଜିବାର ପନ୍ଦର ଦିନ ପରେ ଗୋଟିଏ କବିତା ପାଠ ଉତ୍ସବକୁ ଆମେ ମା’ଝିଅ ଯାଇଥାଉ । ଜଣେ ପରେ ଜଣେ କବି ମଂଚ ଉପରକୁ ଯାଉଥାନ୍ତି ଓହ୍ଲାଉଥାନ୍ତି । ମୋତେ କବିତା ଫବିତା କିଛି ଶୁଭୁନଥାଏ ମୁଁ କେବଳ ଭାବୁଥାଏ ମୋ ପାଉଁଜି କଥା । କୁଆଡ଼େ ଗଲା ମୋ ପାଉଁଜିଟା ? ମନେ ମନେ କହୁଥାଏ ‘‘ମା ତାରିଣୀ ମୋ ପାଉଁଜିଟା ମିଳିଗଲେ ଗୋଟେ ନଡ଼ିଆ ଦେବି ।’ ସତେ ଯେମିତି ନଡ଼ିଆ ଗୋଟେ ଲାଂଚ ଦେଲେ ମା’ ମୋ ପାଉଁଜି ଖୋଜି ଆଣିଦେବେ । ଧେତ୍ କେତେବେଶୀ ସୁବିଦାବାଦୀ ନୀଚ୍ଚ ମୁଁ । ଦେବୀ ଦେବତାଙ୍କୁ ନିଜ କାମ କରିଦେବାକୁ ଲାଂଚ ଦେବାକୁ ପଛାଉନି । ଏମିତି ମଣିଷ ଦେବତାମାନଙ୍କୁ ଲାଂଚ ଯଦି ଦେବାକୁ ଆରମ୍ଭ କରେ ଏବଂ ଦେବତାଙ୍କର ଲାଂଚ ନେବାର ଅଭ୍ୟାସ ହୋଇଯାଏ, ତେବେ ଭଗବାନ ତ କେବଳ ଧନୀ ଲୋକଙ୍କର ଗୁହାଣୀ ଶୁଣିବେ ? ଗରୀବ ଲୋକଙ୍କ ଗୁହାଣୀ ଶୁଣିବ କିଏ ?

 

କବିତା ପାଠୋତ୍ସବ ମଝିରେ ଗୋଟିଏ ତେଇଶ, ଚବିଶ ବର୍ଷର ଝିଅଟେ ଆସି ଆମ ପାଖରେ ବସିଲା । ମୋ ଝିଅ ତା’ ସହ ଗପରେ ମାତିଯାଇଥାଏ । ମୋ ଝିଅ ଏତେ ସାନ ହେଲେବି କେମିତି ଏତେଶୀଘ୍ର ଆତ୍ମୀୟତା ବଢ଼ାଇପାରେ କେଜାଣି ? ଭଲ ପାଇବା ଆଦାୟ କରିବାରେ ମଧ୍ୟ ସେ ସିଦ୍ଧହସ୍ତ । କିନ୍ତୁ ମୁଁ ଏଥିରେ ପୁରା ଫେଲ୍ । ଖୁବ୍‌ଶୀଘ୍ର କାହାସାଙ୍ଗରେ ମିଶିପାରେନି । ପ୍ରାଣ ଦେଇ ଭଲପାଇପାରେ ସିନା କାହାଠାରୁ ଭଲ ପାଇବା ଆଦାୟ କରିପାରେନି ।

 

ଝିଅ ତା’ ନୂଆ ସାଙ୍ଗଟି ସାଙ୍ଗେ କଥା ହେଉ ହେଉ ମୋ କାନ ପାଖକୁ ଆସି ଫୁସ୍ ଫୁସ୍ ହୋଇ କହିଲା, ‘‘ମାମା, ଆଣ୍ଟିଙ୍କର ଯେମିତି ପାଉଁଜି ତମର ସେମିତି ପାଉଁଜି ଥିଲା ନା । ମୋ ଝିଅ ମୋ କାନରେ କଥା କହୁଥିଲେ ବି ତା’ ସେହି ଝିଅକୁ ସ୍ପଷ୍ଟ ଶୁଭୁଥିଲା ସେ ହସିଲା ମୋ ଝିଅକୁ କହିଲା ‘‘ତମର ଏମିତି ଗୋଟେ ପାଉଁଜି ଦରକାର କି ? ମୁଁ ସେ ପର୍ଯ୍ୟନ୍ତ ସେ ଝିଅଟିକୁ ଭଲଭାବେ ଦେଖିନଥିଲି । ଝିଅଟି ଚିପା ହାତକଟା କମଳା ରଙ୍ଗର ବ୍ୟନିୟନ ସାଙ୍ଗକୁ ବ୍ଲୁରଙ୍ଗର ଜିନ୍ସ ପିନ୍ଧିଥାଏ । ଜିନ୍ସଟା ଗୋଇଠିରୁ ଚାଖଣ୍ଡେ ଉପରକୁ ଥାଏ । ଚମକି ପଡ଼ିଲି ତା’ ପାଦର ପାଉଁଜି ଦେଖି । ଠିକ୍ ମୋ ପାଉଁଜି ପରି ତ ହୋଇଛି । ସେମିତି ମିନା କାମ । ସେମିତି ଘୁଙ୍ଗୁର, ସେମିତି ଡିଜାଇନ । ମଣିଷ ନୁହେଁ ଯେ ଠିକ୍ ଏକାପରି ମଣିଷ ମିଳିବା କଷ୍ଟ ହେବ । ପାଉଁଜି ଏକା ପରି ହେବ ବଡ଼କଥା ନୁହେଁ । ମୁଁ କହିଲି ‘‘ମୋ ଝିଅର ପାଉଜି ପିନ୍ଧିବାର ବଡ଼ ସଉକ, ସବୁବେଳେ ମୋ ସହ ଲଗାଇଛି, ମାମା ମୋ ପାଇଁ ପ୍ଲିଜ ଗୋଟେ ପାୟଲ ଆଣି ଦେବ ।’’ ସେ ଝିଅଟି କିଛି କହିବା ପୂର୍ବରୁ ସୋନି କହିଲା ‘‘ଆଣ୍ଟି ତମ ପାଉଁଜି ପରି ପାଉଁଜି ପାପା ମାମାଙ୍କୁ ଗିଫ୍ଟ ଦେଇଥିଲେ । ସେଇଟା ମିଳୁନି ବୋଲି ମାମାଙ୍କର ମନ ବହୁତ ଦୁଃଖ । ମୋ ଝିଅକୁ ମାତ୍ର ଚାରିବର୍ଷ କିନ୍ତୁ କଥା କହିବ ବଡ଼ ମଣିଷପରି । ସେ ଝିଅଟି ତା’ ପାଦରୁ ପାଉଁଜିଟି ଖୋଲି କହିଲା ନିଅନ୍ତୁ ମାଡ଼ାମ୍ । ମୁଁ କହିଲି, ‘‘ମୋତେ କାହା ଜିନିଷ ପିନ୍ଧିବାକୁ ଭଲ ଲାଗେନି-। ତମେ ଖୁସିରେ କିଣିଛ ମତେ କାହିଁକି ଦେଉଛ ?’’

 

ମତେ ଭାରି ଅସ୍ୱାଭାବିକ ଲାଗୁଥାଏ ଝିଅଟିର ବ୍ୟବହାର । ପ୍ରଥମ ଦେଖାରେ ଏମିତି ଆତ୍ମିୟତା ଠିକ୍ ଲାଗୁନଥିଲା ମୋତେ । ଝିଅଟି କହିଲା, ‘‘ମାଡ଼ାମ୍ ଶାଢ଼ୀ, ଚୂଡ଼ି ସାଙ୍ଗକୁ ସିନା ପାଉଁଜିଟି ମ୍ୟାଚ କରେ । ଜିନ୍ସ ସାଙ୍ଗକୁ ବିଲ୍‌କୁଲ୍‌ ମାନେନା । ହାତରେ ଗୁଞ୍ଜିଦେଲା ସେ ପାଉଁଜି ହଳକୁ । ମୁଁ ତାକୁ କିଛି କହିବି କହିବି ହେଉଥାଏ । ସେ କହିଲା, ‘‘ମତେ ଗିଫ୍ଟ ମିଳିଥିଲା ଏଇଟା, ଧେତ୍ ସେ ପାଉଁଜି ଫାଉଁଜି ପିନ୍ଧିଲେ ମୋତେ ବେକାର୍ ଲାଗେ ।’ ‘‘ଆରେ ଆପଣଙ୍କ ଗିଫ୍ଟ କେମିତି ଦେଇ ଦଉଛନ୍ତି ।’’ ମୋ କଥା ଶୁଣି ସେ କହିଲା ‘‘ମୋତେ ଦିନକୁ ୧୦/୨୦ଟା ଗିଫ୍ଟମିଳେ ସବୁ ଗିଫ୍ଟ ରଖିଲେ ଘରଟା ମିଉଜିୟମ୍ ପାଲଟିଯିବ, ଏଇଟା ମୋତେ ଆମ ଅଫିସର ସୁକାନ୍ତ ପଣ୍ଡାବାବୁ ଦେଇଥିଲେ । ତା’କଥା ଶୁଣି ହାତରୁ ଖସି ପଡ଼ିଲା ପାଉଁଜି । ଚମକି ପଡ଼ିଲା ସୋନି । ମୋବାଇଲଟା ଚିପାଚିପି ବନ୍ଦକରି । ସେ ପାଉଁଜି ହଳକ ଗୋଟାଇ ଆଣି ମୋ ପାଦରେ ପିନ୍ଧାଇ ଦେଲା ବେଳକୁ ପାଉଁଜି ପିନ୍ଧିବାର ନିଶା ମୋର କ୍ରମଶଃ ଖସି ଖସି ଯାଉଥିଲା ।’’

 

କ୍ୟାଣ୍ଡେଲ୍‌

 

କବାଟ ଖୋଲିଲା । ଅକ୍ଷୟ ଘର ଭିତରକୁ ପଶିଲା । ପଛେ ପଛେ ତା’ବୟସର କେହି ଜଣେ ଯୁବକ । ମିସେସ୍‍ ଶତପଥୀ କବାଟ ଆଉଜେଇ ଚାଲିଲେ ଡ୍ରଇଁ ରୁମ୍ । ଅକ୍ଷୟ ପାଇଁ ଏ ଘର ନୂଆ ନୁହେଁ । ସେ ସହଜଭାବେ ସୋଫା ଉପରେ ବସିଲା, ପାଖରେ ଅଜ୍ଞାତ ଯୁବକଟି, ଯେ ପ୍ରଥମ ଥର ପାଇଁ ଆସିଥିଲା । ଅକ୍ଷୟ ପଚାରିଲା, ‘‘ସାର୍ ନାହାନ୍ତି କି ?’’ ମିସେସ୍‍ ଶତପଥୀ ଗୋଟିକିଆ ସୋଫା ଉପରେ ବସୁ ବସୁ କହିଲେ ‘‘ଦାମନଯୋଡ଼ି ଯାଇଛନ୍ତି । ଦାମନଯୋଡି କଲେଜ ଫଙ୍କସନ୍‌ର ଚିଫଗେଷ୍ଟ ହୋଇ ।’’ ନୂଆ ପିଲାଟି କାନ୍ଥରେ ଲାଗିଥିବା ଫଟୋ ସବୁ ଉପରେ ଆଖି ବୁଲାଉଥାଏ । ମିସେସ୍‍ ଶତପଥୀଙ୍କର କାନ୍ଧ ପର୍ଯ୍ୟନ୍ତ ଖେଳେଇ ହୋଇ ପଡ଼ିଥିବା ଚୁଟିରୁ କିଛି ପବନରେ ଉଡ଼ି ମୁହଁ ଉପରକୁ ଚାଲିଆସୁଥାନ୍ତି, ସେ ହାତରେ ଆଡ଼େଇ ଦେଉଥାନ୍ତି ସେ ସବୁକୁ । ଅକ୍ଷୟ କିହିଲା,’‘ମାଡ଼ାମ୍ ସେସବୁ କପାଳ ଉପରେ ପଡ଼ିଥାନ୍ତୁନା ।’’ ମିସେସ୍‍ ଶତପଥୀ ଲାଜେଇ ଗଲେ ଭିତରେ ଭିତରେ ।

 

ଅକ୍ଷୟ ପ୍ରଥମ ଥର ପାଇଁ ନୁହେଁ, ବହୁତ ଥର ଆସିଛି, କିନ୍ତୁ ଏମିତି ପ୍ରଗଳ୍ଭ... । ନା । ଆଗରୁ କେବେ... ନା’ତ । ଅଳ୍ପ ଅଳ୍ପ ହସେ । ମଝିରେ ମଝିରେ ଅତି ସତର୍କ ହୋଇ ଅନାଏ । ତା’ର ନୀରିହ ଆଖିରେ ସ୍ୱପ୍ନ ଖୁନ୍ଦି ହୋଇ ରହିଲା ପରି ଲାଗେ । ଆଜି କ’ଣ ହୋଇଛି !! ସେ କହି ଯାଉଛି, ବହି ଯାଉଛି, ଝରି ଯାଉଛି, ଅବିରତ ବର୍ଷା ପରି । ମିସେସ୍‍ ଶତପଥୀ ଭିତରେ ଭିତରେ ଶିହରି ଉଠୁଛନ୍ତି, ଜଳି ଯାଉଛନ୍ତି, ଲାଜେଇ ଯାଉଛନ୍ତି, ଝାଳେଇ ଯାଉଛନ୍ତି, ଭିଜି ଯାଉଛନ୍ତି ।

 

‘‘ମାଡ଼ାମ୍ ଆପଣ ଏ ଗୋଲାପି ରଙ୍ଗର ଶାଢ଼ୀରେ ଆଃ-- କ’ଣ ଦିଶୁଛନ୍ତି । କେଉଁଠୁ କିଣିଛନ୍ତି ?’’ ଅକ୍ଷୟ କହିଲା ଉତ୍ସାହିତ ହୋଇ । ‘‘କ’ଣ ସୁଜାତା ପାଇଁ କିଣିବ ?’’ ମିସେସ୍‍ ଶତପଥୀଙ୍କ କଥା ଶୁଣି ଅକ୍ଷୟ କହିଲା,’‘ଧେତ୍‌, ତା’ର କ’ଣ ହେବ, ଗୋଲାପି ଶାଢ଼ୀ ପିନ୍ଧିବାକୁ ଗୋଲାପି ମନଟେ ଦରକାର । ଗୋଲାପି ନିଶାରେ ମସଗୁଲ୍‍ ହେବା ଦରକାର । ଅତିକମରେ ଆପଣଙ୍କ ପରି ଚମ୍ପା ରଙ୍ଗର ଦେହଟେ ଦରକାର ।’’ ‘‘ସୁଜାତାର କ’ଣ ଗୋଲାପି ମନ ନାହିଁ ?’’ ଅକ୍ଷୟ ଏଥର ଚିଡ଼ି ଉଠିଲା ମିସେସ୍‍ ଶତପଥୀଙ୍କ କଥାରେ । ‘‘ଗୋଲାପି ମନ ନା ଛେନା ଗୁଡ଼, ତା’ର ମନ ବୋଲି କିଛି ନାହିଁ । ସେ ଗୋଟେ ପୁରୁଣା ମଡ଼େଲ ମେସିନ୍ । ବାସନ ମାଜିବ, ଲୁଗା କାଚିବ, ଗୋଡ଼ ଚିପିବ, ପେଟେ ଖାଇବ, ଗଧ ଭଳି ଶୋଇବ । ଧେତ୍ ବୋରିଂ ।’’ ପାଖରେ ବସିଥିବା ଯୁବକଟି ମନକୁ ମନ କହିଲା,’‘କାହାକୁ ସଜ ହେବାକୁ ଭଲ ଲାଗେନି ! ସ୍ୱାମୀଟି ଯଦି ସ୍ତ୍ରୀଟିକୁ ଇଗନୋର କରେ, କିଛି ପଇସା ଦେଇଦେଲେ, ପରିବାର ପାଇଁ ବହୁତ କିଛି କରିଦେଲା ବୋଲି ଭାବେ, ସ୍ତ୍ରୀଟେ କରିବ କ’ଣ ନିଜକୁ ଅବହେଳା କରିବା ଛଡ଼ା ?’’

 

ନିଜ ପୁଅଠାରୁ ଚାର ପାଂଚ ବର୍ଷ ବଡ଼ ଗୋଟିଏ ପିଲାର ଘରୋଇ ବ୍ୟାପାରରେ ଆଗ୍ରହ ନ ଥିଲା ମିସେସ୍ ଶତପଥୀଙ୍କର । ସେ କ’ଣ ଠିକା ନେଇଛନ୍ତି ସବୁ ମଣିଷ ଭିତରର ଅଳନ୍ଧୁ ସଫା କରିବା ପାଇଁ ? ସୁଜାତା ସପକ୍ଷରେ କହି ସେ କାହିଁକି ହରାଇବେ ଅକ୍ଷୟକୁ । ମହକୁଥିବା ସଂଜ ସେମିତି ମହକୁ ଥାଉ । ସେ ଉଠିଲେ ଫିକା ନୀଳ ରଂଗର ପରଦା ଆଡ଼େଇ ଭିତରକୁ ଗଲେ । ଯୁବକଟି ହତାଶ ହୋଇ କହିଲା, ‘‘ସାର୍‌ ତ ନାହାନ୍ତି କିଛି ହୋଇପାରିବନି । ସାର ମୋର ଶେଷ ଆଶା ଥିଲେ । ଧେତ୍ ମୋ ଜୀବନ ଅଂଧାର ହିଁ ଅଂଧାର ହୋଇ ରହିବ । କ୍ୟାଣ୍ଡେଲଟିଏ ବି ଜଳି ଉଠିବନି । ଅକ୍ଷୟ କହିଲା,’‘ଆଃ.. ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ । କେହିନା କେହି ତୋ ଜୀବନରେ କ୍ୟାଣ୍ଡେଲଟିଏ ଜାଳି ଦେବ ।’’ମିସେସ୍ ଶତପଥୀ ବାଉଁଶ ଟ୍ରେରେ କଡ଼ା ‘‘ଲେମନ୍ ଟି’ ତିନି କପ୍ ଆଣି ଟିପୟ ଉପରେ ରଖିଲେ । ଲାଲ ଚା’ ଭିତରେ ଗୋଲ ଗୋଲ ହୋଇ କଟା ହୋଇଥିବା ଲେମ୍ବୁ ବୁଡ଼ି ବୁଡ଼ି ଯାଉଥିଲା । କପ ଉପରେ ଉଠୁଥିବା ବାମ୍ଫ ନାକରେ ବାଜୁ ନ ବାଜୁ, ଅକ୍ଷୟ କପଟି ଉଠାଇଲା । ପାଖରେ ବସିଥିବା ଯୁବକଟି ଚା’ ପିଏନି, ପିଇଲାନି । ସେ କପ୍‌ଟି ସେମିତି ଥୁଆ ହୋଇ ରହିଲା । ମିସେସ୍‍ ଶତପଥୀ ଓଡ଼ିଶୀ ଛନ୍ଦରେ କପ୍ ଉଠାଇଲେ ଏବଂ ପିଇଲେ - । ଅକ୍ଷୟ ମୁଗ୍ଧ, ଯୁବକଟି ବୋର୍‌, ମିସେସ୍‍ ଶତପଥୀ ରସସିକ୍ତ ।

 

‘‘ମାଡ଼ାମ୍‍ ! ଆପଣଙ୍କୁ ଦେଖିଲେ ଯେହେଲେ କହିବ ଆପଣ ପ୍ଲସ ଥ୍ରି ପଢ଼ୁଛନ୍ତି ।’’ ଅକ୍ଷୟର କଥା ଶୁଣି ମଧୁର ହସଟେ ହସିଲେ ମିସେସ୍ ଶତପଥୀ । ‘‘ଆରେ, ମୋତେ ତେଇଆଳିଶ ହେଲାଣି ।’’ ଅକ୍ଷୟ କହିଲା, ‘‘ସାଲୁଆର ପିନ୍ଧି ଯା’ନ୍ତୁନା କଲେଜ ଦେଖିବେ, ପ୍ଲସ୍ ଥ୍ରି ପିଲାମାନେ ଲାଇନ୍ ମାରିବେ ପାଗଳଙ୍କ ପରି ।’’ ‘‘ଧେତ୍ ତମ ସାର୍‌ଙ୍କୁତ ପାଗଳ କରି ପାରିଲିନି ? କାହିଁ ତମ ସାର୍ ତ ମୁଗ୍ଧ ହୋଇଯା’ନ୍ତିନି, ଅଟକି ଯା’ନ୍ତିନି ମୋତେ ଦେଖି ?’’ ଅଜ୍ଞାତ ଯୁବକଟି କହିଲା ମନେ ମନେ ଟେବୁଲ୍ ଉପରେ ଥୁଆ ହୋଇଥିବା ଫ୍ଲୋଟଂ ଫ୍ଲାୱାରକୁ ଅନାଇ ଅନାଇ, ‘‘ମାଳିର କାମ ହେଲା ଛେଳି ଜଗିବା, ଫୁଲକୁ ଦେଖିବାକୁ ତା’ର ବେଳ କାହିଁ ?’’

 

ପାୱାର କଟ୍ ହେଲା ଏତିକିବେଳେ । ‘‘ଏ ଦିନେ କି ପାୱାର କଟ୍ ହେଉଛି, ଆଗରୁ ଜାଣିଥିଲେ ସିନା କିଏ ସାଇତି ରଖିବ କ୍ୟାଣ୍ଡେଲ ।’’ ପିଲାଟିକୁ ସୁଯୋଗ ମିଳିଗଲା, ଟିକେ ବାହାରେ ବୁଲି ଆସିବ । ଭାରି ଫଷ୍ଟ୍ରଟେଡ଼୍‍ ଅଛି ସେ ଏଇ କେତେଦିନ ହେବ । ସେ କହିଲା,’‘ମୁଁ କ୍ୟାଣ୍ଡେଲ ନେଇ ଆସୁଛି ।’’ ମିସେସ୍ ଶତପଥୀ ରୁହ କହି ସେଲ ଫୋନ୍‌ର ଲାଇଟରେ ଘରଭିତରକୁ ଗଲେ କିଛି ଖୁଚୁରା ପଇସା ପିଲାଟିକୁ ଆଣିଦେଲେ । ପିଲାଟି ଚାଲିଗଲା ।

 

ସହଜ ହୋଇ ଉଠିଲା ଅକ୍ଷୟ । ଷୋହଳ ବର୍ଷର ଝିଅଟେ ପରି ବସିଲେ ମିସେସ୍‍ ଶତପଥୀ । ପବନ କାମିନୀ ଫୁଲର ବାସ୍ନା ତୋଳି ଆଣି ବିଞ୍ଚି ଦେଉଥାଏ ଡ୍ରଇଂରୁମ୍ ସାରା । ଚେନାଏ ଜହ୍ନ ଆଲୁଅ ଘର ଭିତରକୁ ପଶି ଆସୁଥାଏ । କାଣି ଆଙ୍ଗୁଠିରେ ଗୁଡ଼ାଇଥିବା ରବରକୁ ସେ କାଢ଼ିଲେ, ଚୁଟି ସବୁକୁ ଏକାଠି କରି ବାନ୍ଧିଲେ । ଅକ୍ଷୟ ତରଳିବାକୁ ଲାଗିଲା । କହିଲା, ‘‘ଯାହା କୁହନ୍ତୁନା ମାଡ଼ାମ୍‍ କାନ୍ଧ ପର୍ଯ୍ୟନ୍ତ ରହିଥିବା ଚୁଟିର ଚାର୍ମ ଅଲଗା । ଖୋଲିଦେଲେ ବିଛେଇ ହୋଇ ପଡ଼ିବ ପିଠି ସାରା । ବାନ୍ଧିଦେଲେ ଜାକି ଜୁକି ରହିଯିବ । ଆଉ ଲମ୍ବା ବେଣୀ । ବୋରିଂ । ଲମ୍ବା ସାପଟେ ପରି ଲମ୍ବିଥିବ । ମୁଣ୍ଡ ଉପରର ଚୁଟି ସବୁ ଫଣା ପରି ଦିଶୁଥିବ, ତଳକୁ ଝୁଲୁଥିବା ଅଂଶ ଲାଙ୍ଗୁଡ଼ । ସୁଜାତାକୁ କେତେଥର କହିଲିଣି ଚୁଟି କାଟି ଦେ । ସେ କ’ଣ କହିବ ନା, ‘‘ଚୁଟି ଖୋଲା କଲେ ନାରୀର ଇଜ୍ଜତ୍ ପଦାରେ ପଡ଼ିଯିବ, ମର୍ଯ୍ୟାଦା ରହିବନି । ଧେତ୍ ଯେତେସବୁ ମରହଟ୍ଟା କଥା-।’ ମଉଜ କର ମସ୍ତି କର, ଜୀବନକୁ ଉପଭୋଗ କର । ଆଦର୍ଶ ଫାଦର୍ଶ ଯେତେସବୁ ବେକାର କଥା-। ‘‘ଯାବତ୍ ଜୀବେତ୍ ସୁଖେ ଜୀବେତ୍‌, ଋଣ କୃତ୍ୱା ଘୃତଂ ପୀବେତ୍ ଭସ୍ମୀ ଭୂତସ୍ୟ ଦେହସ୍ୟ ପୁନରାଗମନ କୁତଃ ।’ ହୁଁ... ହୁଁ ଚାର୍ବାକ କ’ଣ ମୂର୍ଖ ଥିଲେ ।’’

 

ମିସେସ୍‍ ଶତପଥୀ ମୂକ । ଅକ୍ଷୟ ପ୍ରଗଳ୍ଭ । ଓଃ ତାକୁ ଏତେ ଦିନକେ ଗୋଟିଏ ବଢ଼ିଆ ଶ୍ରୋତା ମିଳି ଯାଇଛି । ଏତିକି ବେଳେ ଜହ୍ନକୁ ବାଦଲ ଢ଼ାଙ୍କିବାକୁ ଥିଲା । ଚାରିଆଡ଼ କିଟି କିଟି ଅଂଧାର । ପିଲାଟି ଏ ପର୍ଯ୍ୟନ୍ତ ଆସୁନି, କ’ଣ କରୁଛି ସେ !! ମିସେସ୍‍ ଶତପଥୀ ଠାକୁର ଘରୁ ଦୀପ ଆଣି ଲଗାଇଲେ । ଅକ୍ଷୟ ସୋଫା ଉପରେ ବସିଥାଏ ସେମିତି । ‘‘ଓଃ କି ଗରମ ।’’ ସେ କହିଲା । ମିସେସ୍‍ ଶତପଥୀ କହିଲେ, ‘‘ଚାଲ ଲନରେ ବସିବା, ସଫା ଜହ୍ନ ପଡ଼ିଲାଣି ।’’

 

ଅକ୍ଷୟ ଠିଆ ହେଲା, ଠିଆ ହେଲେ ମିସେସ୍ ଶତପଥୀ । ଅକ୍ଷୟ ଉତୁରି ପଡ଼ୁଥିବା କ୍ଷୀର ପରି ଉତୁରି ଉତୁରି ପଡ଼ୁଥିଲା । ମିସେସ୍‍ ଶତପଥୀ ଆଗକୁ ପାଦ ବଢ଼ାଉଥିବାବେଳେ ଅକ୍ଷୟ ତାଙ୍କୁ ଛନ୍ଦି ଦେଇଥିଲା ନିଜର ସବଳ ବାହୁ ଭିତରେ । ଜୁଆରିଆ ନଈ ପରି ମାଡ଼ି ମାଡ଼ି ଚାଲୁଥିଲା ସେ । ହାରମୋନିୟମର ରିଡ଼ରରେ ଆଙ୍ଗୁଳି ସଂଚାଳନ କଲା ଭଳି ସେ ଅଙ୍ଗୁଳି ଛୁଇଁ ଚାଲିଥିଲା ମିସେସ୍‍ ଶତପଥୀଙ୍କ ଦେହରେ । ମିସେସ୍‍ ଶତପଥୀ କ’ଣ ଗୋଟେ ହାରମୋନିୟମ ! ଅକ୍ଷୟ ସବୁ ଭୁଲି ଯାଇଛି, ଆଙ୍ଗୁଳି ସବୁକୁ ଛୁଆଇଁ ଚାଲିଛି ତାଙ୍କ ଦେହସାରା ।

 

ସେ ମୂକ, ସେ ପଥର, ସେ ବରଫ । ଥାପଡ଼ଟେ ଦେଇପାରୁ ନାହାନ୍ତି ଅକ୍ଷୟର ଗାଲରେ, ଶିହରିତ ହୋଇ ଉଠୁ ନାହାନ୍ତି ଭିତରେ ଭିତରେ, ଜାବୁଡ଼ି ଧରୁ ନାହାନ୍ତି ଆବେଗରେ ଅକ୍ଷୟକୁ । ଅକ୍ଷୟ କିନ୍ତୁ ପାଗଳ ପରି ଆଙ୍ଗୁଳି ବୁଲାଇ ଚାଲିଛି । କେଉଁ ରାଗରେ, କେଉଁ ତାନରେ, କେଉଁ ସ୍ୱରରେ ସେ କଂପୋଜ କରିବ ଗୀତ, ଆଦିମ ଗୀତ । ମିସେସ୍‍ ଶତପଥୀଙ୍କ ଶାଢ଼ୀ ଖସି ପଡ଼ିଛି କାନ୍ଧରୁ । ଦୀପଟା ଲିଭିଯାଇଛି ବାହାରର ପବନରେ । ଅକ୍ଷୟର ଆଙ୍ଗୁଳି ଥକି ଯାଉଛି । ଆଃ ତାଙ୍କର ରିଡ଼୍‍ ସବୁ କ’ଣ ଘୁଣ ଖିଆ !!

 

କରେଣ୍ଟ ଆସିଛି । ଅକ୍ଷୟ ଠିଆ ହୋଇଛି ସେଇଠି । ମିସେସ୍ ଶତପଥୀ ଚଟାଣରେ ଘୁଷୁରୁଥିବା ଶାଢ଼ୀକୁ କାନ୍ଧ ଉପରେ ପକାଇ ଚାଲିଯାଉଛନ୍ତି ନୀଳ ପରଦା ଆଡ଼ାଇ ଭିତରକୁ । ଥରଟେ ଅନାଉ ନାହାନ୍ତି ଅକ୍ଷୟକୁ । ଅକ୍ଷୟ ସ୍ଥିର, ଚୁପ୍‌, ବତାସ ପରେ ଯେମିତି ଦଶେ ଆକାଶ, ଯେମିତି ଦିଶେ ମାଟି ଯେମିତି ନୀରବିଯାଏ ପବନ ।

 

ପବନରେ ଧିରେ ଧିରେ ହଲୁଛି ନୀଳ ରଂଗର ପରଦା । ସେକେଣ୍ଡ ପରେ ସେକେଣ୍ଡ, ମିନିଟ୍ ପରେ ମିନିଟ୍ ବିତି ଯାଉଛି । ମିସେସ୍‍ ଶତପଥୀ କ’ଣ କରୁଛନ୍ତି ଘର ଭିତରେ !! କାନ୍ଦୁଛନ୍ତି, ମୂକ ହୋଇଯାଉଛନ୍ତି, ଗାଧୋଉଛନ୍ତି ନା ଆତ୍ମହତ୍ୟା .... । ଆଉ ଚିନ୍ତାକରିପାରିଲାନି ସେ । ସବୁ ବୟସର ନାରୀ ସମାନ ସେ ଷୋହଳ ହେଉ ବା ଷାଠିଏ । ପ୍ର୍ରିୟ ପୁରୁଷଟିର ପାଖରେ ନିଜର ସବୁକିଛି ସମର୍ପି ଦେବ ଆରାମରେ । ଅନ୍ୟ ପୁରୁଷଟି ଛୁଇଁ ଦେଲେ ସର୍ବନାଶ । ରାତି ଗାଢ଼ ହେବାରେ ଲାଗିଥିଲା । ଯୁବକଟିକୁ ଅପେକ୍ଷା କରିବାର ଧୈଯ୍ୟ ସେ ହରାଇ ବସିଥିଲା । ସୁଜାତାର ଝାଳୁଆମୁହଁ କେମିତି ଗୋଟେ ହାତଠାରି ଡାକିଲା । ସେ କିଛି ବି ନ କହି ଥରଟେ ବି ପଛକୁ ନ ଚାହିଁ ଚାଲିଲା ..... ।

 

ଯୁବକଟି ଆସିଲା କ୍ୟାଣ୍ଡେଲ ଧରି । ବାହାରେ ଅକ୍ଷୟର ବାଇକ ନାହିଁ, ଗେଟ୍ ପାଖରେ ତା’ର ଚପଲ ନାହିଁ । କୁଆଡ଼େ ଗଲା ସେ । ବ୍ୟସ୍ତ ହୋଇ ପଡ଼ିଲା ଯୁବକ । ତା’ର ବେଳା ଭଲ ନାହିଁ । କେମିତି ଯିବ ସେ ଘରକୁ । ଟାଉନ୍ ବସ୍ କ’ଣ ମିଳିବ ? ଆଉ ଅଟୋ... ?

 

ଏଥର ଯୁବକଟି ବାରମ୍ବାର କଲିଂବେଲର ସୁଇଜ୍ ଚିପିଲା । କ୍ୟାଣ୍ଡେଲଟି ଦେବାକୁ ପଡ଼ିବ । ଅକ୍ଷୟର ଖବର କିଛି ମିଳିଯାଇପାରେ । ଅକ୍ଷୟ ତ ତାକୁ ଛାଡ଼ି ଦେଇ ଯିବାର ନ ଥିଲା !! ନା, ଆସୁ ନାହାନ୍ତି ମିସେସ୍ ଶତପଥୀ, କୁଆଡ଼େ ଗଲେ ଦୁଆର ମେଲାକରି । ଯୁବକଟି ସାହସ କରି ଭିତରକୁ ପଶିଲା, ତାକୁ କ୍ୟାଣ୍ଡେଲ ଦେବାର ଅଛି । ଡ୍ରଇଁ ରୁମ୍‌ର ଲାଇଟ୍ ଜଳଛି । କେହିବି ନାହିଁନ୍ତି... । ଘର ଭିତର ଅଂଧାର । ତା’ର ଆଉ ସାହସ ହେଲାନି ଘର ଭିତରକୁ ଯିବାକୁ । କ୍ୟାଣ୍ଡେଲଟିକୁ ଟିପୟ ଉପରେ ରଖିଲା ଏବଂ ଘର ଆଡ଼େକୁ ମୁହାଁଇଲା । କବାଟ ସେମିତି ଠିଆ ମେଲା ଥିଲା । ସେମିତି ଝୁଲୁଥିଲା ନୀଳ ରଂଗର ପରଦା ।

 

ଦସ୍ୟୁ

 

ସୁଦିପ୍ତା ଭାରି ବ୍ୟସ୍ତ ଆଜିକାଲି ଦୀପଙ୍କର ପାଇଁ । ସେତେ ବ୍ୟସ୍ତ ନୁହଁ ତା’ର ଛ’ବର୍ଷର ଗୁଡୁ ପାଇଁ । ଦୀପଙ୍କରର କ’ଣ ଦେହ ଖରାପ ? ନା... । ସେ କ’ଣ କେଉଁ ଝିଅର ପ୍ରେମରେ ପଡ଼ିଯାଇଛି... । ନା... । ରୋଜଗାର କମିଯାଇଛି... ? ନା... । ସବୁକିଛି ଠିକ୍ ଚାଲିଥିଲାବେଳେ ସୁଦୀପ୍ତାର ଦୁଶ୍ଚିନ୍ତା କାହିଁକି ବଢ଼ି ବଢ଼ି ଯାଉଛି । କାହିଁକି ତା’ର ଆଖିତଳ କଳା ପଡ଼ିଯାଉଛି ।

 

ସୁଦିପ୍ତା ବେଶ୍ ରଙ୍ଗୀନ ରଙ୍ଗୀନ ଶାଢ଼ୀ ପିନ୍ଧୁଛି, ରଙ୍ଗୀନ ନିଶାରେ ମସଗୁଲ୍‍ ଥିଲାପରି ଦିଶୁଛି । ତଥାପି ତା’ ଭିତରଟା ଏତେ ଫାଙ୍କା ଫାଙ୍କା କାହିଁକି ? ଭିତରେ ସେ ଏତେ ବେଶୀ ଉଦାସ କାହିଁକି ହେଇଯାଉଛି । ସୁଦିପ୍ତା କେବେ ପ୍ରେମ କରିନଥିଲା । ସେ ତା’ର ଭଲ ପାଇବାଟା ପ୍ରକାଶ କରିପାରିନି ଠିକ୍‍ଭାବେ । ଦୀପଙ୍କର ଫେରିବାର ଘଣ୍ଟାଏ ଡେରି ହେଲେ ସେ ବିବ୍ରତ ହୋଇଉଠେ । ସାତ ସମୁଦ୍ର ତେର ନଇଁ ଡେଇଁ ଦୀପଙ୍କର ପାଇଁ ଖୁସି ସବୁ ସାଉଁଟି ଆଣିବାକୁ ସେ ଚେଷ୍ଟା କରେ ।

 

ସୁଦିପ୍ତା ସବୁବେଳେ ଅଳ୍ପରେ ସନ୍ତୁଷ୍ଟ, ଛୋଟ ଛୋଟ ଜିନିଷରେ ତା’ର ମନ ପୁରି ଉଠେ ।

 

ଗର୍ଡ଼େଜ୍ ଭର୍ତ୍ତି ଶାଢ଼ୀ ଦେଖି ଭାବେ ଏତକ ଶାଢ଼ୀ ପିନ୍ଧିବାକୁ ତା’ର ଆୟୁଷ ଅଛିତ ? ନୂଆ ଶାଢ଼ୀଟିଏ ହେଲେ ପୁରୁଣା ଶାଢ଼ୀ ସେ କାହାକୁନା କାହାକୁ ଦେଇଦିଏ, ସେ ଶାଢ଼ୀ ଯେତେ ଭଲ ହେଉନା କାହିଁକି ? ଦୀପଙ୍କର ସବୁବେଳେ ଅସନ୍ତୁଷ୍ଟ । ନିଜ ସ୍ଥିତାବସ୍ଥାରେ ସେ କେବେବି ସନ୍ତୁଷ୍ଟ ନୁହେଁ । ଆଜି ଯଦି ସ୍କୁଟର କିଣିଲା କାଲି କାଲିବର କାଲି ସାଣ୍ଟ୍ରୋ କିଣିବ ? ସାଣ୍ଟ୍ରୋ କିଣିଲେ ବି ସେ କ୍ୱାଲିସର ସ୍ୱପ୍ନ ଦେଖିବ । ସବୁ ମାସରେ ରଙ୍ଗୀନ ଡ୍ରେସ, ଚପଲ, ଟୋପି ନ କିଣିଲେ ତାକୁ ଭଲ ଲାଗେନି । ଖାଲି ନିଜ ପାଇଁ ସେ କିଣେ ତା’ନୁହେଁ ସୁଦିପ୍ତା ପାଇଁ ଭଳିକି ଭଳି ଚପଲ ଗୁଡୁ ପାଇଁ ଯେତେ ଦାମିକିଆ କଲରଫୁଲ ଡ୍ରେସ କିଣେ ।

 

ସୁଦିପ୍ତାର ଦୁଶ୍ଚିନ୍ତା ଏଥିପାଇଁ ବଢ଼ୁଛି କି ନା ବିଲକୁଲ ନୁହେଁ । ଦୀପଙ୍କର ଯେତେବେଶୀ ସୁନ୍ଦର ଦିଶିଲେ ସୁଦିପ୍ତା ସେତେବେଶୀ ସତେଜ ଦିଶେ । ସୁଦିପ୍ତାର ଇଚ୍ଛା ଦୀପଙ୍କର ବହୁତ ଗପ ଲେଖିବ । ବଡ଼ ସିଙ୍ଗର ହେବ, ଭଲ କଭର ଡିଜାଇନ କରିବ । କରୁ ସେଥିପାଇଁ ତ ସୁଦିପ୍ତା ଆତ୍ମ ସନ୍ତୋଷ ପାଏ । ଦୀପଙ୍କର ଗୋଟେ ଗୀତ କମ୍ପୋଜ କରିଦେଲେ ଭାରି ଖୁସି ଖୁସି ରହେ । ଦୀପଙ୍କର ଖୁସି ହେବାର ଦେଖିଲେ ମହକିଯାଏ ସୁଦିପ୍ତା ଭିତରେ ଭିତରେ । ତାକୁ ଲାଗେ ସେ ଏକ ଭାଗ୍ୟବତୀ ନାରୀ ।

 

ସୁଦିପ୍ତା ଯେତେବେଳେ ବାହାହେଲା, ସେତେବେଳେ ଦୀପଙ୍କର ଚାକିରି କରୁଥିଲା । ଅଳ୍ପ ଦରମା । ତଥାପି ଦୁହେଁ କେତେ ଖୁସି ଖୁସିରେ ବଂଚୁଥିଲେ, ତାଙ୍କ ଭିତରକୁ କେହି ତୃତୀୟ ବ୍ୟକ୍ତି ପଶି ଆସୁନଥିଲେ । ସକାଳୁ ଦୀପଙ୍କର ଡେରିରେ ଉଠେ । ସୁଦିପ୍ତା ସକାଳୁ ନିଜକାମ, ଘରକାମ, ପୂଜା, ରୋଷେଇ, ଦୀପଙ୍କର ପାଇଁ ଟିଫିନ୍ ବାକ୍ସରେ ଟିଫିନ୍ ସଜାଡ଼ି ସାରିଲାପରେ ଦୀପଙ୍କର ଉଠେ । ତରତର ହୋଇ ନିତ୍ୟକର୍ମ ସାରି ଖାଇବାକୁ ବସିପଡ଼େ । ଦୀପଙ୍କର ଖାଇସାରି ଅଫିସ ଗଲାପରେ, ସୁଦିପ୍ତା ବାସନ ମଜାମଜି, ଲୁଗା କଚା ସାରି ବାହାରି ପଡ଼େ ତାଙ୍କ ମ୍ୟାଗାଜିନ ପାଇଁ କିଛି ଆଡ଼୍ ପାଇଁ ବା ପ୍ରେସରେ ଛପାଛପି ଦେଖିବାକୁ । ସୁଦିପ୍ତା ଖୁବ୍ ଶୀଘ୍ର ଫେରିଆସେ ଘରକୁ । ଦୀପଙ୍କର ଫେରିବା ଡେରିଥାଏ । ସୁଦୀପ୍ତା ଚାରିଟାବେଳେ ଖାଇବା ପାଇଁ ଖାଦ୍ୟ ପ୍ରସ୍ତୁତ କରେ ତା’ପରେ କମ୍ପ୍ୟୁଟର ସାମ୍ନାରେ ବସିପଡ଼େ ଡି.ଟି.ପି. ପାଇଁ ।

 

ସଂଧ୍ୟାବେଳେ ଟିକେ ବୁଲିବା ପାଇଁ ଦୁହେଁ ବାହରନ୍ତି । ସୁଦିପ୍ତାର ଆଗରୁ ଅଭ୍ୟାସ ନ ଥିଲେ ବି, ଦିପଙ୍କର ସାଙ୍ଗରେ ମିଶି ଚାଟଖାଏ, ଚାଟ ଖାଇଲାବେଳେ ଦୁହେଁ ଗପନ୍ତି, ସାଙ୍ଗସାଥୀ, ନିଜର କାମ କଥା... । ସତର୍କ ହୋଇ ଯାଆନ୍ତି କିଏ କାଳେ ତାଙ୍କ କଥା ଚୋରି କରିବ । ଚାଟ ଖାଇଲା ପରେ ଗୁପ୍‌ଚୁପ୍ ପୁଣି ଆଇସକ୍ରିମ ନ ହେଲେ ଫ୍ରୁଟ୍ ଜୁସ୍ । ସୁଦିପ୍ତା ସବୁବେଳେ ମାପିଚୁପି ଖର୍ଚ୍ଚ କରେ ଦୀପଙ୍କର କିନ୍ତୁ ବିନ୍ଦାସ୍ । ଖର୍ଚ୍ଚ କରୁଥିବ ତ କରୁଥିବ... । ଦିପଙ୍କର ସମସ୍ତଙ୍କଠୁ ଅଲଗା... । ପୁରା ୟୁନିକ୍ ।

 

ଖାଇସାରି ସେମାନେ ସିଧା ଯାଆନ୍ତି ସିଡ଼ି ଦୋକାନକୁ । ଦୀପଙ୍କର ବହୁତ ସମୟ ଲଗାଏ ସିଡ଼ି ସିଲେକ୍ସନ କରିବାକୁ । ତା’ପରେ ସେମାନେ ଘରକୁ ଫେରନ୍ତି । ଘରକୁ ଫେରି ସୁଦିପ୍ତା ପୂଜା କରେ ରୋଷେଇ କରେ । ଦିପଙ୍କର କମ୍ପ୍ୟୁଟର ସାମ୍ନାରେ ବସିଲେ ଲେ-ଆଉଟ୍‍ କରେ, ସୁଦିପ୍ତାର ରୋଷେଇ ଶୀଘ୍ର ସରିଯାଏ । ଦିପଙ୍କରର ତଥାପି ସରିନଥାଏ ଲେ-ଆଉଟ୍‍ । ସୁଦିପ୍ତା ଧୀରେ ଧୀରେ ଛାତ ଉପରକୁ ଯାଏ ଜହ୍ନ ଦେଖେ, ଥଣ୍ଡା ପବନ ବାଡ଼ଉଥାଏ ଛାତ ଉପରେ... । ସୁଦିପ୍ତାକୁ ଭାରି ଭଲ ଲାଗେ ଏକ୍‌ଲା ଛାତ ଉପରେ ବସି ଜହ୍ନ ଦେଖିବାକୁ ।

 

ରାତିରେ ଖାଇସାରି ଦୀପଙ୍କର ସିଡ଼ି ଲଗାଇ ଫିଲ୍ମ ଦେଖେ । ସୁଦିପ୍ତା ଦୀପଙ୍କର ବାହୁ ଉପରେ ମୁଣ୍ଡ ରଖି ଫିଲ୍ମ ଶେଷ ହେବା ଆଗରୁ ଦୀପଙ୍କର ଛାତିରେ ମୁହଗୁଞ୍ଜି ଶୋଇ ପଡ଼ିଥାଏ । ସେ ସବୁବେଳେ ଭାବେ ଦୀପଙ୍କର ହାତ କାଟୁଥିବ... । କିନ୍ତୁ ପ୍ରତିଦିନ ଦୀପଙ୍କର ଛାତିରେ ମୁହଁ ନ ଗୁଞ୍ଜିଲେ ସୁଦିପ୍ତାକୁ ନିଦ ହୁଏନି । ଦୀପଙ୍କରର ଛାତିରେ ମୁହଁ ଗୁଞ୍ଜିଲେ ତା’ର ଦିନସାରାର କ୍ଲାନ୍ତି ସବୁ ଓହ୍ଲାଇଯାଏ, ସେ ନିରୁପଦ୍ରବ ବିଲେଇ ଛୁଆଟି ପରି ଶୋଇଯାଏ ।

 

ବାସ୍‌... କଟୁଥିଲା ଏମିତି ଦିନ, ବେଶୀ କଥାବାର୍ତ୍ତା ହେବାକୁ ସମୟ ନ ଥିଲା । କର୍ମପ୍ରବଣ ଥିଲା ସବୁ ସମୟ । ଆଖପାଖର ସ୍ତ୍ରୀଲୋକମାନେ ଏସବୁ କେମିତି ଜାଣନ୍ତି, ଟୁପ୍‌ଟାପ୍ ହୁଅନ୍ତି ଏମିତି ନୂଆ ନୂଆ ବାହା ହୋଇ କ’ଣ କଟେ ଜୀବନ ? ସୁଦିପ୍ତା ଦୀପଙ୍କରଙ୍କୁ ଏକଥା କହିଥିଲା । ଦୀପଙ୍କର କହିଲା ସବୁଦିନ ବର୍ଷାହେଲେ କ’ଣ ଭଲ ? ସୁଦିପ୍ତା ସନ୍ତୁଷ୍ଟ ଦୀପଙ୍କରର ଉତ୍ତରରେ । କାନ ଫେରେଇ ଆଣିଥିଲା ପାଖ ସ୍ତ୍ରୀଲୋକଙ୍କ ପାଖରୁ... । କେତେ ଖୁସିଥିଲା ସେ....-। ଏମିତି ଜୀବନ ତ ସେ ଚାହୁଁଥିଲା । ଭାବୁଥିଲା ଦୀପଙ୍କର ଛଡ଼ା ସେ ଆଉ କାହାପାଖରେ ଚଳିପାରିନଥାନ୍ତା । ଆଶ୍ଚର୍ଯ୍ୟ ଦୁହିଁଙ୍କର ଖାଦ୍ୟ ରୁଚି ମ୍ୟାଚ୍ କରିଯାଉଥିଲା ।

 

ଦିନେ ଜୋରରେ ବର୍ଷା ହେଉଥାଏ । ବର୍ଷା ସହିତ ଦୁହିଁଙ୍କ ସଂପର୍କ ଖୁବ୍ ଭଲ । ବର୍ଷାକୁ ଦୁହେଁ ଖୁବ୍ ଭଲପାଆନ୍ତି । ବାହାଘର ପୂର୍ବରୁ ସୁଦିପ୍ତା ସହିତ ଯେଉଁଦିନ ଦେଖାହୁଏ ଦୀପଙ୍କରର ସେଦିନ ଠିକ୍ ସେତିକିବେଳେ କେମିତି ବର୍ଷା ହୁଏ ।

 

ସୁଦିପ୍ତା ପରି ନିବୁଜ କୋଠରୀରେ ରହୁଥିବା ଝିଅ ଉପରେ ପ୍ରବଳ ବିରକ୍ତି ଦୀପଙ୍କରକୁ-। ଦେଖାହେଲେ ବାଟ ଭାଙ୍ଗି ଚାଲିଯିବ । କେବେହେଲେ ଆମ୍ରକୁଞ୍ଜରେ ବସିବନି, ନିଜ ହଷ୍ଟେଲ୍ ସାମ୍ନାରେ ଠିଆ ହେବନି ଦିପଙ୍କରର ହଷ୍ଟେଲକୁ ଆସିବନି । ଚିଠି ଦବନି । କଥାହେବନି । ଏ ଝିଅଟାଦ୍ୱାରା କେବେ ପ୍ରେମ ଫ୍ରେମ ହେବନି । ସେ ଏକ ଶୁଖିଲା ନଈ । ଦୁଇଟା ଚିଠି ଦେଇଥିଲା । ସେ କ’ଣ ଲେଖାହେଇଥିଲା ବୁଝି ନ ପାରି ଫେରାଇ ଦେଇଥିଲା । ବୋରିଂ... । ଭାରି ବିରକ୍ତି ଲାଗେ ଦିପଙ୍କରକୁ ସୁଦିପ୍ତା ଉପରେ । ତଥାପି ଦେଖାହେଲେ ଭାରି ଭଲଲାଗେ ଦିପଙ୍କରକୁ ।

 

ସୁଦିପ୍ତା କ୍ୱଚିତ୍ ଦେଖାହୁଏ ଦିପଙ୍କରର । ଦୁହେଁ ଗୋଟିଏ ୟୁନିଭରସିଟିରେ ପୁଣି ପାଖାପାଖି ଡିପାର୍ଟମେଣ୍ଟରେ ପଢ଼ୁଥିବାବେଳେ । ଆଉ ସୁଦିପ୍ତା ଯେବେ ଦେଖାହୁଏ ସେବେ ବର୍ଷା ହୁଏ । ସେଥିପାଇଁ ଦୀପଙ୍କର ମନେ ମନେ ସୁଦୀପ୍ତାର ନାଁ ଦେଇଥିଲା ‘‘ବର୍ଷା’’ ।

 

ସୁଦୀପ୍ତା ଓ ଦୀପଙ୍କର ବାହାଘର ପରେ ଦୀପଙ୍କର କହିଥିଲା: ‘‘ତମ ସହିତ ଏତେ ପାଖରୁ କଥାହେବା ମୋ ପାଇଁ ସ୍ୱପ୍ନ ଥିଲା । ଆଜି ମୁଁ ତମକୁ ଛୁଇଁ ପାରୁଛି । ସୁଦୀପ୍ତା ମନରେ କିନ୍ତୁ ଅବଶୋଷ ରହିଯାଇଥିଲା । ଦୀପଙ୍କରକୁ ପ୍ରେମ ନ କରିବାର ଅବଶୋଷ । ସୁଦିପ୍ତା ଦେଖିଥିଲା ଦୀପଙ୍କର ପ୍ରେମ କରୁଥିବା ସେଇ ଝିଅ ମାନୀକୁ କେତେ ସୁନ୍ଦରକୁ ସୁନ୍ଦର ଗିପ୍ଟ ଦେଇଥିଲା, କିନ୍ତୁ ସେ ଝିଅ ଚାରିମାସ ପ୍ରେମ କରିବାପରେ ଆଉ ଏକ ପୁଅକୁ ପ୍ରେମ କଲା ଦାମୀ ଉପହାର ଲୋଭରେ । ସୁଦିପ୍ତା ମନଟା ଭାରିଦୁଃଖ ହୁଏ କାହିଁକି ସେ ପ୍ରେମ କଲାନି ଦୀପଙ୍କରଙ୍କୁ । କିନ୍ତୁ ସେ ଏସବୁ ବାବଦରେ ଖୁବ୍ ବେଶୀ ରକ୍ଷଣଶୀଳ ଥିଲା ସେତେବେଳେ । ସତ ଭଲପାଇବାର କେବେ ନଷ୍ଟ ହୁଏନି । ଦୀପଙ୍କର, ତାକୁ ମନେ ମନେ ଭଲ ପାଉଥିଲେ ବୋଲି ତାକୁ ପାଇଲା ।

 

ବର୍ଷା ଛାଡ଼ୁ ନ ଥିଲା, ସୁଦିପ୍ତା ଝରକା ପାଖରେ ବସି ବାହାରକୁ ଅନଉଥିଲା । ବର୍ଷାର ଛିଞ୍ଚିଡ଼ାରେ ତା’ର ଗାଲ, ହାତ, ଦେହ, ଶାଢ଼ୀ ଭିଜୁଥିଲା... । ତଥାପି ସେ ଅନାଇ ରହିଥିଲା, ବର୍ଷାର ବେଗ ବଢ଼ୁଥିଲା । ପବନରେ ଗଛଗୁଡ଼ିକ ଖୁବ୍ ଜୋରରେ ଦୋହଲୁଥିଲା । ସମସ୍ତଙ୍କ ଘରର ଝର୍କାବନ୍ଦ ଥିଲା । ଲାଇନ କଟି ଯାଇଥିଲା । ସୁଦିପ୍ତାର ଘର ଅଂଧାର ଥିଲା, ଅଧାଂର ଥିଲା କଲୋନୀର ରାସ୍ତାଘାଟ । ମଝିରେ ମଝିରେ ବିଜୁଳି ମାରୁଥିଲା । ସୁଦିପ୍ତା ବସିଥିଲା ଝର୍କା ପାଖରେ । ଦୀପଙ୍କର ଆସୁନଥିଲା ସମୟଟା ଖୁବ୍ ଦୀର୍ଘ ଦୀର୍ଘ ଲାଗୁଥିଲା ।

 

ରାତି ନ’ଟା ତିରିଶ ହେବ ଦୀପଙ୍କର ଆସିଲା । ପୁରା ଭିଜି ଯାଇଥିଲା । ତା’ର ସାର୍ଟ, ପ୍ୟାଣ୍ଟ୍‌, ମୁଣ୍ଡର ଚୁଟି । ଲୁଗାପଟା ବଦଳାଇ ସେ ତା’ ଟ୍ରାଉଜର, ବ୍ଲୁରଙ୍ଗର ବ୍ୟାନିୟନ ପିନ୍ଧଲା । ସୁଦିପ୍ତା ଟାୱେଲରେ ଦିପଙ୍କର ମୁଣ୍ଡ ପୋଛି ଦେଉଦେଉ ଦିପଙ୍କର କହିଲା - ମୁଁ ଏ ଚାକିରି ଛାଡ଼ିଦେବି । ଆଉ କେଉଁଠି ଟ୍ରାଏ କରିବି ? କ’ଣ କହୁଛ ? ସୁଦିପ୍ତା କହିଲା, ‘‘ତମକୁ ଏ ଚାକିରୀ ଭଲ ଲାଗୁନି ଛାଡ଼ିବ ମତେ ପଚାରୁଛ କ’ଣ ? ସୁଦିପ୍ତାର ଦୀପଙ୍କର ଉପରେ ପ୍ରଗାଢ଼ ବିଶ୍ୱାସ । ସେତିକି ବିଶ୍ୱାସ ଅନ୍ୟ କାହା ଉପରେ ଛାଡ଼ ନିଜ ଉପରେ ବି ନ ଥାଏ ସୁଦିପ୍ତାର ।

 

ଚାକିରି ଛାଡ଼ିବା ପରେ ଆଉ କେଉଁଠି ଚାକିରୀ କରିବାକୁ ଇଛା କଲାନି ଦୀପଙ୍କର । ସେଥିପାଇଁ କ’ଣ ଦୁଶ୍ଚିନ୍ତା ଥିଲା ସୁଦୀପ୍ତାର-ନା ? ତା’ର ବିଶ୍ୱାସ ଥିଲା ଦୀପଙ୍କର ଉପରେ-ଦୀପଙ୍କର ଟ୍ୟାଲେଣ୍ଟ ଉପରେ । ଦୀପଙ୍କର ସମସ୍ତଙ୍କଠୁ ଟ୍ୟାଲେଣ୍ଟଡ୍ ଦୀପଙ୍କର ଷ୍ଟାଇଲ ସମସ୍ତଙ୍କଠୁ ନିଆରା, ସଂପୂର୍ଣ୍ଣ ସ୍ୱତନ୍ତ୍ର । ବହୁତ ବେଶୀ ମ୍ୟାଚୁଅଡ୍ ତା’ ଲେ-ଆଉଟରେ, କଭର ଡିଜାଇନରେ, ଲେଖାରେ, ଗୀତରେ । ସବୁଥରେ... । ସବୁଥିରେ ସେ ସ୍ୱତନ୍ତ୍ର... ।

 

ଏତେବେଶୀ ସ୍ୱତନ୍ତ୍ର, ଏତେବେଶୀ ନିଆରା, ଏତେବେଶୀ ଦିଲଦାର ଲୋକର ପତ୍ନୀ ହୋଇ ସୁଦିପ୍ତାର ବା’ ଚିନ୍ତା କ’ଣ ? ଦୁଶ୍ଚିନ୍ତା କ’ଣ ପାଇଁ ? କ’ଣ ପାଇଁ ସେ ଦିନ ଦିନ ନଖାଇ ରହିଯାଉଛି କ’ଣ ପାଇଁ ଅନ୍ୟମନସ୍କ ସବୁବେଳେ ।

 

ଦୀପଙ୍କର ଚାକିରି ଛାଡ଼ିଲାପରେ ତା’ ପାଖରେ ପ୍ରଚୁର ସମୟ ବଳିଲା । ନିଜ ସଂସ୍ଥାର କାମ କଲାପରେ ସୁଦିପ୍ତା ଖୁସି ହେଲା ଦୀପଙ୍କର ଏବେ ପ୍ରଚୁର ପଢ଼ିବ, ଲେଖିବ, ଦୁହେଁ ବହୁତ କଥା ହେବେ, ଗପ ବିଷୟରେ କବିତା ବିଷୟରେ, ଗାଳ୍ପିକ, କବିଙ୍କ ବିଷୟରେ, ସିନେମାଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁ ବିଷୟରେ ଆଲୋଚନା କରିବେ । ସାଙ୍ଗହୋଇ ମର୍ଣ୍ଣିୱାକ୍ ନ ହେଲା ନାହିଁ ଇଭିନିଙ୍ଗ୍ ୱାକ୍‌ରେ ବାହାରିବେ ଗୁଡୁକୁ ନେଇ । ପ୍ରଥମେ ପ୍ରଥମେ ଯେତେବେଳେ ରାତିରେ ଲୋଡ଼୍‍ ସେଡ଼ଙ୍ଗି୍ ହେଉଥିଲା ସେମାନେ ଯାଉଥିଲେ ଇନ୍ଦିରା ଗାନ୍ଧି ପାର୍କ । ମଟର ଖାଉଥିଲେ, କେବେକେବେ ବାଦାମ । ଗୁଡୁ ଆଉ ଦୀପଙ୍କର ଖୁବ୍ ଦଉଡ଼ୁ ଥିଲେ ପାର୍କସାରା । ସୁଦିପ୍ତା ଗୋଟିଏ ଜାଗାରେ ବସି ସେମାନଙ୍କୁ ଦେଖୁଥିଲା । ଦେଖୁଥିଲା ଦୀପଙ୍କର କେମିତି ଛୋଟ ପିଲାଟେ ହେଇଯାଉଛନ୍ତି ଠିକ୍ ଗୁଡୁ ଭଳି । ବେଶ୍ ଭଲ ଲାଗୁଥିଲା ସୁଦିପ୍ତାକୁ । ଦୁହେଁ ହାଲିଆ ହେଲେ ଆସନ୍ତି ବାଦାମ, ମଟର ଖାଆନ୍ତି । ଘରକୁ ଫେରନ୍ତି । ସେମାନଙ୍କର ପାଖରେ ଆଇସ୍‌କ୍ରିମ୍ ଖାଇବାକୁ ପଇସା ନ ଥାଏ । ତଥାପି କେତେ ଖୁସି ଥିଲେ ସେମାନେ କେତେ ପ୍ରାଣ ପ୍ରଚୁର୍ଯ୍ୟ ଭରି ରହିଥିଲା ସେମାନଙ୍କ ଭିତରେ ।

 

ଆସ୍ତେ ଆସ୍ତେ ଦୀପଙ୍କରର ବଂଧୁଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲେ ।

 

ସବୁବେଳେ ଦଉଡ଼ୁଥିବା ସହରରେ ଏତେବେଶୀ ବେକାର ଲୋକ ଅଛନ୍ତି ଯେଉଁମାନଙ୍କର ସମୟ କଟୁନି ଭାବି ଆଶ୍ଚର୍ଯ୍ୟ ହୁଏ ସୁଦିପ୍ତା । ପ୍ରଚୁର ସଂଭାବନାରେ ଭରପୁର ଏହି ଦୀପଙ୍କକୁ ଲୁଟିବା ପାଇଁ ବଂଧୁଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲେ ଦିନକୁ ଦିନ । ତା’ର ସମୟ, ଶାନ୍ତି, ସରଳତା, ସୂକ୍ଷ୍ମତାକୁ ଚୋରି କରିବାକୁ କେହ ନା କହି ଯୁଟିଯାନ୍ତି । ବୟସ, ଜ୍ଞାନ କିଛି ବୋଲି କିଛି ତାଳ ମେଳ ରହେନା । ଦୀପଙ୍କରର ପ୍ରଚଣ୍ଡ ସଂଭାବନାକୁ ସେମାନେ ଯେମିତି ଶୋଷି ନିଅନ୍ତି । ସୁଦିପ୍ତା ସହିପାରେନି । ଦୀପଙ୍କରର ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ତା’ର ଏକମାତ୍ର ସମ୍ବଳ । ଏତକକୁ ଛାଡ଼ିଦେଲେ ଦୀପଙ୍କର କ’ଣ ଦପୀଙ୍କର ! ସୁଦିପ୍ତା କହିପାରେନି, ମନେ ଚିଡ଼ିମିଡ଼ି ହୁଏ । ଠାକୁରଙ୍କ ଆଗରେ କାନ୍ଦେ ଗୁଡୁ ଶୋଇଗଲାପରେ । ଗୁଡୁକୁ ଛାତିରେ ଜାକି କାନ୍ଦେ । ତାକୁ ଲାଗେ ଯେଉଁ ଗଛକୁ ବଢ଼ାଇବାକୁ ଯତ୍ନ ନେବାକୁ ଜୀବନର ଲକ୍ଷ୍ୟ ବୋଲି ଭାବିଥିଲା ଆଜି ତା’ର ଫଳ, ଫୁଲ, ପତ୍ର, ଡାଳ, ଜଣେ ପରେ ଜଣେ କାଟି ନେଇଯାଉଛନ୍ତି । ଆଉ ସେ କିଛି କରିପାରୁନି । ନିଜ ଅସହାୟତାକୁ ଦେଖି ତାକୁ ଲାଗେ ସେ ଯେମିତି ସୁଦିପ୍ତା ନୁହେଁ... ।

 

ସେହି ବଂଧୁମାନେ ସେମାନଙ୍କ ଫଷ୍ଟେସନ ସମୟରେ ଆସନ୍ତି । ଦିପଙ୍କର ସହ ନିଜର ଦୁଃଖ ଅସହାୟତାକୁ ବାଣ୍ଟନ୍ତି । ଅସମୟ କଟିଗଲାପରେ ଚାଲିଯାନ୍ତି ନିଜ ନିଜ ବାଟରେ । ପ୍ରଥମେ ପ୍ରଥମେ ମହାପୁରୁଷ ପରି ତତ୍ତ୍ୱକଥା କହନ୍ତି, ସାହିତ୍ୟ କଥା କହନ୍ତି, ତା’ପରେ ଆରମ୍ଭ କରନ୍ତି ପରନିନ୍ଦା, ଆ’ ତା’ ବିରୁଦ୍ଧରେ ଯେତେସବୁ ଚାଲୁଗପ । କିଛି ଅବଶ୍ୟ ସତ କହିଥାନ୍ତି । କଥାରେ କଥାରେ ଝିଅମାନଙ୍କୁ ପୋଷ୍ଟମର୍ଟମ କରନ୍ତି । ଦୀପଙ୍କର ବହୁତ ସରଳ ଠିକ୍ ମେଣ୍ଢା ଛୁଆପରି । ପୁରାପୁରି ନିର୍ଭେଜାଲ ।

 

ଏହି ବଂଧୁମାନେ ଯେତିକି ଦିନ ମିଶନ୍ତି ତା’ ହୃଦୟକୁ ସତେ ଯେମିତି ବିଷକ୍ତ କରିଦିଅନ୍ତି-। ମିଛ କହୁନଥିବା ମଣିଷଟି ମିଛ କହିବାକୁ ଆରମ୍ଭ କରେ । ସେମାନଙ୍କ ସହ ମିଶି ଆଡ଼ୁସାଡ଼ୁ ଗପେ, ବୁଲେ, ସମୟ ନଷ୍ଟ କରେ ।

 

ସୁଦିପ୍ତା ଏସବୁ ସହିପାରେନି ମନେ ମନେ ଚିଡ଼ି ହୁଏ । ସ୍ତ୍ରୀ ଲୋକଙ୍କ ସହ ମିଶିଲେ, କଥାହେଲେ ସୁଦିପ୍ତାର କିଛି ହୁଏନି କିନ୍ତୁ ଏ ବଂଧୁମାନଙ୍କ ସହ ମିଳାମିଶା କଲେ ସୁଦିପ୍ତାର ବ୍ଲଡ଼ ପ୍ରେସର ବଢ଼ିଯାଏ ।

 

ଯାହା ଉପରେ ସୁଦିପ୍ତା ଚିଡ଼େ ସେ ଦେଖେ କିଛି ଦିନପରେ ସେ ଦୀପଙ୍କରକୁ ଛାଡ଼ି ଚାଲିଯାଇଛନ୍ତି । ଦୀପଙ୍କର ବୁଝେ ଅନୁତାପ କରେ । ଅଳ୍ପ କିଛିଦିନ ଯାଇନଥିବ ଆଉଜଣେ ବଂଧୁଙ୍କ ଆବିର୍ଭାବ ହୁଏ । ଅବଶ୍ୟ ଏମାନଙ୍କର ସ୍ଥାୟିତ୍ୱ ଅଳ୍ପଦିନ ।

 

ତଥାପି କଟୁଥିବା ସମୟକୁ କାଟିବା ପାଇଁ । ଦୀପଙ୍କରର ବଂଧୁଙ୍କ ସଂଖ୍ୟା ବଢ଼ିବା ସହିତ ବଢ଼ିଚାଲିଲା ଦୁଶ୍ଚିନ୍ତା ସୁଦିପ୍ତାର । ତା’ ସଂସାର କ୍ରମଶଃ ଅଭିଶପ୍ତ ହେବାକୁ ଲାଗେ । ଦିପଙ୍କରକୁ ଆଉ ନା ସମୟ ମିଳେ ଏକାଠି ବୁଲିବାକୁ ସୁଦିପ୍ତା ସହ, ନା ସମୟ ମଳେ ପଦେ ମିଠା କଥା କହିବାକୁ । ସବୁବେଳେ ବିରକ୍ତ ହୁଏ । ସୁଦିପ୍ତା ଏଥର ବିରକ୍ତ ହେଲା ନିଜ ଉପରେ ସେ ଚାକିରି ଛାଡ଼ିବାକୁ କହିଲାରୁ ଏତକ ହୋଇଛି । ଏ ବଂଧୁଙ୍କ ମାୟାରୁ ରକ୍ଷା ପାଇବାକୁ ଦୀପଙ୍କରକୁ ଚାକିରୀ କରିବାକୁ କହିଲେ ଦୀପଙ୍କର କାଳେ ରାଗିବେ । ସେଥିପାଇଁ ଜୀବନରେ ପ୍ରଥମ ଥର ଭିତରେ ଗୋଟେ ଉଦ୍ଦେଶ୍ୟ ରଖି ନିଜର ଆର୍ଥିକ ସ୍ଥିତିର ଦ୍ୱାହିଦେଇ ଦୀପଙ୍କରକୁ ଚାକିରୀ କରିବାକୁ ଅନୁରୋଧ କଲା । ସବୁବେଳେ ମୁଣ୍ଡ ହଲଉଥିବା ସ୍ତ୍ରୀ ଯେତେବେଳେ ତାକୁ ଚାକିରୀ କରିବାକୁ ପରାମର୍ଶ ଦେଲା ଦୀପଙ୍କର ଭଲ ଲାଗିଲାନି । ଜୋର ପାଟିତୁଣ୍ଡ କଲା । କୁଣ୍ଡରେ ଲାଗିଥିବା ସବୁତକ ଗଛ କାଟି ଦେଲା । ତା’ର ଭୟଙ୍କର ମୂର୍ତ୍ତି ଦେଖି ସୁଦିପ୍ତା ଆତଙ୍କିତ ହୋଇପଡ଼ିଲା । ଘରେ ଅଖଣ୍ଡ ଦୀପ ଜାଳିଲା, ଗୀତା ପଢ଼ିଲା ।

 

ଯେତେବେଳେ ସ୍ତ୍ରୀଟିଏ ସ୍ୱାମୀକୁ ଚାକିରି କରିବାକୁ କହିବ, ସ୍ୱାମୀଟି ଭାବିପାରେ ସ୍ତ୍ରୀ ତାକୁ ଅପାରଗ ଭାବୁଛି ବୋଲି ! ଦୀପଙ୍କର ବି ସେମିତି ଭାଗିଲା । ସୁଦିପ୍ତା ସକାଳୁ ଉଠି ପାଦଛୁଇଁ ପ୍ରଣାମ କଲାବେଳେ ପାଦ ଘୁଞ୍ଚାଇ ଦେଲା । ରାତିରେ ତେଲ ଘଷିବାକୁ ଗଲାବେଳକୁ ଗୋଡ଼ ଦେଖାଇଲାନି । ସୁଦିପ୍ତା ତ ଦୀପଙ୍କରକୁ ଚାକିରି କରିବାକୁ ବାଧ୍ୟ କରିନି, ଜିଦ୍ କରିନି, କଳି କରିନି, ବାସ୍ କେବଳ ଗୋଟେ ଅନୁରୋଧ କରିଥିଲା ତାକୁ ଶନି, ରାହୁଙ୍କ କବଳରୁ ମୁକ୍ତ କରିବା ପାଇଁ । କିନ୍ତୁ ଦୀପଙ୍କରକୁ ବୁଝାଇବାକୁ ତା’ର ସାହସ ପାଏନି । ସେ ଦୀପଙ୍କର ସାମ୍ନାରେ ଠିଆ ହେବାକୁ ଭୟ କରେ । କେମିତି ବୁଝାଇବ ସେ ଦୀପଙ୍କରକୁ ତା’ର ବୁଦ୍ଧିବାଟ ପାଏନି । ଦୀପଙ୍କରର ସବୁ ଅସାଧାରଣ ତା’ର ରାଗ ବି ଅସାଧାରଣ ତା’ର ଅଭିମାନ, ଘୃଣା ସବୁକିଛି । ସବୁକିଛି ନିଆରା ସବୁକିଛି ଅଲଗା ଅନ୍ୟମାନଙ୍କଠୁଁ ସେଇଥିପାଇଁ ତ ସେ ଏତେବେଶୀ ପ୍ରିୟ ସୁଦିପ୍ତାର । କେବଳ ବାହା ହୋଇଛି ବୋଲି ନୁହେଁ । ସବୁଠୁ ଭିନ୍ନ ବୋଲି ସେ ପ୍ରିୟ ସୁଦିପ୍ତାର । ଏତେ ଯନ୍ତ୍ରଣା ଭିତରେ ବି ସେ ଥରଟେ ମନେ ମନେ ବି ଦୋଷ ଦେଇପାରେନି ଦୀପଙ୍କରଙ୍କୁ ।

 

ସୁଦିପ୍ତା ଭାବେ ତା’ର ହୀରାଖଣ୍ଡେ ପରି ଦିପଙ୍କର କ’ଣ ଖପରା ହୋଇଯିବ । ସୁଦିପ୍ତାର ଦୁଶ୍ଚିନ୍ତା ବଢ଼ିଚାଲେ, ମୁଣ୍ଡର ଚୁଟି ଗୋଟେ ଗୋଟେ ଧଳା ଦିଶେ । ଗୁଡୁର କିଛି ଚିନ୍ତା ନ ଥାଏ ଖେଳେ ବୁଲେ, ନିଦ ମାଡ଼ିଲେ ଶୁଏ । ରାତି ଖଟ ଉପରେ ସୁସୁ କରିଦିଏ ।

 

କିଛିଦିନ ଏମିତି ଚାଲିଲା ପରେ ଦିନେ ସୁଦିପ୍ତା ଦେଖିଲା ଦୀପଙ୍କର ତକିଆକୁ ଭରାଦେଇ ଖଟ ଉପରେ ବସିଛି । ସେ ଭାବିଲା ଦୀପଙ୍କର ଦେହ ଭଲ ନାହିଁକି ? ସଂଧ୍ୟାବେଳେ ସେ ପୁଣି ଘରେ ! ବର୍ଷାଫର୍ସା କିଛି ନାହିଁ । ସେ ଆଜି ବାହାରକୁ ଯିବେନି କି ? ଯେତେ ବର୍ଷାହେଲେ ବି ସେ ବାହରକୁ ଯା’ନ୍ତି । ଭିଜି ଭିଜି ଘରକୁ ଫେରନ୍ତି । ଆଜି ବୁଲକୁଲ ବର୍ଷା ନାହିଁ ସେ ଘରେ କେମିତି ? ଦେହ ଭଲ ନାହିଁକି ? ନା ମନ ଭଲ ନାହିଁ ? ମନ ଭଲ ନଥିଲେ ସୁଦିପ୍ତାର ମନଟା କେମିତି ପୋଡ଼ିଗଲା ପରି ଲାଗେ । ସେ ହଲିକ୍ସ ଗ୍ଲାସ୍‌ ଦେଲା ଦୀପଙ୍କରଙ୍କୁ । ଦୀପଙ୍କର ଚୁପ୍‌ଚାପ୍ ବସିଛି ରିମୋଟ୍‌ଟାକୁ ଚିପାଚିପି କରୁଛି । ସୁଦିପ୍ତା ପଚାରିବାକୁ ସାହସ ହେଲାନି । ସେ ତେଲ ଗିନାଟା ଧରି ଗଲା ଦୀପକରର ପାଖକୁ ।

 

ଦୀପକର ଗୋଡ଼ରେ ତେଲମାଲିସ କଲା ସୁଦିପ୍ତା ଚୁପ୍‌ଚାପ୍ । ଦୀପଙ୍କର କିଛି କହୁନଥାଏ- ସୁଦିପ୍ତା ବି । ପୁରା ଚୁପ୍‌ଚାପ୍ ଘରଟା... । ଗୁଡୁ ଯାଇଥା ସାମ୍ନା ଘରକୁ ଖେଳିବାକୁ । କ’ଣ ହୋଇଛି ଦୀପଙ୍କରର । ସୁଦିପ୍ତା ବିଲକୁଲ ଅନୁମାନ କରିପାରୁନଥାଏ । ଦୀପଙ୍କର କହଲା, ‘‘ଦିପ୍ତା ବାହାର ଦୁଦିଆଟା ଆଉ ଭଲ ଲାଗୁନି ।’ ସୁଦିପ୍ତା କିଛି ନ କହିଲେ ବି ଖୁସିରେ ଉଛୁଳି ପଡ଼ିଲା, ତାକୁ ଗଡ଼ ଜିଣିଲା ପରି ଲାଗିଲା । ସେ ସଂଧ୍ୟାରେ ଦୀପଙ୍କର ଯାହା କହିଲା ସୁଦିପ୍ତା ଖାଲି ଶୁଣିଲା ବିଲ୍‌କୁଲ୍ ଚୁପ୍‌ଚାପ୍ ।

 

ଦୀପଙ୍କର ବଦଳିବାକୁ ଆରମ୍ଭ କଲା... ଗୁଡୁକୁ ବୁଲେଇ ନେଲା, ସୁଦିପ୍ତା ପାଇଁ ଆଣିଲା କାଜୁ ଆଇସ୍‌କ୍ରୀମ୍ । ଗପିଲା ସାହିତ୍ୟ କଥା, ସଂଗୀତ କଥା । ସୁଦିପ୍ତା ଖୁସି । ସେ ବେଶୀ ଚାହେଁନା ।

 

ହଠାତ୍ ଦିନେ ଖରାବେଳେ ଦୀପଙ୍କର ଜଣକୁ ନେଇ ଆସିଲା ଘରକୁ । ସୁଦିପ୍ତା ଲେମ୍ବୁ ସରବତ କରି ଆଣିଦେଲା । ଦୀପଙ୍କର ତାଙ୍କୁ ଚିହ୍ନା କଲ। । ସୁଦିପ୍ତା ସହ । କହିଲା, ଏ ଜଣେ ବଡ଼ ଆର୍ଟିଷ୍ଟ । ବହୁତ ଆର୍ଟ ଫିଲ୍ମର ଡିରେକ୍ସନ ଦେଇଛନ୍ତି । ଅନେକ ଆର୍ଟ ଫିଲ୍ମରେ ଆକ୍ଟିଂ କରିଛନ୍ତି । ବହୁତ ଆୱାଡ୍ ପାଇଛନ୍ତି । ସୁଦିପ୍ତା ଦେଖୁଥିଲା ସେହି ଭଦ୍ରବ୍ୟକ୍ତିଙ୍କୁ ବେଶ୍ ଡେଙ୍ଗା, ଉଜ୍ଜ୍ୱଳ ଗୌରବର୍ଣ୍ଣ ଦୀର୍ଘ କପାଳ, ଗୋଲାପି ଓଠ, ଆର୍ଷଣୀୟ ଚାହାଣୀ । ଡ୍ରେସ୍‌, ଜୋତା ବି ବେଶ ରୁଚିପୂର୍ଣ୍ଣ । ଷାଠିଏ ଟପିଥିଲେ ବି ଦେହର ଯୌବନ ଓହ୍ଲାଇନଥିଲା । ଦୀପଙ୍କର ସହିତ ବେଶ୍ ଗପ ଜମାଇ ଦେଇଥିଲେ ସେ ।

 

ସୁଦିପ୍ତା କିନ୍ତୁ ଭାବୁଥିଲା ପୁଣି ଜଣେ ଦସ୍ୟୁ ଅତି ସନ୍ତର୍ପଣରେ ପଶି ଆସିଛି ତା’ ସଂସାର ଭିତରକୁ । ଲୁଟି ନେବାକୁ ଦୀପଙ୍କର ଭିତରେ ଥିବା ସବୁତକ ପ୍ରାଚ୍ୟୁର୍ଯ୍ୟ ।

 

ସରୀସୃପ

 

ଇଟ୍ ହଣ୍ଡ୍ରେଡ୍‌କୁ ପାର୍କିଂ କଲା ପ୍ରଶାନ୍ତ । ଗ୍ୟାରେଜ୍ ଭିତରେ ପୁରାଇବା ବାହାର କରିବା ଭାରି କଷ୍ଟ । ଘରକୁ ଫେରୁ ଫେରୁ ପ୍ରତିଦିନ ମନସ୍ୱିନୀ କିଛି ନା କିଛି କାମ ବରାଦ କରି ଦିଏ । ସବୁଠୁ କଷ୍ଟ ଲାଗେ କେଉଁ ବାବା,ଜ୍ୟୋତିଷ, ତାନ୍ତ୍ରିକ ବା ମନ୍ଦିର ମଠକୁ ଯିବାକୁ । ତା’ର ଦୁଇ ଦୁଇଟା ଅପରେସନ୍ ହେବା ପରେ, ମେଡ଼ିକାଲ ସାଇନ୍ସ ପୁରା ଫେଲ ମାରିଲାପରେ ମନସ୍ୱିନୀ ଏବେ ଦେବତା, ଡେଉଁରିଆ କବଚ ଉପରେ ଭରସା କରିବା ଆରମ୍ଭ କରିଚି । ତେର ବର୍ଷ ବିତି ଯାଇଥିଲେ ବି ତା’ର ବିଶ୍ୱାସ ଦିନେ ନା ଦିନେ ସେ ମା’ ହେବ । ପ୍ରଶାନ୍ତ ବାପା ।

 

ପ୍ରଶାନ୍ତକୁ ଭାରି କଷ୍ଟ ଲାଗେ । ତା’ର ପୁରୁଷତ୍ୱ ଉପରେ ପ୍ରଶ୍ନବାଚୀ ଳାଗିଯାଏ । ସେ କ’ଣ ନାପୁରଷ, ସେ କ’ଣ ନଂପୁସକ । କୌଣସି ବାବା ତାନ୍ତ୍ରିକ ତା’ର ହାତ ପାପୁଲିର ରେଖା ଲେନ୍ସ ପକାଇ ଦେଖିଲେ, ତା’ ହାତରେ, ବେକରେ ତାବିଜ, ଡେଉଁରିଆ ବାନ୍ଧିଲେ ସେ ଜଳିଯାଏ, ତାକୁ ଲାଗେ ଏମାନେ ତାକୁ ରେପ୍ କରୁଛନ୍ତି । ସେ ଚାହିଁଲେ ବି କିଛି କରିପାରୁନି ମନସ୍ୱିନୀ ପାଇଁ । ତାକୁ ସେ ବହୁତ ବେଶୀ ଭଲପାଏ । ଦୁନିଆର ସବୁ ସୁନ୍ଦର ଜିନିଷ ମନସ୍ୱିନୀ ପାଇଁ ଆଣେ । ପ୍ରତି ମାସରେ ଦାମୀ ଶାଢ଼ୀ, ଗହଣା, ସୁନ୍ଦର ଡିଜାଇନ୍‌ର ଚୁଡ଼ି, ଡ୍ରେସ୍ କପଡ଼ା, ଲିପ୍‌ଷ୍ଟିକ୍‌, ନେଲପଲିସ, ବିଭିନ୍ନ ଡିଜାଇନ୍‌ର ବିନ୍ଦି, ନାଁ ଜଣା ଅଜଣା ଫୁଲ ଗଛର ଚାରା ଆଣେ । ଘରେ ମାଳି, ରୋଷେଇଆ, ଲୁଗା କାଚିବା ବାସନ ମାଜିବା ପାଇଁ ଆଦିବାସୀ ସ୍ତ୍ରୀଲୋକଟେ ରଖିଚି, ସେ ଘର କାମ କରିସାରିଲେ ମନସ୍ୱିନୀର ପାଦରେ ତେଲ ଘଷେ , ଅଣ୍ଟା ଚିପି ଦିଏ, ପିଠିରେ, ହାତରେ ଅଲିଭ ଅଏଲ ମାଲିସ କରେ । କଣ୍ଢେଇ ପରି ସୁନ୍ଦର ଘରଟେ କରିଛି । ସ୍ୱପ୍ନ ପରି ସୁନ୍ଦର ଘର ସାମ୍ନା ଲନ୍‌, ଗାର୍ଡେନ୍‌, ସୁଇମିଂପୁଲ । ସୁଇମିଂ ପୁଲରେ ଗାଧୁଆ ହୁଏ କମ୍‌, ତା’ ଭିତରେ ଲାଲ୍ ନୀଳ କଇଁ ଫୁଟିକି ହସନ୍ତି ସଂଜ ହେଲେ । ମାଳି ବୋଧେ ରଂଗୀନ ରଂଗୀନ ମାଛ ଛାଡ଼ିଛି ତା’ ଭିତରେ, ଆଗେ ଆଗେ ଘରର, ଗାର୍ଡେନ୍‌ର ସବୁଲାଇଟ୍ ବନ୍ଦ କରି ଜହ୍ନ ଆଲୁଅରେ ମନସ୍ୱିନୀ ଦେଖୁଥିଲା କଇଁକୁ, ମାଛକୁ । ବର୍ଷାରେ ଭିଜି ଭିଜି କଇଁ ଦେଖିବାରେ ତା’ର ଭାରି ଖୁସି । ବଉଳ ଫୁଲ ସାଉଁଟିବା, ଶୀତ ସକାଳରେ ଗଙ୍ଗଶିଉଳି ଗୋଟାଇ କାଚ ଗିନାରେ ପାଣି ଉପରେ ସେସବୁକୁ ସଜେଇ ରଖିବାକୁ ଭାରି ଭଲ ପାଉଥିଲା । ଆଜିକାଲି ସେଥିରେ ତା’ର ଆଗ୍ରହ ନାହିଁ । ସେ ଭାରି ଦୁଃଖି ଦୁଃଖି ଲାଗୁଛି । ଥିବ ଥିବ କାନ୍ଦୁଛି । ଖାଲିଟାରେ ଉପରକୁ ଅନାଇ ବସୁଛି । ଠାକୁର ଘରେ ପଶୁଛି ଯେ ପଶୁଛି । ପ୍ରଶାନ୍ତର ସାହସ ପାଏନି ଦେଖିବାକୁ ଠାକୁର ଘରେ କ’ଣ କରେ ମନସ୍ୱିନୀ ।

 

ମନସ୍ୱିନୀକୁ ଖୁସି କରାଇବା ପାଇଁ, ମନସ୍ୱିନୀ ଯାହା ଚାହେଁ ସେ ତାହା କରେ । ମାସକୁ ପଚିଶ ହଜାର ଟଙ୍କା ପାଇବି ତାକୁ ନଂପୁସକ ପରି ଲାଗେ । ତା’ର ଛ’ଫୁଟ ଉଚ୍ଚତା, ତୋଫା ଗୋରା ରଙ୍ଗ, ବଳିଷ୍ଠ ମାଂସପେଶୀ ସବୁ ପାଣିଚିଆ ଲାଗେ । ତା’ର ଲୋମଶ ଛାତି, କଳା, କଳା ସୁନ୍ଦର ଚିକ୍କଣ ନିଶ ସବୁକିଛି ଅଲୋଡ଼ା ଲାଗେ ତାକୁ । ତା’ର ଜେଜେମା’ କହନ୍ତି,‘‘ନାରୀକୁ ସୁନ୍ଦର କେଶ, ପୁରୁଷକୁ ସୁନ୍ଦର ନିଶ । ଯେଉଁ ନାରୀର ଘନ କେଶ ନାହିଁ ସେ କି ନାରୀ, ଯାହାର ନିଶ ନାହିଁ, ସେ କି ପୁରୁଷ ।’’ ଜେଜେମା’ ଆଜି ନାହିଁ । ପ୍ରଶାନ୍ତ କେତେଥର ଭାବିଲାଣି ନିଶ କାଟି ପକାଇବ, ହେଲେ ମନସ୍ୱିନୀକୁ ତା’ ନିଶ ହଳକ ଭଲ ଲାଗେ, ସେଥିପାଇଁ ସେ କାଟିପାରୁନି । କିନ୍ତୁ ଡ୍ରେସିଂ ଟେବୁଲ ସାମ୍ନାରେ ଠିଆ ହେବାକୁ ତାକୁ ଭୟ ଲାଗେ ।

 

ବେଳେ ବେଳେ ସେ ମନକୁ ମନ ଯୁକ୍ତି କରେ । ସ୍ତ୍ରୀଟେ ବନ୍ଧ୍ୟା ହେଲେ ପୁରୁଷଟି ଆଉଥରେ ବିବାହ କରିପାରୁଛି, ତେବେ ନାରୀଟି କାହିଁକି ବିବାହ କରିବନି ଆଉଥରେ । ମନସ୍ୱିନୀକୁ ଛାଡ଼ି ରହିପାରିବନି ସେ ଜାଣିଛି ଭଲଭାବେ, ତେବେ ଏମିତି ଯୁକ୍ତି କରେ ବାରମ୍ବାର ମନେ ମନେ । ମନସ୍ୱିନୀ ତା’ ଛଡ଼ା କାହାକୁ ସ୍ୱପ୍ନରେ ସୁଦ୍ଧା ଭାବିପାରିବନି ସେ ଜାଣିଛି ଭଲଭାବେ ।

 

ଅନାଥାଶ୍ରମରୁ ପିଲାଟେ ଆଣିବା କଥା ସେ କହିଥିଲା, କିନ୍ତୁ ମନସ୍ୱିନୀର ଯୁକ୍ତି, ‘‘ତମେ କ’ଣ ପିଲାଟେଠାରୁ କମ୍ ଯେ ମୁଁ ଗୋଟେ ଅନାଥଶ୍ରମରୁ ପିଲାଟେ ଆଣିବି । ତମ ଜଂଜାଳ, ତମ ଦୁଷ୍ଟାମୀ ତ ସମ୍ଭାଳୁ ସମ୍ଭାଳୁ ମୋ ଦିନ ଯାଉଛି ।’’ ସେ ଜାଣିଛି ମନସ୍ୱିନୀର ତା’ ରକ୍ତର ପିଲାଟେ ଦରକାର, ଯାହାକୁ ସେ ଦଶମାସ ଗର୍ଭରେ ଧରିବ । ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ଜନ୍ମ କରିବ । ଧେତ୍‌... କଷ୍ଟ ସହିବାକୁ କାହିଁକି ସ୍ତ୍ରୀଲୋକମାନଙ୍କୁ ଭଲ ଲାଗେ କେଜାଣି ?

 

ପ୍ରଶାନ୍ତ ଘର ଭିତରକୁ ପଶିଲା, ମନସ୍ୱିନୀ କହିଲା,’‘ଯାଅ ଟିକେ ଧୁଆଧୁଇ ହୋଇ ପଡ଼, ଘରେ ପୂଜା ଅଛି ଆଜି ।’’ ‘‘କେଉଁଦିନ ବା ତମର ପୂଜା ନାହିଁ ।’’ କହିଲା ମନେମନେ ପ୍ରଶାନ୍ତ । ଲୁଗା ବଦଳାଇ ଟାୱେଲ ପିନ୍ଧି ବାଥ୍‌ରୁମ୍ ଭିତରକୁ ପଶିଲା । ତା’ର ଧୂଆଧୂଇ ମାନେ ଗାଧୋଇବା । ଖରା, ବର୍ଷା,ଶୀତ ତାକୁ ଦୁଇଥର ନ ଗାଧୋଇଲେ ରୁଚେନି ।

 

ଲାଟିନରେ ବସିଲେ ଯେତେସବୁ ଇନୋଭେଟିଭ୍ ଆଇଡିଆ ତା’ ମୁଣ୍ଡକୁ ପଶେ । ଆଜି କିନ୍ତୁ ଶୀଘ୍ର ଶୀଘ୍ର କାମ ସାରି ବାହାରକୁ ଆସିଲା । ମନସ୍ୱିନୀ ଡାଇନିଂ ଟେବୁଲ ଉପରେ ଚାଓମିନ୍ ଆଣି ଥୋଇଲା । ଅନ୍ୟସବୁ କାମ ଅନ୍ୟମାନେ କରନ୍ତି । ଖାଇବାକୁ ଦେବା କାମଟା ମନସ୍ୱିନୀର । ଆଉ କିଏ ଖାଇବାକୁ ଦେଲେ ସେ ସହିପାରେନି ।

 

ପ୍ରଶାନ୍ତ ଖାଇସାରି ଛାତ ଉପରକୁ ଗଲା । ମନସ୍ୱିନୀ କାହାକୁ ଫୋନ୍ ଲଗାଇଲା । ପୂଜାରିକୁ ନା ତା’ ସାଙ୍ଗକୁ .... । ଓଃ ସେସବୁ ବିଷୟରେ ମୁଣ୍ଡ ଖେଳେଇବା କ’ଣ ଦରକାର । ଛାତ ଉପରେ ରଙ୍ଗ ବେରଙ୍ଗର ଗୋଲାପ ମୁଣ୍ଡ ହଲାଉଥିଲେ । ସେ ବସିଲା ନୀଳ ରଙ୍ଗର ପ୍ଲାଷ୍ଟିକ୍ ଚେୟାର ଉପରେ । ଅନେଇଲା ରାସ୍ତାକୁ । ଘର ପାଖ ୱିମେନ୍‌ସ କଲେଜ ଛୁଟି ହେବାର ବେଳ ହୋଇଯାଇଥିଲା । ରଙ୍ଗ ବେରଙ୍ଗର ଚୁଡ଼ିଦାର, ୱାନ୍ ପିସ୍‌, ଟୁ ପିସ୍‌, ଜିନ୍ସ ପିନ୍ଧି ଝିଅମାନେ ଫେରୁଥିଲେ ନିଜ ନିଜ ଘରକୁ । ସେମାନଙ୍କୁ ଦେଖିଲେ ସେ ଉତ୍ତେଜିତ ହେଇଯାଏ ମନେ ମନେ । ପୁରୁଷତ୍ୱ ଫେରିପାଏ । ଫେରିପାଏ କଲେଜ ପଢ଼ା ଦିନମାନଙ୍କୁ । ଆଃ... କେତେ ଝିଅ ତା’ ବ୍ୟକ୍ତିତ୍ୱରେ, କୃତିତ୍ୱରେ, ରୂପରେ ମୁଗ୍ଧ ହୋଇ ଚିଠି ଦେଉଥିଲେ, ଉପରେ ପଡ଼ି କଥା ହେଉଥିଲେ, ପାଠ ପଢ଼ିବା ବାହାନାରେ ତା’ ପାଖକୁ ଆସୁଥିଲେ, ନୋଟ ନେବା ବାହାନାରେ ତା’ ହାତକୁ ଛୁଉଁଥିଲେ । ମୁର୍କି ମୁର୍କି ହସିଲା ସେ ।

 

ରାସ୍ତା ଉପରେ ଗପି ଗପି ଯାଉଥିବା ଝିଅମାନଙ୍କୁ ଅନେଇଲା, ଭାବିଲା ଏହି ଝିଅମାନେ ଯଦି କପଡ଼ାର ଡ୍ରେସ ବଦଳରେ ପତରରେ ସିଲେଇ ଲୁଗା ପିନ୍ଧନ୍ତେ, ମୁଣ୍ଡରେ ଲାଲ ମନ୍ଦାର ଫୁଲ ଲଗାନ୍ତେ, କେମିତି ଦିଶନ୍ତେ । ଭାବିଲା ଓ ଉତ୍ତେଜିତ ହେଲା ଭିତରେ ଭିତରେ । ଆଣ୍ଡାମାନ୍‌ର ଆଦିବାସୀମାନେ ଦେହରେ ମାଟି ବୋଳି ହୋଇଥାନ୍ତି, କିଛିବୋଲି କିଛି ଲୁଗା ନ ଥାଏ ତାଙ୍କ ଦେହରେ, ସେମାନଙ୍କୁ ଦେଖିଲେ ନା’ ଟିକେ ଉତ୍ତେଜିତ ଲାଗେ ନା ଅଶ୍ଳିଳ । କିନ୍ତୁ ଟାଇଟ୍‌ଫିଟ୍ ଜିନ୍ସ, ହାତକଟା, ପିଠି କଟା, ଦେହ ଦିଶୁଥିବା ଚୁଡ଼ିଦାର ପିନ୍ଧା ଝିଅଙ୍କୁ ଦେଖିଲେ ତାକୁ ଭାରି ଅଶ୍ଳୀଳ ଲାଗେ । ଆଜିକାଲି କିଛି ସ୍ତ୍ରୀଲୋକମାନେ ଏମିତି ଶାଢ଼ୀ ପିନ୍ଧୁଛନ୍ତି, ଦେଖିଲେ ବାନ୍ତି ବାନ୍ତି ଲାଗେ । ଦେହରୁ ଫାଳେ ଦିଶୁଥିବ, ପିଠି ପେଟ ଦିଶୁଥିବ । ତା’‌କୁ ଇଚ୍ଛା ହୁଏ ଖଣ୍ଡେ ସାଲ ସେମାନଙ୍କୁ ଘୋଡ଼େଇ ଦିଅନ୍ତା । କ’ଣ ପିନ୍ଧା ଯାଉଛି ବଡ଼କଥା ନୁହେଁ, କେମିତି ପିନ୍ଧା ଯାଉଛି ବଡ଼କଥା । ସେ ଶାଢ଼ୀ ହେଉ, ଚୁଡ଼ିଦାର ହେଉ ବା ଜିନ୍ସ ।

 

ଅପେକ୍ଷା କଲା ସେ ପତଳୀ ହୋଇ ଅଳ୍ପ ଗୋରୀ ଝିଅକୁ, ଯେ ଦୁଇପଟେ ବେଣୀ କରେ, ପ୍ରାୟ ସବୁବେଳେ ହାଲ୍‌କା ନୀଳ ରଙ୍ଗର ସାଲୁଆର ପିନ୍ଧେ । ମନେ ମନେ ପ୍ରେମ କରେ ପ୍ରଶାନ୍ତ ତାକୁ । ପ୍ରେମ କରେ ମାନେ ତାକୁ ନେଇଯାଏ ଗାଡ଼ିରେ ବସେଇ, ନିକୋପାର୍କ, ଖଣ୍ଡଗିରି, ଧଉଳିଗିରି- । ତା’ ସାଙ୍ଗରେ ପାଦରେ ପାଦ ମିଳାଇ ନାଚେ, ଗୀତ ଗାଏ । ଆଃ - ତା’ ପେଟ ବାହାରିଲାଣି, ଅପେକ୍ଷାକୃତ ମୋଟା ହୋଇଗଲାଣି । ସେ କ’ଣ ନାଚି ପାରିବ ! ହଁ, ସିନେମାରେ ତ ଏତେ ମୋଟା ମୋଟା ହିରୋ ନାଚୁଛନ୍ତି । ସେ କାହିଁକି ନାଚି ପାରିବନି ଅଲବତ୍ ନାଚିବ । କ’ଣ ଖାଲି ପତଳା ଲୋକ ଠିକା ନେଇଛନ୍ତି ନାଚିବାକୁ ।

 

ସେ ଭୁଲିଗଲା ରେଶମୀ ସୂତାରେ ତିଆରି ହେଲାପରି ସୁନ୍ଦରୀ ପ୍ରେମିକା ସ୍ତ୍ରୀଟିଏ ଅଛି । ଭୁଲିଗଲା ତ କ’ଣ ହେଲା । ଆଗରୁ ଲୋକ ଆଠଟା ଦଶଟା ବାହା ହେଉଥିଲେ, ସେ ପ୍ରେମ କରିବନି କାହିଁକି ? ଅଲବତ୍ କରିବ । ସେଇ ତୀଖ ନାକି ଝିଅ ସହ ବୋଟିଂ କରିବ ଏକାମ୍ର କାନନର ଲେନରେ, ନନ୍ଦନକାନନରେ, ନ ହେଲେ ନିକୋପାର୍କରେ ।

 

ସେ ଅପେକ୍ଷା କରିଥିଲା ସେଇ ଝିଅକୁ । ଦଳ ଦଳ ଝିଅଙ୍କ ଭିତରେ ସେ ଖୋଜୁଥିଲା । ଖୋଜୁଥିଲା ତ ଖୋଜୁ । ଝିଅମାନଙ୍କ ଗହଳି କମି ଆସୁଥିଲା କ୍ରମଶଃ । ତଥାପି ଦେଖାନଥିଲା ସେ ଝିଅର । କ’ଣ ତା’ର ଦେହ ଭଲ ନାହିଁ କି ? ନା’ ଯାଇଛି କେଉଁ ବଂଧୁ ଘରକୁ । ଆଃ କୁଆଡ଼େ ଗଲା ସେ । ପ୍ରଶାନ୍ତ ତା’କୁ ଖୋଜି ହେଉଥିଲା ଭିଡ଼ ଭିତରେ । ପାଉ ନ ଥିଲା । ତା’କୁ ଅଣନିଶ୍ୱାସୀ ଲାଗୁଥିଲା । । ସେ ଅପେକ୍ଷା କରିଥିଲା । ଯଦିଓ ସେ ଜାଣିନି ତା’ର ନାଁ, ତା’ ଠିକଣା, ଜାଣିନି ସେ କେଉଁଥରେ ପଢୁଛି, କ’ଣ ସବଜେକ୍ଟ ରଖିଛି .... । ସେ ଅନେଇ ଥିଲା ଓ ଅନେଇଥିଲା । ରାସ୍ତାକୁ, ରାସ୍ତାରେ ଯାଉଥିବା ଝିଅଙ୍କୁ । ସେ ଝିଅ ଆସୁ ନ ଥିଲା ।

 

ଶେଷରେ ସେ ଝିଅ ଆସିଲା । ଚାଲି କି ନୁହେଁ । ଗୋଟିଏ ନାଲିଆ ବାଇକ୍‌ର ପଛରେ ଦୁଇ ପଟକୁ ଗୋଡ଼ କରି । ଶ୍ୟାମଳ ହୋଇ ଡେଙ୍ଗା ପତଳା ଯୁବକଟି ବାଇକ୍ ଚଲଉଥିଲା । ପ୍ରଶାନ୍ତର ରାଗ ଉଠିଗଲା ମୁଣ୍ଡକୁ । ସେ ବର୍ତ୍ତମାନ ଟାଣି ଆଣିବ ଯୁବକଟିକୁ ଏବଂ ମନଇଚ୍ଛା ପିଟିଯିବ । ଜଳିଗଲା ଭିତରେ ଭିତରେ । ଝିଅଟା ଜାବୁଡ଼ି ଧରିଛି ସେ ଯୁବକର ଅଣ୍ଟାକୁ ।

 

ସେ ଯୁବକ ତା’ ବାଇକ୍ ଛୁଟାଇ ଚାଲିଗଲା, ପ୍ରଶାନ୍ତର ଘର ସାମ୍ନାରେ କିଛି ଧୂଆଁ ଛାଡ଼ି ଦେଇ । ପ୍ରଶାନ୍ତ ହାରିଗଲା । କିଛି ବି କରିପାରିଲାନି । ତାକୁ ସେମାନେ ଉପହାସ କରିଗଲେ ଯେମିତି । ସେ କ’ଣ ନଂପୁସକ ? ଆଃ ... ।

 

ଆସୁଥିଲା ପ୍ଲସ ଟୁ ଝିଅଟେ ନିଜ ଭିତରେ ବୁଡ଼ି ବୁଡ଼ି ଫାଇଲ୍‌ଟିଏ ଛାତିରେ ଜାକି ଜାକି, ସେ କ’ଣ ସୁନ୍ଦର ଥିଲା ? ସୁନ୍ଦର ହେବା କ’ଣ ଦର୍କାର । ସେ କ’ଣ ତାକୁ ପ୍ରେମ କରିବ ନା ସ୍ତ୍ରୀ କରିବ ? ପ୍ରଶାନ୍ତ ତାକୁ ଆଣିଲା ଛାତ ଉପରକୁ ମନେ ମନେ । ସେ ରାଗି ଯାଇଥିଲା, ପାଗଳ ହୋଇ ଉଠୁଥିଲା, ହିଂସ୍ର ହୋଇ ଯାଉଥିଲା । ଝିଅଟି ଭୟରେ ପାଟି କରୁଥିଲା । ପାଟି କରୁଥିଲା ତ ସେ ତା’ ଗାଲରେ ଦୁଇ ଚାରିଟା ଥାପଡ଼ ପକାଇଲା । ଝିଅଟି କାନ୍ଦିଲା । କାନ୍ଦୁ । ସେ ଝିଅଟିକୁ ରେପ୍ କଲା ମନେ ମନେ । ଏତେ ଛୋଟ ଝିଅକୁ ଏମିତି । ରାକ୍ଷାସ ଭଳି । ସେ କ’ଣ ଗୋଟେ ରାକ୍ଷାସ ? ନୁହେଁ ତ ଆଉ କ’ଣ ? ସେ ପୁରା ଗୋଟେ ରାକ୍ଷାସ ମଣିଷ ଛାଲରେ ରହୁଥିବା ରାକ୍ଷସ ।

 

ଝିଅଟି ଚାଲିଯାଇଥିଲା ରାସ୍ତାରେ କେତେବେଳୁ । ପ୍ରଶାନ୍ତ ଭିଜିଯାଇଥିଲା ଝାଳରେ, ଲାଜରେ । ତା’ର ପାଗଳାମୀ ଥମି ଯାଇଥିଲା । ତା’ର ଦେହ ମନ କେମିତିଗୋଟେ ଅପରିଚ୍ଛନ୍ନ, ଅପରିଚ୍ଛନ୍ନ ଲାଗୁଥିଲା । ମନସ୍ୱିନୀ ତଳୁ ଥାଇ ଡାକୁଥିଲା ବଡ଼ ପାଟିରେ, ‘‘କ’ଣ କରୁଛ ଛାତ ଉପରଟାରେ । ତଳକୁ ଆସ, ନନା ଆସିଲେଣି ।’’

 

ପ୍ରଶାନ୍ତ ତଳକୁ ଆସିଲା । ଚୂପ୍‌ଚାପ୍ ବାଥ୍‌ରୁମ୍ ଭିତରକୁ ପଶିଲା । ବାଥରୁମ୍ ଟ୍ୟାପ୍ ଖୋଲିଲା, ଖୋଲିଲା ସାୱାର, ମନଇଚ୍ଛା ଗାଧୋଇଲା ମନସ୍ୱିନୀକୁ ସାମ୍ନା କରିବାର ସାହସ ତା’ର ନ ଥିଲା ।

 

‘‘ଜଲଦି ଆସ ଏବେ ତ ଗାଧୋଇଲ, ପୁଣି କ’ଣ କରୁଛ ବାଥରୁମ୍‌ରେ ।’’ ମନସ୍ୱିନୀ କହିଲା ଏବଂ ଚାଲିଲା ପୂଜା ଘରକୁ । ଟ୍ୟାପ୍‌ରୁ ପାଣି ପଡ଼ୁଥିଲା, ପଡ଼ୁଥିଲା ସାୱାରରୁ, ଶୁଭୁଥିଲା ପାଣି ଢ଼ାଳିବାର ଶବ୍ଦ ।

 

ଭାଙ୍ଗିପଡ଼ିବାର ବେଳ

 

ସବୁ ଝିଅ ସୁନ୍ଦର ।

 

ତାଙ୍କୁ ପ୍ରେମର ଦୃଷ୍ଟିରେ, ଶ୍ରଦ୍ଧାର ଦୃଷ୍ଟିରେ ଦେଖିଲେ ହେଲା । ଯେଉଁ ଝିଅ ହଠାତ୍ ଦେଖିଲେ ଅସୁନ୍ଦର ଦିଶୁଥିବେ । ତାଙ୍କ ସହ କଥା ହେଲେ, ତାଙ୍କୁ ବାରମ୍ବାର ଦେଖିଲେ ସେମାନେ ସୁନ୍ଦର ଦିଶିବାକୁ ଲାଗିବେ ।

 

ଆନନ୍ଦ ସିନା ବୁଝୁଥିଲା । କିନ୍ତୁ ବୁଝାଇ ପାରୁନଥିଲା ତା’ ମା’ଙ୍କୁ । ଯେ ଜିଦ୍ ଧରି ବସିଥିଲେ ଝିଅଟି ସୁନ୍ଦରୀ ହେବା ନିହାତି ଜରୁରୀ । ଜାତକ ଯୌତୁକ ଦରକାର ନାହିଁ । ବୋହୂଟି ଯଦି ସୁନ୍ଦରୀ ନ ହେବ କ’ଣ ଲାଭ ?

 

ବୋହୂଟେ ଯଦି ସୁନ୍ଦର ନ ହେବ ସେ କି ବୋହୂ । ମା’ର ଯୁକ୍ତି । ସେ ରଙ୍ଗରେ, ଗଢ଼ଣରେ, ଉଚ୍ଚତାରେ କେଉଁଥିରେ ଟିକେ ସାଲିସ୍ କରିବାକୁ ରାଜି ନୁହେଁ । ତା’ ମତରେ ବୋହୂଟିର ରଙ୍ଗ ଚମ୍ପାଫୁଲ ପରି ହୋଇଥିବ । ଟିକେ କମ୍ ଗୋରା ହେଲେ ଚଳିବନି । ବେଶୀ ମୋଟା କି ବେଶୀ ପତଳା ହୋଇନଥିବ । ଆଙ୍କିଲା ଆଙ୍କଲା ଭ୍ରୁଲତା । ତା’ ଫୁଟନ୍ତା ପଦ୍ମ ଫୁଲ ପରି ମୁହଁ । ପୋଟଳ ଚିରା ଆଖି, ପତଳା ଗୋଲାପି ଓଠ, ମୁକ୍ତା ପରି ଦାନ୍ତ । ଘନ କଳା ଲମ୍ବା ବେଣୀଟେ ଯେମିତି ହେଲେ ତା’ର ଥିବା ଦରକାର ।

 

ଏମିତି ଭଂଜଯୁଗୀୟ ବା ମଧ୍ୟଯୁଗୀୟ ନାୟିକାଟେ ବା କେଉଁଠୁ ମିଳିବ । ଆନନ୍ଦ ଭାବେ ଘରକୁ ତ ବୋହୂଟେ ଦରକାର ଏମିତି କାବ୍ୟନାୟିକାଟେ ବା ଖୋଜିବା କ’ଣ ଦରକାର ?

 

କିନ୍ତୁ ସେ ନା ମା’କୁ ବୁଝାଇପାରେ ନା ତା’ର ମା’ ବୁଝିବା ଅବସ୍ଥାରେ ଥା’ନ୍ତି ।

 

ଆନନ୍ଦ ମନେ ମନେ ଚିଡ଼ିଯାଏ । କିନ୍ତୁ କିଛି କହିପାରେନି । ବାପା ମା’ଙ୍କର ସେ ଗୋଟେ ବୋଲି ପୁଅ । ବାପା ଡାକ୍ତର । ରିଟାୟାର୍ଡ଼ ହେଲେଣି ଛ’ ବର୍ଷ ହେଲା । ତଥାପି ତାଙ୍କର ଦିନକୁ ରୋଜଗାର ଚାରିହଜାର । ପାଂଚ ହଜାର । ବାପାଙ୍କର ପଇସା ଖର୍ଚ୍ଚ କରିବାକୁ ସମୟ ନାହିଁ-। ଘରେ ଖର୍ଚ୍ଚ କରିବାକୁ ଲୋକ ନାହାନ୍ତି ହେଲେ ଚଳେ । ମା’ କେତେ ଶାଢ଼ୀ ଗହଣା କିଣିବ ? ଶାଢ଼ୀ ଗହଣା କିଣି କିଣି ତା’ର ଆଉ ଶାଢ଼ୀ ଗହଣାରେ ଆଗ୍ରହ ନାହିଁ ।

 

ସହରରେ ଦଶଟା କୋଠା । ବିଭିନ୍ନ ଜାଗାରେ । ଘର ଭଡ଼ା ବି ପ୍ରଚୁର ଆସୁଛି । ବାପା ବହୁତ ଶାନ୍ତ । ଘରେ ଟିକେ ବୋଲି ଟକେ ଅଶାନ୍ତି ନାହିଁ ।

 

ସେ ବି ଆଇ.ଆଇ.ଟି ଖଡ଼୍‍ଗପୁରରୁ ଏମ୍‌ ଟେକ୍ କଲାପରେ ପାଂଚ ବର୍ଷ ହେଲାଣି ଏହି ସହରରେ ଚାକିରୀ କରୁଛି । ମା’ ବାପା ତାକୁ ଦୂରକୁ ଛାଡ଼ିବାକୁ ରାଜି ନୁହଁନ୍ତି ।

 

ବାପାଙ୍କ ନାଁ ଘରର ଆଭିଜାତ୍ୟ ଦେଖି ବହୁତ ପ୍ରସ୍ତାବ ଆସୁଛି । କିନ୍ତୁ ମା’ର ପସନ୍ଦର ବୋହୂଟେ ମିଳୁନି ।

 

ଘରକୁ ସବୁଦିନ ଲୋକ ଆସୁଛନ୍ତି । ଯାଉଛନ୍ତି । ବହୁତ ଫଟୋ ଆସୁଛି । ଦେଖା ଯାଉଛି । ସେଥିରୁ କିଛି ପସନ୍ଦ ହେଉଛି । ନାପସନ୍ଦ ଫଟୋ ଫେରା ଯାଉଛି । ମା’ ଡ୍ରାଇଭର୍‌କୁ ଧରି ସହର ଭିତର ବାହାର ହେଉଛି, କିନ୍ତୁ ମା’ର ପସନ୍ଦର ବୋହୂଟିଏ ତାକୁ ମିଳୁନି ।

 

ମା’ ଉଦାସ ହୋଇ ଉଠୁଛି । ଥକା ହୋଇ ବସୁଛି । ଘରେ ହୋମ, ମେଳା କରୁଛି । ଠାକୁର ଘରେ କବାଟ ବନ୍ଦ କରି ପଶୁଛି ଯେ ପଶୁଛି ।

 

ଯାତକ ଯୌତୁକ ଦରକାର ନାହିଁ କହୁଥିଲେ ବି ପୁଅର ଯାତକ ବାରମ୍ବାର ଦେଖଉଛି ବିଭିନ୍ନ ଜ୍ୟୋତିଷଙ୍କୁ । ଜ୍ୟୋତିଷଙ୍କୁ ମୋଟା ଆକାରରେ ପଇସା ଦେଉଛି । ସେମାନେ ଯାହା ବତେଇଲେ କରୁଛି ।

 

ରବିବାର, ମଙ୍ଗଳବାର ରାତିରେ ଖାଉନି । ପିଆଜ, ରସୁଣ, ଆଇଁଷ ପୁରା ଛାଡ଼ି ଦେଇଛି ।

 

ସକାଳୁ ହନୁମାନ ଚାଳିଶା ପଢ଼ୁଛି, ଗାୟତ୍ରୀ ମନ୍ତ୍ର ଜପୁଛି । ସୂର୍ଯ୍ୟ ପୂଜା କରୁଛି, ଚନ୍ଦ୍ର ପୂଜା କରୁଛି । ନାଗଙ୍କୁ କ୍ଷୀର ପିଆଉଛି ତ ଶନିବାର ଦିନ ଶନି ମନ୍ଦିରରେ ସୋରିଷ ତେଲ ଦୀପରେ ତିଳ ପକେଇ ଜାଳୁଛି । ସୋମବାର ଶହେଆଠ ବେଲପତ୍ର ଚଢ଼ଉଛି ଶିବଙ୍କ ମୁଣ୍ଡରେ ।

 

ଆନନ୍ଦ ପିଲାଦିନୁ ଦେଖି ଆସିଛି । ତାଙ୍କ ଘରେ ପାଟିତୁଣ୍ଡ, କଥାବାର୍ତ୍ତା ବେଶୀ ନ ଥାଏ । ଚାରିଆଡ଼େ ନୀରବତା ଛାଇ ହୋଇଥାଏ । ଯେ ଯାହା କାମରେ ବ୍ୟସ୍ତ ଥାଆନ୍ତି । କିନ୍ତୁ ଏବେ ଘରେ ଆହୁରି ନୀରବତା ଛାଇ ଯାଇଛି । ମା’କୁ ବେଳ ମିଳୁନି ଟିଭି ଖୋଲିବାକୁ । ମା’ ଛଡ଼ା ଆଉ କାହା ପାଖରେ ବେଳ ଥାଏ ଯେ ଟିଭି ପାଖରେ ବସିବାକୁ ।

 

ଯିଏ ଆସିଲେ କ’ଣ ଫୁସ୍‌ଫୁସ୍ ହୋଇ କଥା ହୋଇଛି । କାନେଇଲେ ବି ଭଲଭାବେ ଶୁଭିବନି । ଯେତେହେଲେ ଦେଖ ସେ ମନ୍ଦିରକୁ ନ ହେଲେ ବୋହୂ ଦେଖିବାକୁ ଯାଇଥିବ ।

 

ଘରେ ଅଖଣ୍ଡ ଦୀପ ତ ଜଳାହୋଇଛି ପାଂଚ ବର୍ଷ ହେଲା, ସେଥିରେ ଏତେ ପୂଜାପାଠ ହେଉଥିବାରୁ ଘରଟା ଧୂପ, ଝୁଣା, ଗୁଆଘିଅର ବାସ୍ନାରେ ମହକୁଥାଏ ସବୁବେଳେ । ଆନନ୍ଦକୁ ଲାଗେ ଏଇଟା ଯେମିତି ତାଙ୍କର ଘର ନୁହେଁ ମନ୍ଦିର ବା ଆଶ୍ରମ ।

 

ମା’ର ଥକା ଚେହେରାକୁ ଦେଖିଲେ ଆନନ୍ଦର ଦୟା ହୁଏ । ସେ ଭାବେ କହିବ । ‘ମା’ ବାହାହେବା ପାଇଁ ଝିଅଟେ ଦରକାର । ବାସ୍ । ଏତେ ସୁନ୍ଦରୀ ଖୋଜିବା କ’ଣ ଦରକାର ।’ କିନ୍ତୁ କହିପାରେନି, କଥା ସବୁ ଓଠରେ ଧକ୍କା ଖାଇ ଫେରିଯାନ୍ତି ।

 

ବାପା ମା’ଙ୍କୁ କହିଥାନ୍ତି- ତମେ ଯେମିତି ବୋହୂ, ଆଣ ମୋର କିଛି କହିବାର ନାହିଁ । ବୋହୂଟି କିନ୍ତୁ ଏମ୍‌.ଏସ୍‌.ସି ପଢ଼ିଥିବ ବିଏଡ୍ କରିଥିବ ।

 

ଆମର ଏତେ ପଇସା ଥାଉ ଥାଉ ବୋହୂକୁ କ’ଣ ମାଷ୍ଟାଣୀ ଚାକିରୀ କରାଇବୁ କି ?

 

- ନା, ନା । ମା’ ଭଲ ପାଠ ପଢ଼ିନଥିଲେ ପିଲାଙ୍କୁ ପଢ଼ାଇବ କିଏ ?

 

- ଟ୍ୟୁସନ୍ ମାଷ୍ଟ୍ର ରଖିଦେବା ।

 

- ନା, ମା’ ଯେମିତି ପଢ଼ାଇବ ଟ୍ୟୁସନ୍ ମାଷ୍ଟ୍ର ସେମିତି ପଢ଼ାଇ ପାରିବ ନାହିଁ । ମା’ ପିଲାଙ୍କୁ ଯେମିତି ନିଷ୍ଠାର ସହ ପଢ଼ାଇବ କିଏ ସେମିତି ବା ପଢ଼ାଇପାରିବ ପିଲାକୁ ?

 

ମୁଁ ଯୌତୁକ କି ଆଉ କିଛି ଚାହେଁନି କେବଳ ଝିଅଟି ଏତିକି ପଢ଼ିଥିବା ଦରକାର ।

 

ମା’ ବାପାଙ୍କୁ କିଛି କହେନି ଆଉ । ସେ କେବେ କିଛି ଦାବି କରିନାହାଁନ୍ତି । ଯଦି ଜୀବନରେ ପ୍ରଥମଥର ପାଇଁ କିଛି ଚାହୁଁଛନ୍ତି ସେଥିରେ ସହମତ ହୋଇଯିବା ଭଲ । ଯୁକ୍ତିତର୍କ କରି ଲାଭ ବା କ’ଣ ? ତା’ଛଡ଼ା ତାଙ୍କର ବି କିଛି ଇଚ୍ଛା ଅଛି ।

 

ପଡ଼ୋଶୀ କେହି ଘରକୁ ଆସିଲେ ମା’କୁ କହନ୍ତି-

 

- ଆପଣଙ୍କ ପରିବାର ଏତେ ଭଲ । ଗୋଟେ ଭଲ ଝିଅ ଆଣନ୍ତୁ ।

 

- ମା’ କହେ- ସବୁଝିଅ ଭଲ, ବୋହୂ ହେଲା ପରେ ପରିବେଶ ଅନୁସାରେ ଝିଅଟି ନିଜକୁ ବଦଳାଏ ।

 

-ତଥାପି ଆଜି କାଲିକା ଝିଅ ଯାହା ହେଲେଣି ।

 

- ଆଜିକାଲିକା ଝିଅ । ସେମାନେ ଅଧିକ ମୁକ୍ତ ଚିନ୍ତାଧାରାରେ । ତାଙ୍କର କାହା କଥା ଶୁଣିବାରେ ନ ଥାଏ ଆଗ୍ରହ ନା କାହା ବିଷୟରେ କଥା ହେବାକୁ ଥାଏ ସମୟ ।

 

- ଆଜିକାଲିକା ବୋହୂ କ’ଣ ସେବା କରିପାରନ୍ତି ।

 

- ଏବେ ବୋହୂମାନେ ଅଧିକ କରୁଛନ୍ତି । ହଠାତ୍ ଦରକାର ପଡ଼ିଲେ ଡାକ୍ତରଖାନା ନେଇ ପାରୁଛନ୍ତି । ଆବଶ୍ୟକ ସ୍ଥଳେ ରାତିସାରା ଜଗିକି ଏକଲା ରହିପାରୁଛନ୍ତି ରୋଗୀ ପାଖରେ ।

 

ଆଜିର ଝିଅ ସାହସର ସହିତ, ଆଗ୍ରହର ସହ, ଏମିତି ସେବା କରନ୍ତି, ମୋତେ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ !

 

ଆଗରୁ ବୋହୂମାନେ ପ୍ରତିଦିନ ଗୋଡ଼ ମୋଡୁଥିଲାବେଳେ ଭାବୁଥିଲେ ବୁଢ଼ୀଟା କାହିଁକି ମରୁନି ଯେ ? ନା’ ତାଙ୍କ ସେବାରେ ଥିଲା ଆଗ୍ରହ ନା ନିଷ୍ଠା କେବଳ କରିବାପାଇଁ କରୁଥିଲେ ।

 

ମା’ର କଥା ଆନନ୍ଦକୁ ଭଲଲାଗେ । କିନ୍ତୁ ସେ ଏତେ ମୁକ୍ତଚିନ୍ତାଧାରାର ମା’ ତାଙ୍କୁ ବୁଝାଇପାରେନି ବୋହୂ ହେବାପାଇଁ ସୁନ୍ଦରୀ ହେବା ନିହାତି ଜରୁରୀ ନୁହେଁ ।

 

ଆନନ୍ଦର ବୟସ ଦିନକୁ ଦିନ ବଢ଼ିଚାଲେ । ବଢ଼ିଚାଲେ ମା’ର ଝିଅ ଖୋଜା ।

 

ଆନନ୍ଦର ସବୁ ସାଙ୍ଗ ବାହାହୋଇ ସାରିଥାନ୍ତି । ଯଦି କେହି ଚିହ୍ନାଜଣାଙ୍କ ବାହାଘରକୁ ଆନନ୍ଦ ଯାଏ, ତାକୁ ଶୁଣିବାକୁ ପଡ଼େ, ‘‘କ’ଣ ଖାଲି ବାହାଘର ଭୋଜି ଖାଉଥିବ ନା କେବେ ବାହାଘର ଭୋଜି ଖୁଆଇବ ।’’ ହସିକି ସିନା କିଏ କହିଦିଏ । କିନ୍ତୁ ସେହି କଥା ପିରିଖ କଣ୍ଟାପରି ଛାତିରେ ଗଳିଯାଏ ଆନନ୍ଦର । ତାକୁ କୌଣସି ସାଙ୍ଗ ଘରକୁ ଯିବାକୁ ଭଲ ଲାଗେନି । କାରଣ ସେମାନଙ୍କ ସଂସାର ଦେଖିଲେ ତା’ ଭିତରଟା ଛଟପଟ ହୁଏ ।

 

ଯଦି ବାଟଘାଟରେ ତା’ର କେହି ଚିହ୍ନାଜଣା ତାଙ୍କ ଛୁଆଙ୍କୁ ଧରି ଯାଉଥିବାର ଆନନ୍ଦ ଦେଖେ, ତା’କୁ ଭାରି ନିଃସ୍ୱ ନିଃସ୍ୱ ଲାଗେ ।

 

କେଜାଣି କେମିତି ଏକ ଅଭାବ ବୋଧରେ ଘାରି ହୁଏ ସେ ।

 

ଉଦାସ ଉଦାସ ରହେ ସେ । ଛ’ଫୁଟ ଉଚ୍ଚାର ଦେହ, ତୀକ୍ଷ୍ଣ ଗଢ଼ଣ ମୁହଁ, ତୋଫା ତ୍ୱଚାକୁ ଡେସିଂ ଟେବୁଲ ସାମ୍‌ନାରେ ଠିଆ ହୋଇ ଦେଖିବାକୁ ତା’ର ଆଗ୍ରହ ରହେନି ।

 

କଦାବା କ୍ୱଚିତ୍ କେଉଁ କଲେଜ ପାଖଦେଇ ଗଲାବେଳେ ପ୍ରେମୀ ଯୁଗଳଙ୍କୁ ଦେଖିଲେ ତା’ର ଈର୍ଷାହୁଏ ।

 

ତା’ର ପ୍ରେମ କରିବାର ବୟସ ଆଉ ନ ଥାଏ । ଯେଉଁ ସମୟରେ ସହଜରେ ପ୍ରେମିକା ମିଳିଯାନ୍ତି ସେ ସମୟ ସେ ଅତିକ୍ରମ କରିସାରିଥିଲା ପରି ତାକୁ ଲାଗେ । ପାଠ ପଢ଼ିଲାବେଳେ ସେ ବିଲ୍‌କୁଲ୍ ପ୍ରେମ ମନସ୍କ ନ ଥିଲା ।

 

ଏବେ ଝୁରି ହେଲେବି ସେ ସମୟ ଆସିବ ନା ସେ ଅନୁଭବ ।

 

ଆନନ୍ଦ ଆଜିକାଲି ତା ବେଡ୍‌ରୁମ୍ ସାମ୍ନା ବାଲକୋନିରେ ବସି ପାରୁନି ।

 

ବାଲକୋନିରେ ବସିଲେ ଦିଶିଯାଉଛି ତାଙ୍କ ଆଉଟ୍ ହାଉସ୍ ।

 

ଆଉଟ୍ ହାଉସରେ ରହୁଛି ତାଙ୍କ ମାଳି । ଯେ ତା’ଠୁ ଯଥେଷ୍ଟ ସାନ । ସେ ବି ବାହା ହୋଇଛି । ତା’ର ପତଳୀ ହୋଇ ଶ୍ୟାମଳୀ ସ୍ତ୍ରୀଟିଏ ଅଛି । ଯେ ହାତରେ ମେଞ୍ଚେ ପାଣିଚୂଡ଼ି ପିନ୍ଧେ, ମୁଣ୍ଡରେ ‘ଠ’ କରି ବଡ଼ ସିନ୍ଦୁର ଟୋପା ଲଗାଏ । ସକାଳେ ସଂଧ୍ୟାରେ ତାଙ୍କ ଘରେ ପରିବା କାଟେ, ମସଲା ବାଟେ, ବାସନ ମାଜେ । ମାଳିଟି ତାଙ୍କ ବଗିଚା କାମ କରେ ଦରକାର ପଡ଼ିଲେ ବଜାର ସଉଦା କରେ ।

 

ସେହି ମାଳିକୁ ଦେଖିଲେ ଆନନ୍ଦର ଇର୍ଷା ହୁଏ । ତା’କୁ ଲାଗେ ମାଳି ତା’ଠାରୁ ଭାଗ୍ୟବାନ । ଆନନ୍ଦକୁ ଲାଗେ ତା’ର ସ୍ତ୍ରୀଟେ ଥା’ନ୍ତାକି ସେ ତାହା ସହ ଟିକେ ଟିକେ ଝଗଡ଼ା କରନ୍ତା । ସେ ଜୀବନରେ କାହା ସହ ଝଗଡ଼ା କରିବାର ସୁଯୋଗ ପାଇନି । ଜୀବନରେ ଝଗଡ଼ା କରିବାର ଅନୁଭବ ବି ଟିକେ ଟିକେ ଦରକାର ।

 

ସେମାନେ ଯେତେବେଳେ ଦେହକୁ ଦେହ ଯୋଡ଼ି ଗପ କରନ୍ତି । ଯେତେବେଳେ ଗୋଟିଏ ପଖାଳ କଂସାରେ ପଖାଳ ଖା’ନ୍ତି, ସେତେବେଳେ ଆନନ୍ଦ ଆଉ ଦେଖିପାରେନି ତାଙ୍କୁ ।

 

ସେଥିପାଇଁ ତ ତା’ର ସାହସ ପାଉନି ବାଲକୋନି ପଟ କବାଟ ଖୋଲିବାକୁ । ଦଲକାଏ ଶୀତଳ ପବନ ପଛେ ନ ଆସୁ ସେ ସହିପାରିବନି ମାଳିର ସଂସାରକୁ ଦେଖି ।

 

ବାଟରେ ଘାଟରେ ଯାହାକୁ ଦେଖେ ତାକୁ କହେ ତା’ପାଇଁ ଝିଅଟେ ଖୋଜି ଦେବାକୁ । ଏକଥା କହିଲାବେଳେ ତାକୁ ଲାଜ ଲାଗେନି ।

 

ତା’ର ଅସହାୟତା କିନ୍ତୁ ମା’କୁ ଜଣାଇପାରେନି, କହିପାରେନି- ‘ମା’ ତୁ ସୁନ୍ଦରୀ ବୋହୂ ଖୋଜିବା ନିଶା ଛାଡ଼ିଦେ ।’ ନିଜ ଭିତରେ ନିଜେ ଖାଲି ଯାହା ସନ୍ତୁଳି ହୁଏ । ତାକୁ ଲାଗେ ପ୍ରତିଟି ମଣିଷ ସବୁବେଳେ ଏକ୍‌ଲା । ତା’ର ଦୁଃଖ, ତା’ର ଅସହାୟତା ସବୁ କେବଳ ତା’ର ।

 

ଏମିତି ଏମିତି ତାକୁ ତେୟାଳିଶ ପୁରି ଚଉରାଳିଶ ଚାଲିବା ଆରମ୍ଭ କରେ । ତଥାପି ମା’ର ସୁନ୍ଦରୀ ବୋହୂ ଖୋଜିବାର ନିଶା କମେନି ।

 

ମା’ ବେଳକୁ ବେଳ ଭାଙ୍ଗିପଡ଼େ ନିଦ ବଟିକା ଦି’ଟା ତିନିଟା ନ ହେଲେ ତାକୁ ନିଦ ହୁଏନି । ବାପା ବି ଏଥର ବୋହୂ ଖୋଜାରେ ଲାଗିପଡ଼ନ୍ତି ମାସରେ ଅଧାଦିନ କ୍ଲିନିକ୍ ବନ୍ଦ କରି ।

 

ଏଥର ଝିଅର ବାପାମାନେ, ମା’ ମାନେ ଏମିତିକି ଝିଅମାନେ ତାକୁ ନାପସନ୍ଦ କରିବା ଆରମ୍ଭ କରିଦିଅନ୍ତି । ବାପା ମା’ମାନେ କହନ୍ତି, ‘‘ଆମ ଝିଅ ତାଙ୍କ ପୁଅକୁ ବାହା ହେବନା, ତା’ ଚାକିରୀ ତା’ ବାପାର ଧନକୁ ବାହାହେବ ।’‘ ତାଙ୍କ ଘରକୁ ଆଜିଯାଏ ସମ୍ମାନ କରୁଥିବା ଲୋକମାନେ ମୁହେଁ ମୁହେଁ ଏମିତି ଉତ୍ତର ଦେଉଥିବାରୁ ଭାଙ୍ଗିପଡ଼ନ୍ତି ବାପା । ତାଙ୍କର ବ୍ଲଡପ୍ରେସର୍ ବଢ଼ିଯାଏ । ଏଇ ଭିତରେ ଦୁଇଥର ହାଟ୍‌ଆଟାକ୍ ତାଙ୍କର ହୋଇ ସାରିଥାଏ ।

 

ଆନନ୍ଦ କାହାକୁ କିଛି ବୁଝାଇପାରେନି, ଝିଅମାନେ ତାକୁ ବୁଢ଼ା ବର କହି ନାପସନ୍ଦ କରିବା ବି ଠିକ୍ । କାରଣ ଚବିଶ ବର୍ଷର ଝିଅ କାହିଁକି ବା ତାକୁ ବାହା ହେବାକୁ ରାଜି ହେବ । ଆଉ କେଉଁ ଯୁଗ ହୋଇନି ଯେ ଝିଅଟେ ଆଖିକାନ ବୁଜି ଯାହାକୁ କହିବ ତା’କୁ ବାହା ହୋଇଯିବ ।

 

ବାଇଶ ତେଇଶ ବର୍ଷର ସୁନ୍ଦରୀ ଝିଅକୁ କ’ଣ ବର ଅଭାବ ଯେ’ ସେ ତାକୁ ବାହା ହେବ-। ବାହାଘରଟା ନିହାତି ଜରୁରୀ ନୁହେଁ, ଭାବିଲେ ବି ସେ ଭାଙ୍ଗି ପଡ଼ୁଥିଲା ।

 

ତାଙ୍କ ଘରର ସମସ୍ତେ ଭାଙ୍ଗି ପଡ଼ୁଥିଲେ ।

 

ଭାଙ୍ଗିପଡ଼ୁଥିଲା ସେମାନଙ୍କ ଇଚ୍ଛା, ସେମାନଙ୍କ ଆଗ୍ରହ, ସେମାନଙ୍କ ଜୀବନ ପ୍ରତି ମୋହ ।

 

ଏକ୍‌ଲା ପାରା

 

ଛାତ ଉପରେ ପାରାଟେ ବସିଛି । ଏକ୍‌ଲା । ଅନଉଛି ଏପଟ ସେପଟକୁ । ବାସ୍‌, ବସିଛି ଆଉ ଅନଉଛି, ଅନଉଛି ଆଉ ବସିଛି । ଉଡ଼ିକି କୁଆଡ଼େ ଯାଉନି ଅନେକବେଳୁ ବସିଛି । ଆଶ୍ୱିନମାସର ମଉଳା ଖରାରେ ଏକ୍‌ଲା ବସିଛି କାହିଁକି ? ତା’ର କ’ଣ କେହି ସାଙ୍ଗ ନାହାଁନ୍ତି । ନା, ସେ କାହାକୁ ସାଙ୍ଗ କରିପାରୁନି ! କେତେବେଳୁ ଏକ୍‌ଲା ବସିଛି । ତାକୁ ବୋର ଲାଗୁନି ! ବେଶ୍ ସୁସ୍ଥ ଡେଣା ଯୋଡ଼ିଏ ଥାଇକି ତା’ର ଇଚ୍ଛା ହେଉନି ଉଡ଼ିବାକୁ ! ତଳେ ବିରାଟ ବଡ଼ ଚମ୍ପା ଫୁଲ ଗଛରେ ବସି ପାରନ୍ତା । ନ ହେଲା ନାହିଁ, ହଳଦିଆ କନିଅର ଗଛରେ ହେଲା ବସନ୍ତା । ସେମିତି ଏକ୍‌ଲା ଛାତ ଉପରେ !! ଏମିତି ବେକକୁ ଏପଟ ସେପଟ କରି ଶୂନ୍ୟକୁ ଅନଉଛି କାହିଁକି ? ଶୂନ୍ୟକୁ କ’ଣ କିଏ ଅନାଏ !!

 

ବୋର୍ ଲାଗିଲା ସୁନୀତାକୁ । ପାରାମାନେ କାହିଁକି ଗଛ ଉପରେ ବସନ୍ତିନି, ସେ ବୁଝିପାରିଲାନି । ଝର୍କା ବନ୍ଦ କଲା । ତା’ର ମନ ଭଲନାହିଁ । ମନୋଜ ସହ କଳି ହୋଇଛି ଚାରିଦିନ ହେଲା । କଳିମାନେ କ’ଣ ? ମନୋଜ କିଛି କହି ନାହିଁ । ଚୂପ୍‌ଚାପ୍ ରହିଛି । ଯାହା କହିବାର ସୁନୀତା କହିଛି ବେଶ୍ ରାଗିଯାଇ ।

 

ଚାରିଦିନ ହେଲା ମନୋଜ ଖାଉନି ଘରେ । ହୋଟେଲରେ ଖାଉଛି । ସୁନୀତା କାନ୍ଦୁଛି । ମନକୁ ବୁଝାଉଛି । ଘର କାମ କରୁଛି । କିନ୍ତୁ ମନ ମନୋଜ ପାଖରେ । ରାନ୍ଧୁଛି । ଖାଉନି । ଫିଙ୍ଗୁଛି । ମନୋଜ କ’ଣ କେବେ ରାଗେନି ସୁନୀତା ଉପରେ ? ସୁନୀତା କ’ଣ ଗାଉଁଲି ସ୍ତ୍ରୀଲୋକଙ୍କ ପରି ବାପଘରକୁ ପେଡ଼ି ପୁଟୁଳା ଜାକି ପଳାଏ । ନା, ଏହି ସହରରେ ରହୁଥିବା ନିଜ ମାଉସୀ ଘରକୁ ଯାଇ ରାତିଏ, ଦି’ରାତି ବିତାଇ ଦେଇ ଆସେ । ସେ ମନ ଦୁଃଖ କରେ, ରାନ୍ଧେ, ବାଢ଼େ ଖାଇବାକୁ ଦିଏ ।

 

ମନୋଜକୁ ସିଏ ବାହା ହୋଇଛି । ମନୋଜକୁ ପ୍ରେମ କରେ । କିଛି ଘଣ୍ଟା ନ ଦେଖିଲେ ପାଗିଳୀ ପରି ହୁଏ । ତା’ଦୁଃଖ ସୁଖରେ ସାମିଲ ହୁଏ । ତା’ହାଲେ ତା’ ଉପରେ ରାଗିବନି କହିଁକି ? ତା’ ତ୍ରୁଟି ଦେଖିଲେ ଆଖି ବୁଜି ଦେବ କାହିଁକି ? କ’ଣ ନିଜ ଲୋକ ଆଗରେ ଅଭିନୟ କରିବ ? ଛଳନା କରିବ ? ମିଛ କହିବ ? ଉପରେ ହସି ଭିତରେ ଘୃଣା କରିବ ?

 

ସୁନୀତା ଦୁଃଖୀ କିନ୍ତୁ ତା’ମନଟା ହାଲ୍‌କା ଲାଗୁଛି । ତା’ଭିତରର ସବୁ ଆର୍ବଜନାକୁ ସେ ଫିଙ୍ଗି ଦେଇଛି । ଛଳନା ମୁକ୍ତ ତା’ର ମନ, ଶରତ ଋତୁର ମେଘମୁକ୍ତ ଆକାଶ ପରି ।

 

ସେଦିନ କ’ଣ ଗୋଟେ କରୁଥିଲା ମନୋଜ ଟେବୁଲ ପାଖରେ । ସୁନୀତା କହିଲା, ‘‘ଜାଣିଲ, ପୂଜା ମ୍ୟାଗାଜିନ୍ ଆସିଲାଣି । ମୋ ପାଇଁ ଦି’ଟା ଆଣିବ ।’’

 

ମନୋଜ ହାଲ୍‌କାଭାବେ କହିଲା ତା’ କାମ କରୁ କରୁ ‘‘ଆଣିଲେ କ’ଣ କରିବ?’’

 

- ‘‘ପଢ଼ିବି ।’’

 

-‘‘ପଢ଼ିଲେ କ’ଣ ହେବ ?’’

 

-‘‘ତମକୁ ତ କହିଲି ଆଣିବ ?’’

 

-‘‘କାହିଁକି ସେ ମାୟାରେ ପଡ଼ୁଛ ?’’

 

-‘‘ମାୟା ଫାୟା ମୁଁ ଜାଣିନି । କେତେବା ଟଙ୍କା ପଡ଼ିବ ଆଣିଦେବ ।’’

 

-‘‘ଛୋଟ ଛୋଟ ଖର୍ଚ୍ଚ କାଟ ନ କଲେ ବଡ଼ ଧାର ସୁଝା ହେବ କେମିତି ।’’ ‘‘ତା’ଛଡ଼ା ମ୍ୟାଗାଜିନ୍ ପଢ଼ିଲେ ଲାଭ କ’ଣ ?’’

 

ଏତିକି କଥାରେ ରାଗିଗଲା ସୁନୀତା । କହିଲା, ‘‘ପୂଜାରେ ସ୍ତ୍ରୀଲୋକମାନେ କେତେ କ’ଣ କିଣୁଛନ୍ତି । ମୁଁ ମ୍ୟାଗାଜିନ୍ ଦି’ଟା ପାଇଁ କହିଲାରୁ ରାଗୁଛ । ନିହାତି ସ୍ୱାର୍ଥପର ମଣିଷ । ନିଜ ସ୍ୱାର୍ଥ ଆଗ । ପ୍ରତି ସପ୍ତାହରେ ମୋବାଇଲ୍ କାର୍ଡ଼ ପକାଉଛ । ନିଜ ଇଚ୍ଛାରେ ଯାହା ଯେତେ ପଇସା ଖର୍ଚ୍ଚ କରୁଛ । ଦୁନିଆ ସିଡ଼ି, କ୍ୟାସେଟ୍ କିଣୁଛ । ମୋ ବେଳକୁ ସବୁ କଥାରେ ନା... ନା...ନା... । ଲାଭ କେଉଁଥିରେ ଅଛି ? ଛୁଆ ଜନ୍ମ କରିବାରେ, ବଂଚିବାରେ ସିନେମା ଦେଖିବାରେ... ।’’

 

ସୁନୀତା କଥାରେ ରାଗିଯାଇ ମନୋଜ ବଢ଼ା ଭାତ ଛାଡ଼ି ପଳାଇଲା । ଯେତେ ଭୁଲ ମାଗିଲେ ବି ସେ ଶୁଣିଲାନି । ପୁରୁଷଟି ଯେତେ ଯାହା କହିଲେ ନାରୀଟି ନ ଶୁଣିଲା ପରି ଚାଲେ, ଟିକେ କଥା ନାରୀ କହିଲେ ହୋଇଯାଏ ପ୍ରଳୟ । ସୁନୀତା ବୁଝିପାରେନି ସମସ୍ତେ ନାରୀକୁ କାହିଁକି ମେଟେରିଆଲ୍‌ଷ୍ଟିକ୍ କହନ୍ତି । ପୁରୁଷ ଭାତ ମାଗେ, ନାରୀଟି ଚାଉଳ ମାଗିଲେ ସେ ମେଟେରିଆଲ୍‌ଷ୍ଟିକ୍ । ପୁରୁଷ ସଫାଲୁଗା ପିନ୍ଧିବାକୁ ଚାହେଁ, ନାରୀଟି ଡିଟରଜେଣ୍ଟ ପାଇଁ କହିଲେ ସେ ମେଟେରିଆଲ୍‌ଷ୍ଟିକ୍ ! ନାରୀଟିକୁ ଯଦି ପୁରୁଷଟି ହଜାର ହଜାର ଟଙ୍କାର ଶାଢ଼ୀ ଆଣି ଦିଏ । କିନ୍ତୁ ଥରଟିଏ ବି ଅନାଏନି ସେ ଶାଢ଼ୀରେ ନାରୀଟି କେମିତି ଦୁଶୁଛି, ତା’ହେଲେ ନାରୀଟି କ’ଣ ଖୁସି ହୋଇ ପାରିବ ! କିନ୍ତୁ ପୁରୁଷଟି ଯଦି କେଉଁ ଅକାଳେ ସକାଳେ ଅଳ୍ପ ଟଙ୍କାର ସୂତା ଶାଢ଼ୀଟିଏ ଦିଏ ଏବଂ ଶାଢ଼ିଟି ପିନ୍ଧିଲା ପରେ ନାରୀଟିକୁ ଭାବପ୍ରବଣ ହୋଇ କହେ, ‘‘ବାଃ, କ’ଣ ଦିଶୁଛ ତମେ ଏ ଶାଢ଼ୀରେ !’’ ତା’ହେଲେ ନାରୀଟି ଉଛୁଳି ପଡ଼ିବ ଖୁସିରେ, ଆବେଗରେ, ଲାଜରେ, ଭଲପାଇବାରେ ।

 

ଯାହାର ଚିନ୍ତା କରୁ କରୁ ନାରୀଟିର ସକାଳ ହୁଏ । ଯା’ର ଚିନ୍ତା କରୁ କରୁ ରାତି ହୁଏ । ସେ କହେ,‘‘ମୋ ପ୍ରଗତି ପଥର ଶିଉଳି ନାରୀ, ସଫଳତାର ପ୍ରତିବନ୍ଧକ ନାରୀ,ଅସଫଳତାର କେନ୍ଦ୍ରବିନ୍ଦୁ ନାରୀ, ଯୋଗର ବିଘ୍ନ ନାରୀ ।’’ ସତେ ଯେମିତି ସବୁ ବିଘ୍ନ, ସବୁ ଅସୁବିଧା ତା’ଠାରୁ ସୃଷ୍ଟି ।

 

ସ୍କୁଟରଟେ ଆସିବାର ଶବ୍ଦ ଶୁଣି ସୁନୀତା ଧାଇଁ ଗଲା ଗେଟ୍ ପାଖକୁ । ନା.. ସ୍କୁଟରଟା ଗେଟ୍ ପାଖରେ ନ ଅଟକି ଆଗକୁ ଚାଲିଗଲା । ସୁନୀତାର ସବୁ ଆଗ୍ରହ ନଷ୍ଟ ହୋଇଗଲା । ସେ ଚାହିଁଲା ଛାତ ଉପରକୁ । ପାରାଟା ସେମିତି ବସିଥିଲା । ସେ କ’ଣ କାହାକୁ ଅପେକ୍ଷା କରିଛି ? ହେଇପାରେ... ନ ହେଇବି ପାରେ । ଅପେକ୍ଷାଟା ଭାରି କଷ୍ଟ । ଯେଉଁ ସ୍କୁଟରଟେ ଆସିଲେ ସୁନୀତାକୁ ଲାଗୁଛି ମନୋଜ ଆସିଗଲା । ରାସ୍ତାର ପ୍ରତିଟି ଶବ୍ଦକୁ କାନ ପାତି ପାତି ବୋର୍ ହୋଇଗଲାଣି ସୁନୀତା । ଏଥର ସେ ବାଥ୍‌ରୁମ୍ ଭିତରେ ପଶିଲା । ତା’ର ମନ ଦୁଃଖ ହେଲେ ସେ ଗାଧାଏ । ରାଗ ଲାଗିଲେ ବି । ବାଥ୍‌ରୁମରେ ପଶି ସୁନୀତା ଟ୍ୟାପ୍ ଖୋଲିଲା । ଟବରେ ପାଣି ଭର୍ତ୍ତି ହେଉଥିଲା । ସେ ପିଢ଼ାଟେ ପକାଇ ଚୁପ୍ ଚାପ୍ କିଛି ସମୟ ବସିଲା । ତାକୁ କିଛି ଭଲ ଲାଗୁ ନ ଥିଲା । ମନଭଲ ନ ଥିଲେ ଯେଉଁଠିକୁ ଗଲେ ବି ଶାନ୍ତି ଲାଗେନି ।

 

ବେଳେବେଳେ ବାଥ୍‌ରୁମରେ ଚୁପ୍‌ଚାପ୍ ବସି ତାକୁ ନିଜ ଭିତରର ନିସଙ୍ଗତାକୁ, ନିର୍ଜନତାକୁ ସାଉଁଟିବାକୁ ଭଲ ଲାଗେ । ଆଜି କିନ୍ତୁ ତା’ର ମନଟା ଭାରୀ ଭାରୀ ଲାଗୁଥିଲା । କେମିତି ଗୋଟେ ଗୁମ୍‌ସୁମ୍ ଗୁମ୍‌ସୁମ୍ ଭାବ ତାକୁ ଆଚ୍ଛନ୍ନ କରି ରଖୁଥିଲା । ଆଃ.. ସବୁବେଳେ ମିଛରେ ହସୁଥିବ । ମିଛରେ ସହିଯିବାର ଅଭିନୟ କରୁଥିବ । ସତେ ଯେମିତି ନିର୍ଜିବ ମାଟି ମୂର୍ତ୍ତି । ଟିକେବୋଲି ଟିକେ ଇଚ୍ଛା ନାହିଁ, ସ୍ୱପ୍ନ ନାହିଁ, ଭାବପ୍ରବଣତା ନାହିଁ ।

 

ନା, ଯେତେବେଳେ ରିମୋର୍ଟ ଚିପିଲେ ଯେଉଁ ଚ୍ୟାନେଲ ଦେଖିବାକୁ ଚାହୁଁଥିଲେ ଦେଖାଯାଉଥିବା ଏକ ରଙ୍ଗୀନ୍ ଟିଭି । ଯେତେବେଳେ ଭଲ୍ୟୁମ୍ ବଢ଼େଇଲେ ଭଲ୍ୟୁମ୍ ବଢ଼ିବ, ଯେତେବେଳେ ଭଲ୍ୟୁମ୍ କମାଇଲେ ଭଲ୍ୟୁମ୍ କମିବ । ଇଚ୍ଛା ହେଲେ ତାକୁ ଅନ୍ କରିବ । ଇଚ୍ଛା ନ ହେଲେ ମାସ ମାସ ଧରି ପଡ଼ିଥିବ ଅଛୁଆଁ ହୋଇ । ଚାହିଁବତ ତା’ ଉପରେ ପାଟ କନା ଘୋଡ଼େଇବ, ଚାହିଁବତ ତାକୁ ଫୁଙ୍ଗୁଳା ପକାଇଦେବ । ସମୟ ହେଲେ ଝାଡ଼ିଦେବ ତା’ଉପର ଧୂଳି, ନ ହେଲା ତ ଧୂଳି ଜମିବ ସ୍ତର ସ୍ତର ହୋଇ । ନିଜ ଖୁସିରେ ତା’ ଉପରେ ଫୁଲଦାନୀ ରଖା ଯାଇପାରେ ନଚେତ୍ ନାହିଁ ।

 

ସୁନୀତା ଆସ୍ତେ ଆସ୍ତେ ଦେହରେ ପାଣି ଢାଳିଲା ବହୁ ସମୟ ଧରି । କଲିଂବେଲ ବାଜିଲା । ସୁନୀତା ତଥାପି ଦେହରେ ପାଣି ଢାଳୁଥାଏ । ଯିଏ ଡାକିଲେ ଡାକୁଥାଉ ସେ ମନଇଚ୍ଛା ଗଧୋଇବ । ବିଲ୍‌କୁଲ ଶୁଣିବନି । ପୁଣି ଥରେ କଲିଂବେଲ ବାଜିଲା । ସୁନୀତା ଭାବିଲା ମନୋଜ ଆସିନାହାନ୍ତିତ । ସୁନୀତା ଲୁଗା ବଦଳେଇ ବାହାରକୁ ବାହାରିଲା । ଗ୍ରୀଲରେ ମୁହଁ ଗଳେଇ ଦେଖିଲା ବାହାରେ ମନୋଜ ଠିଆ ହୋଇଥିଲା । ସୁନୀତା ତରତର ହୋଇ ଗେଟ ଖୋଲିଲା । ମନକୁ ମନ ଗାଳି ଦେଲା ନିଜକୁ । ‘‘ଡେରି କଲା କାହିଁକି ଏତେ କବାଟ ଖୋଲିବାକୁ ?’’ ମନୋଜ ଗାଡ଼ି ଭିତରକୁ ପୁରାଇଲା । ଦୁଇଟା ବ୍ୟାଗରେ ଭର୍ତ୍ତି ପରିବାକୁ ରୋଷେଇ ଘରେ ଥୋଇ ଚାଲିଲା ଡ୍ରେସ୍ ଚେଞ୍ଚ୍ କରିବାକୁ । ପରିବା ବ୍ୟାଗ୍ ଦେଖି ସୁନିତା ଜାଣିପାରିଥିଲା ମନୋଜର ରାଗ ଶାନ୍ତ ହୋଇଯାଇଛି । ସୁନୀତା ଆସିଲା ରୋଷେଇ ଘରକୁ ଲେମ୍ବୁ ସରବତ କରି ମନୋଜର ଟେବୁଲ୍ ପାଖରେ ରଖିଲା । ଚାଲିଲା ରୋଷେଇ ଘରକୁ । ସକାଳୁ କରିଥିବା ଭାତ ମଟର ତରକାରୀ ସେମିତି ଥୁଆ ହୋଇଥିଲା । ବ୍ୟାଗ୍ ଭିତରର ଫ୍ରେସ୍ ପରିବା ପରି ଫ୍ରେସ୍ ଫ୍ରେସ୍ ଲାଗୁଥିଲା ସୁନୀତାର ମନ । ବ୍ୟାଗ୍‌ରୁ ସବୁଜ ସତେଜ କଂଚା କଦଳୀ ବାହାର କରି ତରବର ହୋଇ କାଟିଲା । ଗ୍ୟାସ୍‌ର ଗୋଟେ ପଟରେ କଦଳୀ ଭଜା ବସେଇଲା । ଆରପଟରେ ଅଳ୍ପ ତେଲ ଦେଇ ଗୋଟେ ବଡ଼ ବାଇଗଣକୁ ଦୁଇଫାଳ କରି କାଟି ପକାଇଲା । ବାଇଗଣ ଭର୍ତ୍ତା ପାଇଁ ଗୋଟେ ପ୍ଲେଟରେ ଚୁନା ଚୁନା କରି ପିଆଜ କାଟିଲା । ବାଇଗଣଟା ସିଝିଗଲା ପରେ ତାକୁ ବାହାର କରି ବଡ଼ି ଦି’ଟା ଭାଜିଲା-। ଗୋଟେ ଟମାଟୋକୁ କଡ଼େଇରେ ପୋଡ଼ିଲା । ବଡ଼ି ଟମାଟୋକୁ ରସୁଣ ଦେଇ ଚକଟିଲା । ଦି’ଟା କଲରାକୁ ଚୁନୁ ଚୁନା କରି କାଟି ହଳଦୀ ଲୁଣ ଗୋଳାଇ ତେଲରେ ଛାଣି ରଖିଲା । ମନୋଜର ପ୍ରିୟ ଟମାଟୋ, ଗାଜର, କାକୁଡ଼ି ସାଲାଡ଼ ବାଦମ, ଦହି ଦେଇ କଲା ।

 

ଏଥର ଖାଇବାକୁ ବାଢ଼ିଲା । ମନୋଜ ବିନା ଡକରାରେ ଚୁପ୍‌ଚାପ୍ ଖାଇବସିଲା । ମନୋଜ ଖାଉଥିଲା । ସୁନୀତା ପାଖରେ ବସିଥିଲା । ମନୋଜ ନୀରବରେ ଖାଉଥିଲାତ ସୁନୀତା ନୀରବରେ ବାଢ଼ି ଦେଉଥିଲା । ତଥାପି ତା’ର ମନ ହାଲ୍‌କା ହାଲ୍‌କା ଲାଗୁଥିଲା । ହଠାତ୍ ତା’ର ମନେପଡ଼ିଗଲା ପାରା କଥା । ସେ କ’ଣ ବସିଥିବ ଏଯାଏ । ନା..ଉଡ଼ି ଯାଇଥିବ । ଏତେ ସମୟ କିଏ କ’ଣ ବସିପାରେ ଗୋଟିଏ ଯାଗାରେ । ଗୋଟିଏ ମୁଦ୍ରାରେ । ଦଉଡ଼ିଗଲା ଗ୍ରୀଲ୍ ପାଖକୁ ।

 

ପାରା ତଥାପି ଏକ୍‌ଲା ବସିଥିଲା ଛାତ ଉପରେ । ନିରାଶକ୍ତ ଭାବେ ।

 

ନିସଙ୍ଗତା ଦରକାର । ତା’ବୋଲି ଏତେବେଶୀ ନିସଙ୍ଗତା ଏତେ ସମୟଧରି । ସେ କ’ଣ ଅପେକ୍ଷା କରିଛି ତା’ ପ୍ରେମିକାକୁ ? ପ୍ରେମିକାକୁ ଅପେକ୍ଷା କରିବା ଭାରି ବୋରିଂ । ପୁଣି ଏତେ ସମୟ ଧରି । ମନୋଜ ଡାକୁଥିଲା-‘‘କୁଆଡ଼େ ଗଲ ଅଧା ଖାଇବାକୁ ଦେଇ ।’’ ସୁନୀତା ‘‘ଯାଉଛି’ କହି ଆସିଲା ମନୋଜ ପାଖକୁ । ପାରା ତଥାପି ବିସିଥିଲା । ଏକ୍‌ଲା । ଛାତଟା ଉପରେ ।’’

 

ମଉଳା ମନର ଗପ

 

କ୍ଳାନ୍ତ ଅପରାହ୍ନ । ମା’ ରାତି ଚାରିଟାରୁ ଉଠି ହାଲିଆ ହୋଇ ଶୋଇ ପଡ଼ିଛନ୍ତି । ବାପା ସେ ଘରେ ପଢ଼ୁଛନ୍ତି ଆକ୍ୟୁପ୍ରେସର ବହି । ମୁଁ ଚୁପ୍‌ଚାପ୍ ଉଠି ଦାଣ୍ଡକବାଟ ଆଉଜେଇ ଚାଲିଲି ଗଣ୍ଡବାଡ଼ି ଆଡ଼େ । ସବୁଥର ଗାଁକୁ ଆସିଲେ ଚାହେଁ ବିତାଇବାକୁ ଅଧିକାଂଶ ସମୟ ଏଇଠି । ସେଇଥିପାଇଁ ପ୍ରତିଥର ଗାଳି ଶୁଣେ ବାପାଙ୍କଠାରୁ । ଥରେ କ’ଣ ହୋଇଛି ନା ଖରାଦନେ ଗାଁକୁ ଆସିଥାଉ । ଖରାବେଳ ହୋଇଥାଏ । ମା’ବାପୁକୁ ଶୋଇ ଦେଉ ଦେଉ ଶୋଇ ପଡ଼ିଥାନ୍ତି । ମୁଁ ଆଗରୁ ପାଚିଲା ଆମ୍ବର ଲୋଭ ଦେଖାଇ ଗଣ୍ଡବାଡ଼ିକି ଯିବାକୁ ରାଜି କରାଇଥାଏ ବାପୁକୁ । ମା’ଙ୍କ ଶୋଇବା ପରେ ଦୁହେଁ ପାଦ ଚିପିଚିପି ବାହାରିଲୁ ଦାଣ୍ଡକୁ । ଚାରିଆଡ଼େ ଗରମ ହେଉଥିଲେ ବି ବାଡ଼ିଟି ବେଶ୍ ଥଣ୍ଡା ଲାଗୁଥାଏ । କାରଣ ଏହି ବାଡ଼ିରେ ଅଛି ତିନୋଟି ପୋଖରୀ, ଅନେକ ନଡ଼ିଆ, ଆମ୍ବଗଛ ସହ ବଡ଼ ବଡ଼ ଚାକୁଣ୍ଡା, ନୀମ୍ବ, ବେଲ, ଜାମୁକୋଳି, କେନ୍ଦୁ, ଝାଉଁ, ପଣସ ଓ ବଭିନ୍ନ ପ୍ରକାରର ଫୁଲଗଛ । ଆମେ ବାଡ଼ିରେ ପହଞ୍ଚିଲାବେଳକୁ କଣ୍ଡୁରୀ ନାନା ଗୋଟେ ଗଛତଳେ ସପଟିଏ ପାରି ଶୋଇପଡ଼ିଥାଏ । କେତୋଟି ଗାଁ ପିଲା ଅତି ସନ୍ତର୍ପଣରେ ଗୋଟାଉଥାନ୍ତି ଆମ୍ବ । ଆମକୁ ଦେଖି ସେମାନେ ଯିଏ ଯୁଆଡ଼େ ପାରିଲେ ଧାଇଁ ପଳେଇଲେ । ମୁଁ ଆମ୍ବଗଛ ତଳ ସିମେଣ୍ଟ ବେଞ୍ଚ ଉପରେ ବସି ଆମ୍ବଗଛ ପୋଖରୀ ଭିତରକୁ ନଇଁ ପଡ଼ିଥିବା ଜାମୁଡାଳ ଗଛକୁ ଦେଖୁଥାଏ । ସବୁଠାରୁ ଆକର୍ଷଣୀୟ ଲାଗୁଥାଏ ଦୁଇଟି ପାଣିକୁଆଙ୍କ ପାଣିରେ ପହଁରିବା ଦୃଶ୍ୟ । ଏ ଦୁଇଟି ପାଣିକୁଆ କୁଆଡ଼େ ପ୍ରତିବର୍ଷ ଆସନ୍ତି ଆମ ପୋଖରୀକୁ । ବାପାଙ୍କୁ ଆସୁଥିବାର ଦେଖି ବାପୁ ଆମ୍ବ ଗୋଟା ଛାଡ଼ି ଆଉ ଗୋଟାଏ ବାଟଦେଇ ଦଉଡ଼ି ପଳାଇଲା । ମୁଁ କ’ଣ ଏ ରାଜ୍ୟରେ ଅଛି ଯେ ଜାଣିବି । ମୁଁ ତ ଆମ୍ବଗଛ, ପାଣିକୁଆ ଭିତରେ ବୁଡ଼ିଯାଇଛି । ବାପା ବାଡ଼ରୁ ବାଡ଼ିଟିଏ ଭାଙ୍ଗି ପିଟି ପିଟି ମୋତେ ଘରକୁ ନେଲେ ଏବଂ ବାନ୍ଧିଦେଲେ ଗୋଟେ ଖୁଣ୍ଟରେ । କହିଲେ, ନିଜେ ତ ଖରାରେ ବୁଲି ବୁଲି ନଷ୍ଟ ହେବୁ ତା’ ସାଙ୍ଗେ ସାଙ୍ଗେ ପିଲାଟିକୁ ନଷ୍ଟ କରିବୁ । ଯେତେ ଯିଏ କହିଲେ ବି ଖୋଲିଲେନି । ଏମିତି କେତେଥର ମାଡ଼ ଖାଇଛି । ଉଠ୍‍ ବସ୍ ହୋଇଛି । କାନଧରି ଘରକୁ ଫେରିଛି-। ତଥାପି ଛାଡ଼ିପାରିନି ଗଣ୍ଡବାଡ଼ିର ମୋହ । ଆମର ଆହୁରି ଦୁଇଟି ବାଡ଼ି, ସେଠି ବି ନଡ଼ିଆଗଛ ଓ ଆମ୍ବଗଛ ଅଛି । ପୋଖରି ଅଛି । ତଥାପି କାହିଁକି ଏହାର ଆକର୍ଷଣ ମୋ’ପାଇଁ ସ୍ୱତନ୍ତ୍ର । ମା’ କହନ୍ତି, ଛୋଟବେଳେ ମୁଁ ଜୋରରେ କାନ୍ଦିଲେ ମା’ ମୋତେ ନେଇଯାଆନ୍ତି ବାଡ଼ିକୁ । ଆଉ ବାଡ଼ିରେ ପହଞ୍ଚିଲା ପରେ ହୋଇଯାଏ ମୋର କାନ୍ଦ ବନ୍ଦ ଅତି ଆଶ୍ଚର୍ଯ୍ୟଜନକ ଭାବେ ।

 

ଏମିତି ଭାବି ଭାବି କେତେବେଳେ ଯେ ଗଣ୍ଡବାଡ଼ିରେ ପହଞ୍ଚି ଯାଇଥିଲା ଜାଣିପାରିନଥିଲି । ଗାଁ ଲୋକମାନେ ଧାନ କାଟି ଖଳାକୁ ଆଣୁଥିଲେ । ଆମର ମଧ୍ୟ ବୁହା ହେଉଥିଲା ଧାନ । କିନ୍ତୁ ମୁଁ ସେସବୁ ନ ଦେଖି, ଯାଇ ପୋଖରୀ ତୁଠ ପଥର ପାହାଚରେ ବସିଲି । ଅଳ୍ପ ଦୂରରେ ଫୁଲଭର୍ତ୍ତି କୃଷ୍ଣଚୂଡ଼ା ଗଛ ନୂଆ ବୋହୂଟି ପରି ଦିଶୁଥିଲା ଲାଲ୍ ଟୁକ୍‌ଟୁକ୍ । ଯଦିଓ ଗାଁ ପିଲାମାନେ ହଳଦିଆ କନିଅର, ମନ୍ଦାର ଓ ତରାଟ ଫୁଲ ତୋଳି ନେଇଯାଇଥିଲେ, ତଥାପି କିଛି କିଛି ରହିଯାଇଥିଲା ଉପରେ । ହଳଦିଆ ଗେଣ୍ଡୁ, କେଳିକୁଷୁମର ବାସ୍ନା ଲେସି ହୋଇଛି ଚାରିଆଡ଼େ-। ଏମିତି ଆଖି ପକାଉ ପକାଉ ଦେଖିଲି ଆର ପୋଖରୀ ହୁଡ଼ାରେ ଉଠିଛି କିଛି ପୋକଶୁଙ୍ଘା ଗଛ । ମାଳିର ଅଜାଣନ୍ତେ ଅଯତ୍ନରେ ଉଠିଥିବା ସବୁଜ ଗଛଗୁଡ଼ିକ ଦିଶୁଥିଲା ଚମତ୍କାର ଏହି ବିଭୋର ବେଳାରେ । ତା’ ଡାଳରେ ଫୁଟିଥିବା କୁନି କୁନି ଟିକେ ବାଇଗଣି ବାଇଗଣି ଧଳା ଫୁଲଗୁଡ଼ିକ ଦିଶୁଥିଲା ଆହୁରି ଚମତ୍କାର । ଫୁଲଗୁଡ଼ିକ ମୋତେ କରୁଥିଲା ଆକର୍ଷିତ । ମୁଁ ପୋଖରୀ ତୁଠରୁ ଉଠିଯାଇ ନଡ଼ିଆ ଗଛ ତଳେ ବସି ପୋକଶୁଙ୍ଗା ଫୁଲ ଭିତରେ ହଜାଇ ଦେଇଥିଲି ନିଜକୁ । ଭୁଲି ଯାଇଥିଲି ନିଜର ଅତୀତ ଓ ସମୟର ଗତିଶୀଳତାକୁ । କେତେବେଳେ ଯେ ସନ୍ଧ୍ୟା ହୋଇଛି ମୁଁ ଜାଣି ପାରିନି । ଚିନୁର ଡାକରେ ପ୍ରକୃତିସ୍ଥ ହେଲି । ଅନ୍ଧାର ଚୁପି ଚୁପି ଆସୁଥିଲା ବାଉଁଶ ବୁଦା ପଛରୁ । ଡେରି କଲେ ମା’ ବିରକ୍ତ ହେବେ । ସନ୍ଧ୍ୟା ପୁଣି ଦେବାକୁ ହେବ ଲୁଗାପଟା ବଦଳାଇ... । ଅନିଚ୍ଛା ସହ ଚଞ୍ଚଳ ହୋଇ ଉଠିଲି ଘରକୁ ଯିବାକୁ ।

 

ପରଦିନ ସକାଳୁ ମା’ ଉଠାଇ ଦେଲେ । କହିଲେ ଯା ବାଡ଼ି ପୋଖରୀରେ ମାଛ ଧରାହେବ ବସିବୁ । ବଡ଼ ବିରକ୍ତ ଲାଗିଲା । ଯା’ଆଜି ସକାଳଟା ନଷ୍ଟ ହୋଇଗଲା । ଆଜି ଆଉ ଦାନ୍ତଘସି ଘସି ଗଣ୍ଡବାଡ଼ିକୁ ଯାଇ ହେବନି କି ଦେଖିହେବନି ତା’ର ଚିର ଇପ୍‌ସିତ୍ ପୋକଶୁଙ୍ଗା ଫୁଲମାନଙ୍କୁ । ତଥାପି ଗଲି । କାଳେ ବାପା ମନଦୁଃଖ କରିବେ । ଗୋଖାମାନେ ବଡ଼ ଜାଲ ଧରି ପୋଖରୀ ଭିତରେ ପଶିଥାନ୍ତି । ଗାଁର ଛୋଟରୁ ବଡ଼ ସମସ୍ତେ ଠିଆ ହୋଇଥାନ୍ତି ପୋଖରୀ ହୁଡ଼ାରେ-। ମାଛ ଜାଲରେ ନ ପଡ଼ୁ ପଛେ, ତାଙ୍କର ତରକାରୀ ଖାଇବାକୁ ଚିନ୍ତା । ମୁଁ ପୋଖରୀ କୂଳରେ ପହଞ୍ଚୁ ପହଞ୍ଚୁ ସମସ୍ତେ ସମସ୍ତଙ୍କ ବରାଦ ଜଣାଇଲେ । ମାଛଧରା ମଝିରେ ବି ଯାଇପାରିଲିନି । କାରଣ କିଏ ଯଦି ମାଛ ଲୁଚାଇ ନେଇଯିବ, ତା’ହେଲେ ମୋ ଉପରେ ବିରକ୍ତ ହେବେ ମା’ । ମାଛଧରା ହେଲେ ମୁଁ ଜଗିବି । ନଡ଼ିଆ ପରା ହେଲେ, ଧାନ ମପା ହେଲେ ସବୁଠି ମୁଁ ରହିବି । ମୋତେ ବିରକ୍ତ ଲାଗିଲେ ବି ସବୁ କରିବାକୁ ହୁଏ । ମା’ତ ଘରର ବୋହୁ । ପୁଅ ଦୁଇଜଣ ଗାଁକୁ ଆସିବାକୁ ନାରାଜ । ବାପା ଅଫିସ୍ ଆଶ୍ରମ କାମରେ ବ୍ୟସ୍ତ । ଏସବୁ କରିବାକୁ ତାଙ୍କର ସମୟ କାହିଁ । ମୁଁ ବି ଚାହେଁନି ବାପା ଏ ବୟସରେ ଏସବୁ କରନ୍ତୁ ।

 

ମାଛଧରା ସରୁ ସରୁ ଦିନ ବାର । ଗୋଖାଙ୍କୁ ସବୁ ମାଛ ଦେଇ ସେମାନଙ୍କଠୁ ଟଙ୍କା ନେଇ ବାପାଙ୍କୁ ଦେଲି । ମା’ ମୋ ପାଇଁ ଟିୱେଲ୍‌ ପାଖରେ ନନ୍ଦରେ ପାଣି ଭର୍ତ୍ତି କରି ରଖିଥିଲେ । ଶୀଘ୍ର ଗାଧୋଇ ଅଳ୍ପ ଟିକେ ଖାଇ ଚାଲିଲି ଗଣ୍ଡପୋଖରୀ ଆଡ଼େ । କିନ୍ତୁ ଏ କ’ଣ ଦିଶୁନି ଗୋଟିଏ ବି ପୋକଶୁଙ୍ଗା ଗଛ । ପାଖକୁ ଯାଇ ଯାହା ଦେଖିଲି ମୁଣ୍ଡ ଝିମ୍ ଝିମ୍ ହୋଇଗଲା । ଗୋଡ଼ ହୋଇଗଲା ଅଚଳ । ମାଳିଟି ସେତେବେଳେ କହୁଥିଲା, ‘‘ଦିଦି ତମେ ଖୁସି ହେବ ବୋଲି ଆଜି ସବୁ ଅନାବନା ଗଛ ସଫା କରିଦେଇଛି ପୋଖରୀ ହୁଡ଼ାରୁ ।’’ ତାକୁ ବୁଝାଇ ପାରୁନଥିଲି କି କହିପାରୁନଥିଲି ଯେ, ତୁମେ ଯାହାକୁ ଅନାବନା ଭାବୁଛ ସେ ମୋ ପାଇଁ ଅମୂଲ୍ୟ ସମ୍ପଦ । ଏଇ ଅଳ୍ପଦିନ ବଞ୍ଚୁଥିବା ଗଛ ଭିତରେ ହଜାଇ ଦେଉଥିଲି ନିଜକୁ ସମ୍ପୂର୍ଣ୍ଣଭାବେ । କିଛି ନ କହି ସେଇଠି ବସିପଡ଼ିଲି ।

 

ମୋତେ ଲାଗୁଥିଲା ମୋ ଦେହରୁ ବୋହୁଛି ଧାର ଧାର ରକ୍ତ । ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲି ଛାତିରେ । କଟା ଗଛଗୁଡ଼ିକ ସମ୍ପୂର୍ଣ୍ଣ ଝାଉଁଳି ପଡ଼ିଥିଲା । ସେଥିରେ ଫୁଟିଥିବା ଫୁଲଗୁଡ଼ିକ ମଧ୍ୟ । କିଛି କଟା ଡାଳକୁ ଆଣି ଛାତିରେ ଚାପି ଧରିଲି ଗୋଟେ ଆବେଗରେ । ମା’ ଲୁଗା କଚା ଛାଡ଼ି ପଚାରିଲେ, ‘‘ମା’ ତୋର କ’ଣ ହେଲାକି ?’’ ଇଚ୍ଛା ହେଉଥିଲା ମା’ଙ୍କ କୋଳରେ ମୁହଁ ଜାକି କଇଁ କଇଁ ହୋଇ କାନ୍ଦି ଉଠିବାକୁ । କିନ୍ତୁ ପାରୁନଥିଲି ।

 

ଫୁଟ୍‌ପାଥ୍‌ର ଚିତ୍ରନାଟ୍ୟ

 

ଆକାଶରେ କଳାବାଦଲ । ସୂର୍ଯ୍ୟ ଦେଖାଯାଉ ନାହାନ୍ତି । ଶୁପ୍ତ କଳା ସାପ ପରି ପିଚୁ ରାସ୍ତା । ରଙ୍ଗ ବେରଙ୍ଗର ଗାଡ଼ି ଚାଲି ଯାଉଛନ୍ତି ସମ୍ଭ୍ରାନ୍ତ ଲୋକଙ୍କର ବାହନ ହୋଇ । ସମୟ ନାହିଁ କାହାକୁ ପଚାରିବାକୁ କାହିଁକି ଶିଶୁଟିକୁ କୋଳରେ ଧରି କାନ୍ଦି କାନ୍ଦି ଅଣନିଶ୍ୱାସୀ ହୋଇ ଯାଉଛି ମାଳିନୀ । ଗଛଗୁଡ଼ିକ ରାସ୍ତା କଡ଼ର ମୁର୍ମୂଷ ରୋଗୀପରି ଦିଶୁଛନ୍ତି ଶୁଷ୍କ । ଆଧୁନିକ ଲୋକଙ୍କ ଚିନ୍ତା ଧାରାକୁ ତାରିଫ୍‍ କରିବାକୁ ପଡ଼ିବ । ଏମାନେ ଜାତିଆଣ ମନୋଭାବକୁ ଦୂର କରିବା ନାଁରେ ଜାତିଆଣା ଭାବକୁ ପ୍ରୋତ୍ସାହିତ କରୁଛନ୍ତି । ବୃକ୍ଷରୋପଣ ନାଆଁରେ ପ୍ରଗତିକୁ ରୋକି ହେବ ନାହିଁ କହି ଆରମ୍ଭ କରୁଛନ୍ତି ଗଛକଟା । ଗଛରୁ ଭାଙ୍ଗି ପଡ଼ୁଛି ରକ୍ତାକ୍ତ ଡାଳପତ୍ର । ତଳେ ପଡ଼ି ଭାଙ୍ଗିଯାଉଛି ଅଣ୍ଡା ସବୁ । ତା’ଭତରେ ଜୀବନ ପ୍ରାପ୍ତିରେ ଥିବା ଅସଂପୂର୍ଣ୍ଣ ପକ୍ଷୀଟି ମରିଯାଉଛି । ମା’ପକ୍ଷୀଟି ଫଡ୍‌କରି ଉଡ଼ି ଯାଉଛି, କାହିଁ କେଉଁଆଡ଼େ । ପଛରେ ପଡ଼ି ରହୁଛି ତା’ର ସ୍ୱପ୍ନର ମୃତ ଶାବକମାନେ ଓ ଅପଙ୍‌କ୍ତେୟ ବାସଘର ।

 

ମାଳିନୀ ଜେଷ୍ଟ କନ୍ୟାର ସୌଭାଗ୍ୟ ଲାଭ କରି ନୈଷ୍ଠିକ ବ୍ରହ୍ମଣ ପରିବାରରେ ଜନ୍ମ ହୋଇଥିଲା । ଯଦିଓ ପରେ ପରେ ତା’ର ରୋଗଣା ବୋଉ ତାକୁ ଛ’ଟା ଭଉଣୀ ଉପହାର ଦେଇଥିଲା । ବାପା ତା’ର ଗରୀବ ବ୍ରାହ୍ମଣ । ବୋଉ ବର୍ଷରେ ତିନିଶ’ ଷାଠିଏ ଦିନ ବିଛଣାରେ ପଡ଼ି ରହେ । ଏଣୁ ମାଳିନୀ ଧୂଳିଖେଳ ପରିବର୍ତ୍ତେ ଭଉଣୀମାନଙ୍କ ସେବା କରୁ କରୁ ଅତିକ୍ରମ କରେ ବାରଟି ବୈଶାଖ । ବିବାହର ମାନେ ବୁଝିବା ପୂର୍ବରୁ ବାହାଘର ହୋଇଯାଏ ପାଖ ଗାଁ ପୁରୋହିତ ଶିବକାନ୍ତ ପଣ୍ଡାଙ୍କ ସହିତ । ସେତିକିରେ ସରିଯାଏନି ମାଳିନୀର ଜୀବନ ଯନ୍ତ୍ରଣା । ଟୁଟୁ ଦୁନିଆର ଆଲୋକ ଦେଖିବା ମାସକ ପୂର୍ବରୁ ଆଖିବୁଜି ଦିଅନ୍ତି ଶିବକାନ୍ତ । ବିବାହର ବର୍ଷେ ପୂରିବାର ଦୁଇଦିନ ଆଗରୁ ଲିଭିଯାଏ ତା’ର ମଥାର ସିନ୍ଦୁର । ରଙ୍ଗୀନ ଲୁଗା ସବୁ ବାନ୍ଧି ହୋଇଯାନ୍ତି ଟିଣ ବାକ୍ସରେ ।

 

ଆଜି କୋଳରେ ତା’ର ଧନୁଷ୍ଟଙ୍କାର ଜୀବାଣୁ ସଂଚରି ଯାଇଥିବା ଏକମାତ୍ର ଅନ୍ଧର ଲଉଡ଼ି ଓ ହାତରେ ଡାକ୍ତରଙ୍କ ପ୍ରେସ୍‌କ୍ରାଇବ୍ ହୋଇଥିବା ପ୍ରେସିକ୍ରିପ୍‌ସନରେ ତିନିଶ’ପଚାଶ ଟଙ୍କାର ଇଂଜେକ୍‌ସନ୍ ଔଷଧର ଲିଷ୍ଟ । କାନିରେ ତା’ର ମୋଟେ କୋଡ଼ିଏ ଟଙ୍କା । ଔଷଧ ଦୋକାନୀ ନିକଟରେ ତା’ର ମାତୃତ୍ୱର ସମସ୍ତ ଆକୁଳ ନିବେଦନ ହୋଇଯାଇଛି ବ୍ୟର୍ଥ ଏବଂ ନିଷ୍ଫଳ । ଯଦିଓ ଏକ୍‌ସପାର ହୋଇଯାଇଥିବା ଅନେକ ଦୁଷ୍ପ୍ରପ୍ୟ ମୂଲ୍ୟବାନ ଔଷଧ, ଇଂଜେକସନ୍ ଥିଲା ଦୋକାନ ଆଗ ଡଷ୍ଟବିନରେ । ଦୋକାନୀଟି ମାଳିନୀ ଆଡ଼େ ଥରେ ହେଲେ ଦୃଷ୍ଟିପାତ ନ କରି ନିଜ କାମରେ ନିର୍ବିକାରଭାବେ ଳାଗିଛି । କିନ୍ତୁ ମାଳିନୀ ଦୋକନୀକୁ ଅଭିଶାପ ଦେଇପାରିଲାନି । ଭଗବାନ ଯେତେବେଳେ ତା’ ପ୍ରତି ବିମୁଖ, ଦୋକାନୀଟା ବି କ’ଣ କରିପାରିବ ! ଦୋକାନରୁ ଫେରି ମାଳିନୀ ରାସ୍ତା ପାଖ ବରଗଛ ମୂଳେ ବସି ପଡ଼ିଲା । ନିଶବ୍ଦରେ ଲୁହ ସବୁ ଲୁଗାକାନି କରୁଥିଲେ ଲବଣାକ୍ତ ।

ଚଢ଼େଇଟିଏ ଫଡ୍ କରି ଉଡ଼ି ଗଲା । ମାଳିନୀ ଚମକି ପଡ଼ିଲା । ମୃତ୍ୟୁ ଓହ୍ଲାଇବ ବର୍ତ୍ତମାନ ବରଗଛର ଓହଳ ଦେଇ ତା’ର ପୁଅର ଦେହକୁ । ଫୁଲ ଫୁଟେ, ଫୁଲ ଝଡ଼େ, ଗଛ ନୀରବରେ ସବୁ ସହେ । ସୂର୍ଯ୍ୟ ଉଠେ, ସୂର୍ଯ୍ୟ ବୁଡେ କିନ୍ତୁ ଆକାଶ ଟୋପାଏବି ଲୁହ ଝରାଏନି । ହେଲେ ମାଳିନୀ କାନ୍ଦି କାନ୍ଦି ଅଣନିଶ୍ୱାସୀ ହୋଇଯାଉଥିଲା । ବଜାର ଶେଷରେ ପୁଲଗଛ ଘେରା ସୁନ୍ଦର ସୁବିସ୍ତୃତ ହ୍ରଦ । ମାଳିନୀର ଇଚ୍ଛା ହେଉଥିଲା ଧାଇଁଯାଇ ହ୍ରଦରେ ମିଶିଯିବାକୁ । କିନ୍ତୁ ସେ ଯାଇ ପାରୁନଥିଲା । କାରଣ ଏମିତି କରିବାକୁ କୁଆଡ଼େ କୁହାଯାଏ ଆତ୍ମହତ୍ୟା । ଦୁଃଖ ନଥିଲେ ଏ ନଶ୍ୱର ଦେହ ରହିବନି । ହେଲେ ତା’ର ଆଉ ଧୈଯ୍ୟ ନାହିଁ । ସ୍ନେହମୟୀ ଶାଶୁ କହୁଥିଲେ ଏମିତି କାନ୍ଦୁଥିବା ନା ଘରକୁ ଫେରିବା ।

 

ତା’ ପାଟିରେ ଭାଷା ନ ଥିଲା । ବସ୍‌ବାଲା ରାଜି ହେବ ନାହିଁ । ତିନିଶ’ ଟଙ୍କା ମାଗିବ ଅଟୋ ରିକ୍ସା ମଲାପିଲାଟାକୁ ନେବାପାଇଁ । ସଂଧ୍ୟା ତା’ର କବରୀ ଖୋଲିଲାଣି । ଶାଶୁ ବଢ଼ୀଲୋକ-। ଡେରିହେଲେ ଅସୁବିଧା । ଏବେ ଆଡ଼ ଆଖିରେ ଚାହୁଁନଥିବା ଲୋକ କିଛି ସମୟ ପରେ ମଶାମାଛି ପରି ଘେରିଯିବେ । ଲୁହ ସବୁ ପୋଛିଲା ଅତି ଚମତ୍‌କାରଭାବେ ମାଳିନୀ । ମୁହଁରେ ବୋଳିଲା ପ୍ରସନ୍ନତାର କସମେଟିକ୍‌ସ ଏବଂ ସଯତ୍ନେ ଶବଟିକୁ କାନ୍ଧରେ ରଖି ପିଲଟି ବଂଚିଥିବାର ନିଚ୍ଛକ ଅଭିନୟ କଲା ମାଳିନୀ ଓ ଚାଲିଲା ବସ୍‌ଷ୍ଟାଣ୍ଡ ଆଡ଼କୁ ।

 

ଦୋଷ କାହାର

 

ସବୁକିଛି ଅଛି । ତମେ ଅଛ । ମୁଁ ଅଛି । ଘର ସାମ୍ନା କୃଷ୍ଣଚୁଡ଼ା ଗଛରେ ଲାଲ ଟୁଟୁ ଫୁଲ ଫୁଟୁଛି । ବର୍ଷା ହେଉଛି । ଏ ବର୍ଷ କାହାକୁ ବିରହିଣୀ କରୁଛି ତ କାହା ଦେହରେ ଜାଗ୍ରତ କରୁଛି କାମନାର ଅଦମ୍ୟ ପିପାସା । ବର୍ଷା କବିର କଲମରେ କବିତାଟେ ହୋଇ ବହିଯାଉଛି ସଫେଦ କାଗଜ ପିଠିରେ । ଟିଟନ୍ ବର୍ଷାରେ ଭିଜି ଡଙ୍ଗା ଭସାଇବ ବୋଲି ଯିଦ୍ ଧରୁଛି । କହୁଛି,‘‘ମମି, ପ୍ଲିଜ୍ କବାଟ ଖୋଲନା... ।’’ ତମେ ତମ ପ୍ରୋଜେକ୍ଟର ପ୍ଲାନ୍ ଭିତରେ ବୁଡ଼ି ଯାଇଛ । ଟିଟନ୍‌କୁ ବୁଝାଇବାକୁ ତମର ବେଳ ନାହିଁ । ରୋଷେଇ ଘରୁ ଶୁଭୁଛି ପ୍ରେସର କୁକର୍‌ର ହୁଇସିଲ୍ । ଶ୍ୱଶୁର ଡ୍ରଇଁରୁମରେ ଖବର କାଗଜ ପଢ଼ୁଛନ୍ତି । ରାଧାକ୍ରଷ୍ଣଙ୍କର ଇଣ୍ଡିଆନ୍ ଫିଲୋସଫି ବହିଟା ଟେବୁଲ୍ ଉପରେ ସ୍ଥିତପ୍ରଜ୍ଞ ପରି ପଡ଼ିଛି... । ସବୁକିଛି ଅଛି କେବଳ ନାହିଁ ସେହି ଝିଅଟି... ।

 

ସେ ଦିନ ବର୍ଷା ସହରକୁ ଟିକିଏ ନୀରବ ନିଥିର କରିଦେଇଥାଏ । ରାତି ବାରଟା ହେବ-। ତମେ ଶୋଇପଡ଼ିଥାଅ । ଟିଟନ ତମ ଦେହରେ ଗୋଡ଼ ହାତ ଲଦି ନିର୍ଭୟରେ ଶୋଇଥାଏ । ଶଶୁରଙ୍କୁ ଔଷଧ ଖୁଆଇ ଟେବୁଲ ଲ୍ୟାମ୍ପ ଲଗାଇ ପରଦିନ କ୍ଲାସ ପାଇଁ ପଢ଼ୁଥାଏ । ଏହି ସମୟରେ ବାହାରୁ କବାଟ ବାଡ଼େଇବା ଶବ୍ଦ ଶୁଭିଲା । ତମକୁ ଉଠାଇଦେଇ କହିଲି, ‘‘ଶୁଣିଲ କିଏ ଡାକୁଛି ?’’

 

ଏହିସମୟରେ ବାହାରୁ ଝିଅଟିଏ କହିଲା, ‘‘ଭଉଣୀ ରାତିକ ମତେ ଯାଗା ଦିଅ ତମ ଘରେ ।’’ ତମକୁ ନୀରବ ଦେଖି ପଚାରିଲି, ‘‘ଏ ଝିଅଟି ନକ୍‌ସଲାଇଟ୍ କିମ୍ବା ଅନ୍ୟକିଛି ଅସମାଜିକ ସମ୍ପ୍ରଦାୟ ସହ ସଂପୃକ୍ତ ଝିଅ ନୁହେଁ ତ ?’’ ତମେ ଟିଟନ୍‌ର ଦେହରେ ଚଦର ଢାଙ୍କୁ ଢାଙ୍କୁ କହିଲ, ‘‘ମୁଁ ବି ସେୟା ଭାବୁଛି ।’’ ନିରୁପାୟ ହୋଇ କହିଲି, ‘‘ଚାଲିଯାଅ ଭଉଣୀ । ତମକୁ ଏ ବର୍ଷଣ ମୁଖର ରାତିରୁ ରକ୍ଷା କରିବାକୁ ଅସମର୍ଥ । ତା’ପରେ ଟେବୁଲ ଲ୍ୟାମ୍ପ ଲିଭେଇ ଶୋଇବାକୁ ଗଲି ।’’

 

ପରଦିନ ସକାଳେ ତମେ ଦାନ୍ତ ବ୍ରସ କରୁଥିଲ । ମୁଁ ତଳକୁ ଯାଇ ଫୁଲ ତୋଳୁ ତୋଳୁ ସମସ୍ତଙ୍କ କଥା ଶୁଣି ପାଖ ଘର ମାଉସୀଙ୍କୁ ପଚାରିଲି, ‘‘ମାଉସୀ, କ’ଣ ହେଲା କି’ ?’’ ମାଉସୀ ମୋ ପାଖକୁ ଆସି ଚାପା କଣ୍ଠରେ କହିଲେ, ‘‘ଝିଅଲୋ କାଲି ରାତିରେ ଝିଅଟେ ଧର୍ଷିତା ହୋଇଛି ରାଜ ରାସ୍ତାରେ ।’’ ଏ କଥା ଶୁଣି ମୋ ଭିତରେ ଶୂନ୍ୟତା ଭରିଗଲା । ମୁଁ ଖାଲି ଭାବି ହେଲି ଦୋଷ କାହାର... । ତମର... ? ମୋର... ? ସମାଜର...? ସମୟର... ? ନା ସେହି ଝିଅଟିର ?

 

କ୍ରମଶଃ ବଡ଼ ହୋଇଯାଉଥିବା ଝିଅ

 

ଈଶା କାନ୍ଦୁଥିଲା । କବାଟ ଝର୍କା ବନ୍ଦ ଥିଲା ।

 

ମିହୀର ଫେରିବାର ସମୟ ହୋଇନଥିଲା । ସେ କେତେବେଳେ ଯେ ଫେରିବ ସେ କଥା ବି ଜଣାନଥିଲା ଇଶାକୁ । ବେହିସାବୀ ଲୋକଟେ । ହିସାବରେ ଧରାଦିଏନା । ହୁଏତ ଏବେ ଫେରିପାରେ । ନତୁବା ରାତି ବାର ବଜାଇ ଦେଇପାରେ । ନିଜର ସମୟକୁ ନିଜ ଇଚ୍ଛାରେ ଚଲାଏ-। ଠିକ୍ ତା’ ବାଇକ୍ ଭଳି । ମନଇଚ୍ଛା ବ୍ରେକ୍ ମାରେ । ମନଇଚ୍ଛା ହର୍ଣ୍ଣ ମାରେ । ଚଳାଇଲାବେଳେ ସ୍ପିଡ଼ୋମିଟରକୁ ଦେଖେ ନାହିଁ ।

 

ଝିଅ ଶୋଇଥିଲା । ଝିଅଟା ଦେଖିବାକୁ ଠିକ୍ ମିହୀର ଭଳି, ସେ ମିହୀରର ପିଲାଦିନର ଫଟୋ ଦେଖିଛି । ଝିଅର ମୁହଁ ତା’ ମୁହଁ ସହ ପୁରା ମିଶିଯାଏ । ଡିଟୋ । ଫଟୋସପରେ ମିହୀର ଝିଅ ଓ ତାକୁ ନେଇ ଗୋଟେ କମ୍ପୋଜିସନ୍ କରିଛି । ଗୋଟେ ସୁନ୍ଦର ଘାସ ପଡ଼ିଆରେ ସେ ଓ ଝିଅ । ଦେଖିଲେ ଟୁଇନ୍ ଭଳି ଲାଗୁଛନ୍ତି । ଠିକ୍ ତା’ ପଛକୁ ବାଡ଼ିଟେ ଧରି ମେଣ୍ଢା ଚରାଉଥିବା ଝିଅର ଜାଗାରେ ତାକୁ ରଖିବା କ’ଣ ଠିକ୍ ହୋଇଛି ? ଈଶା ଖଟରୁ ଉଠି ଯାଇ ଆଲ୍‌ବମ୍ ଖେଳାଇଲା । ପ୍ରଥମ ଫଟୋଟି ମିହୀର ଆଉ ତା’ର । ବାହାଘର ବେଳର ଫଟୋ । ନ’ ଥାଉ କହି ଆଲବମ୍ ରଖିଦେଲା । ବେଳେ ବେଳେ ଲାଗେ ଯେ ଘରର ଅନ୍ୟାନ୍ୟ କିଛି ବସ୍ତୁ ଭଳି ଏ ଆଲବମ୍‌ଟାର ବି ତାକୁ ଥଟ୍ଟା କରିବା ଶକ୍ତି ଅଛି । ଏଇ ସେ ଦିନ ଯେମିତି କାନ୍ଥରେ କ୍ୟାଲେଣ୍ଡର୍ ଟାଙ୍ଗିବାକୁ କଣ୍ଟା ପିଟୁ ପିଟୁ ତା’ର ମନେ ହେଲା, ସେ ଯେମିତି ଏକ ନିର୍ଜୀବ କାନ୍ଥ, ତା’ ଉପରେ କଣ୍ଟା ଆଉ ହାତୁଡ଼ି ନେଇ ମିହୀର କଣ୍ଟା ପିଟି ଚାଲିଛି । କାନ୍ଥ କହିଲା କଷ୍ଟ ହେଉଛି ଯେ । ମିହୀର କହିଲା, ‘ହଉ, କଷ୍ଟ ସହିଲେ ସିନା ସୁନ୍ଦର କ୍ୟାଲେଣ୍ଡର୍‌ଟିଏ ଝୁଲିବ ।’ ଈଶା ଦେହରେ ଅନେକ କଣ୍ଟା । ଝୁଲୁଥିବା ଅନେକ ଛବି । ମିହୀର ଖାଲି ସୌନ୍ଦର୍ଯ୍ୟ ଦେଖେ । କ୍ଷତ ଦେଖେନା । ସେଇଥି ପାଇଁ ତ ଲୁହ ।

 

କାନ୍ଦି କାନ୍ଦି ତା’ ଆଖି ଫୁଲି ଲାଲ ପଡ଼ି ଯାଇଥିଲା, ଗାଲ, ବେକ, ଲୁଗା ଭିଜି ଓଦା ହୋଇ ଯାଇଥିଲା । ତଥାପି ସେ କାନ୍ଦୁଥିଲା । କାନ୍ଦିଲେ କ’ଣ ସବୁ ଠିକ୍ ହୋଇଯାଏ ? ନା । ଯାହାଖାଲି ଦେହ ଖରାପ ହୁଏ .... । ସବୁ ଜାଣି ବି ସେ କାନ୍ଦେ । ଯେତେବେଳେ ସେ କିଛି କରିପାରେନି, ନିଜକୁ ପ୍ରକାଶ କରିପାରେନି ସେତେବେଳେ ସେ କାନ୍ଦେ । ତା’ର ବେଳେ ବେଳେ ବହୁତ କିଛି କହିବାକୁଥିଲେ ବି କହିପାରେନି, କାହିଁକି ? ସେ ନୀରିହ ବୋଲି, ସରଳ ବୋଲି ନା ବୋକି ବୋଲି ? ନା’ ବିଲକୁଲ ନୁହେଁ, ନିଶ୍ଚିତ ଝଡ଼ର ସାମ୍ନା କରିପାରିବନି ବୋଲି ଚୁପ୍ ରହେ ।

 

ପ୍ରିୟ ମଣିଷଟି ଯେତେବେଳେ ନିଜକୁ ବୁଝିପାରେନି ବା ସେ ନିଜକୁ ବୁଝାଇବାକୁ ଶବ୍ଦ ବା ସୁଯୋଗ ପାଏନି । ସେତେବେଳେ ସେ କାନ୍ଦେ । ତାକୁ ଲାଗେ ସେ ଡଷ୍ଟ୍‌ବିନ ଭିତରେ ମୋଡିମାଡି ହୋଇ ପଡ଼ିଥିବା ଫର୍ଦ୍ଦେ କାଗଜ । ବୁଝାଇ ପାରେନି ଡଷ୍ଟବିନ ଭିତରୁ ବାହାର କଲେ ସେ ବହୁତ କାମରେ ଆସିବ । ସେ ଅସ୍ପୃଶ୍ୟ ନୁହେଁ ।

 

ଅବ୍ୟବହୃତ ଫର୍ଣ୍ଣିଚର ପରି ବଂଚିବାକୁ ତାକୁ ଭାରି କଷ୍ଟ । ତା’ର ଇଚ୍ଛା ସେ ଏମିତି ଚେୟାରଟେ ହେବ । ତା’ ଉପରେ ତା’ର ପ୍ରିୟ ମଣିଷଟି ବସୁଥିବ, ତାକୁ କଚାଡ଼ୁଥିବ, ଭାଙ୍ଗୁଥିବ, ପୁଣି କଣ୍ଟା ବାଡ଼ଉଥିବ ।

 

ଧନର ଅଭାବ ସହିପାରେ । ମନର ଅଭାବ ବିଲକୁଲ ସହିପାରେନି । ସହିପାରେନି ବୋଲି ସେ କାନ୍ଦେ ।

 

ସେ କାନ୍ଦେ କାରଣ- ଘର ବାହାରକୁ ଯାଇ ରାତି ଅଧରେ କଲ୍‌ଭର୍ଟ୍ ଉପରେ ବସି ଆକାଶକୁ ଅନାଇ ତାରା ଦେଖିପାରିବନି । ନିଜ ହତାଶାକୁ ବାଣ୍ଟି ପାରିବନି ଜହ୍ନ ସହ, ତାରା ସହ, ଗଛ ସହ, ଫୁଲ ସହ କେଉଁ ଏକ ଜଣା ବା ଅଜଣା ମଣିଷ ସହ ନିଜେ ବିବସ୍ତ୍ର ହେବା ଭୟରେ । ପ୍ରିୟ ମଣିଷଟି ସେମିତି ମହାନ୍‍, ଉଦାର ହୋଇ ଥାଉ ସମସ୍ତଙ୍କ ସାମ୍ନାରେ ।

 

ମିଛ ବାହାନାରେ ସିଗାରେଟ୍‍ ଖାଇ ଧୂଆଁ ଛାଡ଼ିପାରିବନି ଉପରକୁ ଉପରକୁ, ବାରରେ ବସି ବିୟର ପିଇ ପାରିବନି... । କାହାକୁ ଚାପୁଡ଼ା ଦି’ଚାପୁଡ଼ା ପକାଇ ପାରିବନି, ଭାଙ୍ଗିପାରିବନି ଛୋଟି ଦର୍ପଣଟେବି । ସେଥିପାଇଁ ସେ କାନ୍ଦେ । ଓ କାନ୍ଦେ ।

 

ସେ ଜାଣିଛି ଆତ୍ମହତ୍ୟା କରିବାପାଇଁ ସେତିକି ସାହସ ଦରକାର ତା’ର ନାହିଁ ବା ଆଜି ଯାଏ ଆସି ନାହିଁ । ସେଥିପାଇଁ ସେ ଅବିରତ କାନ୍ଦେ ନିଜ ଭିତରର ଝଡ଼ ଆପେ ନ ଥମିବାଯାଏ ।

 

କାନ୍ଦିଲାବେଳେ ତା’ର ଇଚ୍ଛା ହୁଏ... ପ୍ରିୟ ମଣିଷଟି ତାକୁ ଆଉଜେଇ ନିଅନ୍ତା ତା’ ହାତରେ । ଆଉ ସେ ତା’ ଛାତିରେ ମୁହଁ ଜାକି କାନ୍ଦନ୍ତା ମନବୋଧ କରି । ନିଜକୁ ହାଲ୍‌କା କରି ଦିଅନ୍ତା । ସହଜ କରି ଦିଅନ୍ତା । ନା । ସେମିତି କେବେ ବି ହୁଏନା । ଥରଟେ ବି ନୁହେଁ ।

 

ସେ କାନ୍ଦି ଚାଲିଥିଲା କାମିନୀ ପତ୍ରରେ ବର୍ଷା ପାଣି ପଡ଼ି ତଳକୁ ବୁନ୍ଦା ବୁନ୍ଦା ହୋଇ ଖସିଲା ପରି ଲୁହ ସବୁ ଝରି ଚାଲିଥିଲା ଆଖିରୁ । ଜୋରରେ ବର୍ଷା ହେଲେ ତାଙ୍କ ପାହଚ ଟପି ଘରର ଚଟାଣ ଓଦା ହେଲା ପରି ସେ ଓଦା ହୋଇଯାଉଥିଲା ଲୁହରେ ।

 

କେତେବେଳୁ ତା’ର କୁନି ଝିଅ ନିଦରୁ ଉଠି ତା’ର କାନ୍ଦ ଦେଖୁଥିଲା ତା’ର ନଜର ନାହିଁ-। କୁନି ଝିଅ ତା’ ପାଖକୁ ଆସିଲା ,‘‘ମାମା, କାହିଁକି କାନ୍ଦୁଛ ?’’ ବୋଲି ପଚାରିଲାନି, ‘‘ମାମା ପ୍ଲିଜ୍ କାନ୍ଦନି’’ ବୋଲି କହିଲାନି, କହିଲାନି, ‘‘ମାମା, କାନ୍ଦନି ବଡ଼ ହେଲେ ତମକୁ ଉଡ଼ାଜାହାଜରେ ବସେଇ ବୁଲାଇ ନେବି । କିଣି ଦେବି ପଶାପାଲି ଶାଢ଼ୀ ।’’ ପୋଛି ଦେଲାନି ଆଖିର ଲୁହ ତା’ ଫ୍ରକ୍‌ରେ ।

 

ଦେଢ଼ବର୍ଷ ହୋଇଥିଲାବେଳେ ଏହି ଝିଅ ଯାଇଥିଲା ପାଖ ଘରକୁ ଖୁଦୁରୁକୁଣି ଓଷା ଦେଖିବାକୁ । ଘରେ ପାଖ ଘରଝିଅ ଛାଡ଼ି ଦେଇଗଲା ପରେ ସେ ଦେଖିଲା ତା’ ମାମା କାନ୍ଦୁଛନ୍ତି । ଘରେ କେହି ନାହାନ୍ତି । ସେ କୁନି କୁନି ହାତରେ ଧରିଥିବା କୁନି ରାଶି ଲଡ଼ୁଟିକୁ ତା’ ପାଟିରେ ପୁରାଇ ଦେଇ କହିଥିଲା, ‘‘ମାମା, କାନ୍ଦନି, ଲଡ଼ୁ ଖାଅ ।’’ ଭାବୁଥିଲା କି ସେ ତା’ ମାମା ଲଡ଼ୁ ଖାଇବା ପାଇଁ କାନ୍ଦୁଛନ୍ତି ଓ ସେଥିପାଇଁ ସେ ତା’ର ପ୍ରିୟ ଲଡ଼ୁକୁ ତା’ ପାଟିରେ ଖୁଆଇ ଦେଇଥିଲା । କୁନି କୁନି ହାତ ପାପୁଲିରେ ପୋଛି ଦେଇଥିଲା ତା’ ଆଖିର ଲୁହ । ସେହି ଦେଢ଼ ବର୍ଷର ଝିଅକୁ ଆଜି ସାଢ଼େ ଚାରି ବର୍ଷ ।

 

ପାଖକୁ ଆସି କୁନି ଝିଅ ତା’ ହାତକୁ ଟାଣିଲା । କହିଲା,‘‘ମାମା, ଆସ ମୁଁ କଲର ଦେଇପାରୁନି ।’’ ସେ କହିଲା, ‘‘ତୁ ଯା’.... ।’’ କୁନିଝିଅଟି ଜିଦ୍ କଲା,’‘ନା... ନା... ମାମା, ତମେ ଆସ ।’’ ତା’ର କଲର କରିବାକୁ ଇଚ୍ଛା ନ ଥିଲା । କୁନି ଝିଅର ଜିଦ୍ କମୁ ନ ଥିଲା । ଶେଷରେ ତାକୁ ହାରିବାକୁ ପଡ଼ିଲା । ସେ ଅନିଚ୍ଛା ସହ ଗଲା ।

 

କୁନି ଝିଅ ଖଟସାରା ବିଛେଇ ଦେଇଥିଲା ତା’ର କଲର ବୁକ୍ । ରଙ୍ଗ ବେରଙ୍ଗର ବିଭିନ୍ନ ସାଇଜ୍‌ର ମହମ ରଙ୍ଗ । କୁନି ଝିଅଟି ବତାଇ ଚାଲିଲା, ସେ ରଙ୍ଗ କରି ଚାଲିଲା । ରଙ୍ଗ କରୁଥିଲା ତଥାପି କାନ୍ଦ ତା’ର କମୁ ନ ଥିଲା । ଝିଅ କହୁଥିଲା, ‘‘ମାମା, ରଙ୍ଗ, ବାହରକୁ ପଳାଉଛି, ଏମିତି କର ସେମିତି କର । ଇରେଜରରେ ଲିଭେଇ ଦିଅ, ବାହରକୁ ବାହାରିଥିବା ରଙ୍ଗ ।’’ ସବୁବେଳେ ସେ ଏମିତି ହାରିଯାଏ ବାପ ଝିଅଙ୍କଠାରୁ । ଯେମିତି ସେଦିନ ସକାଳୁ ଝିଅ କହିଲା, ‘‘ମାମା, ମୋତେ ବିନ୍ଦି ଲଗାଇ ଦିଅ ।’’ ସ୍କୁଲ ଡେରି ହୋଇଯାଉଥିଲା ଝିଅର, ସେ ବ୍ୟସ୍ତ ଥିଲା ତା’ ଟିଫ୍‌ନ୍ ସଜାଡ଼ିବାରେ । ତାକୁ ଭୁଲାଇ ଦେବାକୁ କହିଲା, ‘‘ପାଠ ପଢ଼ୁଥିବା ଝିଅମାନେ ବିନ୍ଦି ଲଗାନ୍ତିନି ।’’ କୁନି ଝିଅଟି ଚଟ୍ କରି କହିଲା, ‘‘ମାମା, ତମେ ଗପ ଲେଖୁଛ ତମେ କାହିଁକି ବିନ୍ଦି ଲଗାଉଛ ? ଆଉ ବିନ୍ଦି ଲଗାଇବନି ।’’ ଈଷା ଆଶ୍ଚର୍ଯ୍ୟ ଝିଅଟି କଥାରେ ସେ ଏତେ କଥା ଜାଣିଲା କେମିତି !!

 

ସେ ହାରି ଯାଉଥିଲା ଝିଅଠାରୁ ତ ମନ ଦେଇ ରଙ୍ଗ ଦେଉଥିଲା । ରଙ୍ଗ ଦେଉ ଦେଉ ସେ ଭୁଲି ଯାଇଥିଲା କାନ୍ଦିବା । ଝିଅଟି ସଫା କାଗଜ ଉପରେ ଚିତ୍ର କରୁ କରୁ ଗାଉଥିଲା-

 

‘‘ଇଚକଦାନା.... ମିଚକଦାନା

ଦାନେ ଉପର ଦାନା....

ଇଚକ ଦାନା ।’’

 

କୁନି ଝିଅଟି ଗାଉଥିଲା ସୁନ୍ଦର ସ୍ୱରରେ ଏବଂ ଚିତ୍ର କରୁଥିଲା । ରଙ୍ଗ ଦେବାରେ ଈଷା ବ୍ୟସ୍ତ । ଝିଅଠାରୁ ହାରିବା... ଆଦୌ ସେ ବରଦାସ୍ତ କରିପାରିବନି । ସେ ରଙ୍ଗ ଦେଉଥିଲା ମନ ଦେଇ । ଝିଅର ପାପୁଲି ସ୍ପର୍ଶରେ ମୁହଁ ଟେକି ଚାହିଁଲା । କୁନି ଝିଅ ତା’ କୁନି ପାପୁଲିରେ ପୋଛି ଦେଉଥିଲା କ୍ରମଶଃ ଶୁଖିଯାଉଥିବା ଲୁହ । ଦେଖାଉଥିଲା ସେ କରିଥିବା ଗୋଟେ ଚିତ୍ର । ଗୋଟେ ମଣିଷର ଚିତ୍ର । କାନକରି ପିନ୍ଧାଇଥିଲା କାନଫୁଲ, ହାତରେ ଚୁଡ଼ି, ମୁଣ୍ଡରେ ଟିପା, ପାଦରେ ପାଉଁଜି, ଛାତିରେ ଗୋଲ ଗୋଲ ରାଉଣ୍ଡ କରିଥିଲା । ଈଷା ପଚାରିଲା, ‘‘ଏଇଟା କା’ଚିତ୍ର ।’’ କୁନି ଝିଅଟି କହିଲା,‘‘ଏଇଟା ତମ ଚିତ୍ର ମାମା ।’’

 

ତାକୁ ଲାଗୁଥିଲା କୁନିଝିଅଟି କ୍ରମଶଃ ବଡ଼ ହୋଇଯାଉଛି । ଆଉ ସେ ହୋଇ ଯାଉଛି ବିଲକୁଲ ଗୋଟେ କୁନି ଝିଅ ।